ଜଗନ୍ନାଥପ୍ରସାଦ,ତା୧୫/୦୧(ପିପିଟି); କ୍ରାନ୍ତିକାରୀ କୃଷକ ସଭା, ଅଖିଳ ଭାରତ କୃଷକ ସଭା, ଆଦିବାସୀ ଭାରତ ମହାସଭାର ମିଳିତ ଶୋଭାଯାତ୍ରା ସହର ପରିକ୍ରମା କରି ଜଗନ୍ନାଥପ୍ରସାଦ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ବିପ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କୃଷିକ୍ଷେତ୍ରର କର୍ପୋରେଟୀକରଣ ଦ୍ବାରା ଚାଷି, ଭାଗଚାଷି, କୃଷି ଶ୍ରମିକ, ଆଦିବାସୀ, ଦଳିତ ଏବଂ ଖାଉଟି ମାନେ କିପରି ପ୍ରଭାବିତ ହେବେ ସେ ସମ୍ପର୍କରେ ବକ୍ତାମାନେ ମତ ଉପସ୍ଥାପନ କରିଥିଲେ । ଲକ୍ଷ ଲକ୍ଷ ଚାଷି ଭୟଙ୍କର ଶୀତରେ ୫୦ ରୁ ଉର୍ଦ୍ଧ୍ବ ଦିନ ଧରି ଦିଲ୍ଲୀର ସମସ୍ତ ପ୍ରବେଶ ପଥରେ ଆନ୍ଦୋଳନ ଜାରି ରଖିଛନ୍ତି ଏବଂ ୬୦ରୁ ଉର୍ଦ୍ଧ୍ବ ଚାଷି ଜୀବନ ବଳିଦାନ ଦେଇସାରିଲେଣି ତଥାପି ସରକାରଙ୍କ ନିଦ ଭାଙ୍ଗୁ ନାହିଁ ବୋଲି ବରିଷ୍ଠ ଚାଷି ନେତା ପ୍ରକାଶ ପାତ୍ର ପ୍ରକାଶ କରିଛନ୍ତି । ଆଦାନୀ, ଆମ୍ବାନୀ ଭଳି ବଡ଼ ବଡ଼ କର୍ପୋରେଟଙ୍କ ସ୍ବାର୍ଥରେ ମଣ୍ଡି ହରଣ ଆଇନ, ଠିକା ବା ଚୁକ୍ତିବଦ୍ଧ ଚାଷ ଆଇନ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଅଆଇନ ୨୦୨୦କୁ କାର୍ଯ୍ୟକାରୀ କରିବାକୁ ମୋଦି ସରକାର ଅଣ୍ଟା ଭିଡିଛନ୍ତି । ଦେଶର କୃଷି ଓ ଖାଦ୍ୟ ବ୍ୟବସ୍ଥାକୁ କର୍ପୋରେଟୀକରଣ କରି ଆଦାନୀ, ଆମ୍ବାନୀ ଏବଂ କର୍ପୋରେଟଙ୍କ ଲାଭପାଇଁ ଚାଷି ଓ ଖାଉଟି ଙ୍କୁ ତଳିତଳାନ୍ତ କରିବାକୁ କୃଷକ ସମାଜ ବରଦାସ୍ତ କରିବେ ନାହିଁ । ସେଥିପାଇଁ ଦେଶର କୃଷକ ସମାଜ ହୃଦୟଙ୍ଗମ କରି ବିରୋଧ ଜୀବନ ମରଣର ସଂଗ୍ରାମ ଆପଣାଇଛନ୍ତି । ଦେଶ ବିଦେଶରେ ମୋଦି ସରକାର ଘୋର ବିରୋଧର ସମ୍ମୁଖୀନ ହୋଇ କେନ୍ଦ୍ର ସରକାର ବର୍ତ୍ତମାନ ସୁପ୍ରିମକୋର୍ଟକୁ ଆୟୁଧ କରି ସ୍ଥଗିତାଦେଶ ଦେବା ଏବଂ ସଂଶୋଧନ କରିବା ପାଇଁ ଏକ କମିଟି ଗଠନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ତଥା କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ନିଜ ବକ୍ତବ୍ୟ ରଖିଥିଲେ । ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ରାଜ୍ୟ ନବୀନ ସରକାର କୃଷକ ବିରୋଧି କୃଷି ସଂମ୍ପର୍କୀୟ ଅଧ୍ୟାଦେଶ ପାରିତ କରିବା, ଲୋକସଭାରେ ସମର୍ଥନ ଏବଂ ରାଜ୍ୟ ସଭାରେ ବିରୋଧ କରିବା, ବିଧାନସଭାରେ ଆଇନ ସମ୍ପର୍କରେ କୌଣସି ଆଲୋଚନା ନକରିବା ସରକାରଙ୍କ ଦୋମୁଁହା ନୀତି ଅଟେ । ଦେଶର ଦୁର୍ବାର କୃଷକ ଆନ୍ଦୋଳନ ସତ୍ତ୍ୱେ ରାଜ୍ୟରେ ସମସ୍ତ ମଣ୍ଡି ଖୋଲି ନାହିଁ କି ଚୀଷୀର ଧାନ ଉଠୁ ନାହିଁ । ଟୋକନ ବ୍ୟବସ୍ଥାରେ ଚାଷୀମାନେ ହନ୍ତସନ୍ତ ହେବା, ଧାନର ମାନ ଖରାପ କହି କୁଇଣ୍ଟାଲ ପ୍ରତି ୫ ରୁ ୭ କେଜି ଧାନ କାଟିନେବା, ଅଖା- ପରିବହନ-ଲେବର ପ୍ରାପ୍ୟ ଚାଷୀକୁ ଫେରସ୍ତ ନକରିବା, ଯୋଗାଣ ବିଭାଗ ଓ ମିଲରମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଅଭାବୀ ବିକ୍ରୀରେ ପେଷିହେବା, ୯୫ ପ୍ରତିଶତ ଭାଗଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ ସୁଯୋଗ ନ ମିଳିବା ଘଟଣାକୁ କ୍ରାନ୍ତିକାରୀ କୃଷକ ସଭା ର ଜିଲ୍ଲା ସମ୍ପାଦକ ଟୁନା ମଲ୍ଲିକ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଆସନ୍ତା ୧୮ ଜାନୁଆରୀରେ ମହିଳା କୃଷକ ଦିବସ, ରାଜଭବନ ସମ୍ମୁଖରେ ଆଜାଦ କୃଷକ ଅଭିଯାନ, ୨୬ ଜାନୁଆରୀରେ କୃଷକ ଓ ଶ୍ରମିକଙ୍କ ମିଳିତ ସମାନ୍ତରଳ ପ୍ୟାରେଡ ଆଦି ଅନୁଷ୍ଠିତ ହେବ । ଏହି ଆନ୍ଦୋଳନରେ ଏ.ଆଇ.କେ.କେ.ଏସ୍ ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଜିଲ୍ଲା ସମ୍ପାଦକ ଟୁନା ମଲ୍ଲିକ, ଅଖିଳ ଭାରତ କୃଷକ ସଭାର ପ୍ରକାଶ ପାତ୍ର, ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ମାଧବ ନାୟକ, ଆଦିବାସୀ ଭାରତ ମହାସଭାର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରସନ୍ନ ଦଳ ବେହେରା, ସନ୍ଧ୍ୟାରାଣୀ ପ୍ରଧାନ, କାର୍ତ୍ତିକ ପ୍ରଧାନ, ସୁରେନ୍ଦ୍ର ମଲ୍ଲିକ, ଶ୍ୟାମ ଜାନୀ ଆଦି ଉପସ୍ଥିତ ଥିଲେ ।