ବେଲଗୁଣ୍ଠା,୦୯/୦୬(ପିପିଟି), ଦିଗପହଣ୍ଡି ଅଞ୍ଚଳରୁ ଚାଲି ଚାଲି ଆସୁଥିବା ଏକ ସାତ ଜଣିଆ ଶ୍ରମିକ ଗୋଷ୍ଠୀଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କ ଅନୁରୋଧ କ୍ରମେ ସେମାନଙ୍କୁ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କ ନିକଟରେ ପହଞ୍ଚାଇଛନ୍ତି ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ । ସୂଚନା ପ୍ରକାରେ କଟକ ,ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାର ସାତ ଜଣ ଶ୍ରମିକ କଟକ ନରସିଂହପୁର ଅଞ୍ଚଳର ଜଣେ ଠିକାଦାର ମାଧ୍ୟମରେ ଗଞ୍ଜାମ ଜିଲ୍ଳା ଦିଗପହଣ୍ଡି ଅଞ୍ଚଳରେ ଏକ ବ୍ରିଜ୍ କାମରେ ନିୟୋଜିତ ଥିଲେ । ସେମାନେ ଅଢେଇମାସ ଧରି ଏହି କାମରେ ନିୟୋଜିତ ଥିଲେ ମଧ୍ଯ ସମ୍ପୃକ୍ତ ଠିକାଦାର ସେମାନଙ୍କୁ ତାଙ୍କର ପ୍ରାପ୍ୟ ଦେଇନଥିଲା । କିଛି ଦିନ ତଳେ ଠିକାଦାର ଜଣଙ୍କ ଶ୍ରମିକ ମାନଙ୍କ ନାମରେ ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଉଠାଇ ରାତି ଅଧିଆ ଫେରାର୍ ହୋଇଯାଇଥିଲା । ସମ୍ପୃକ୍ତ ଶ୍ରମିକ ମାନେ ଏହି ଘଟଣା ଜାଣିବା ପରେ ସବୁଠାରୁ ନିରାଶ ହୋଇ ନିଜ ଗ୍ରାମକୁ ଯିବାକୁ ଭୋକ ଉପାସରେ ଦିଗପହଣ୍ଡିରୁ ଚାଲି ଚାଲି ଆସୁଥିଲେ । ସମ୍ପୃକ୍ତ ଶ୍ରମିକ ମାନେ ହେଲେ କଟକ ଜିଲ୍ଳା ଏକଡାଳ ଗ୍ରାମର ବିଜୟ କୁମାର ଦଳେଇ, ସନ୍ତୋଷ କୁମାର ଦଳେଇ, ସୁଦାମ ସାହୁ, ସୁରେଶ ମହାରଣା, ଧୋବା ଚରଣ ଦଳେଇ, ନୟାଗଡ ସିଦ୍ଧମୂଳ ଗ୍ରାମର ଅଙ୍କିତ ପ୍ରହରାଜ ଏବଂ କନ୍ଧମାଳର ରାମ ମଲ୍ଲିକ । ସେମାନେ ଆଜି ଚାଲି ଚାଲି ଆସି ଗାଙ୍ଗପୁର ଠାରେ ପହଞ୍ଚିବା ପରେ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ସେମାନଙ୍କୁ ଉଦ୍ଧାର କରିବା ଘଟଣା ସମ୍ପର୍କରେ ବୁଝିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେଇଥିଲେ । ଏହି ସମୟରେ ଏକଡାଳ ଅଞ୍ଚଳର ଶ୍ରମିକ ମାନେ ପ୍ରକାଶ କରିଥିଲେ ଯେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ହେଉଛନ୍ତି ତାଙ୍କ ଗ୍ରାମ ଲୋକ । ତେଣୁ ସେମାନେ ଅନୁରୋଧ କରିଥିଲେ ଯେ ସେମାନଙ୍କୁ ଡିଏଫ୍ଓ ଶ୍ରୀ ଦଳେଇଙ୍କ ନିକଟରେ ପହଞ୍ଚାଇ ଦେବାକୁ । ଏହାପରେ ସରପଞ୍ଚ ଶ୍ରୀ ଡାକୁଆ ଭଞ୍ଜନଗର ଡିଏଫ୍ଓଙ୍କ ସହ ଯୋଗାଯୋଗ କରିଥିଲେ । ଡିଏଫ୍ଓ ଶ୍ରୀ ଦଳେଇ ଘଟଣା ସମ୍ପର୍କରେ ଜାଣିବା ପରେ ଗାଙ୍ଗପୁର ସରପଞ୍ଚଙ୍କୁ ଧନ୍ୟବାଦ ଦେବା ସହିତ ଏକ ଗାଡ଼ି ପଠାଇ ସେହି ଶ୍ରମିକମାନଙ୍କୁ ନିଜ ପାଖକୁ ନେବା ସହିତ ସୁରକ୍ଷିତ ଭାବେ ସେମାନଙ୍କୁ ନିଜ ନିଜ ଗ୍ରାମକୁ ପଠାଇବାର ପ୍ରତିଶୃ୍ତି ପ୍ରଦାନ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )