ଚାକିରୀ କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ହଡପ।

କୋଦଳା,୧୧/୦୨(ପିପିଟି): ପ୍ରଥମେ ବନ୍ଧୁତା,ପୁଣି ଚାକିରୀ ଦେବାର ମିଥ୍ୟା ପ୍ରତିଶୃତି ଏବଂ ପରେ ଲକ୍ଷାଧିକ ଟଙ୍କା ହଡପ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଗ୍ରାମର ଗୋପୀନାଥ ସାହୁଙ୍କ କ୍ଷେତ୍ରରେ । ସୂଚନା ଅନୁଯାୟୀ କଞ୍ଚଣା ଗ୍ରାମର ସ୍ବର୍ଗତ ସୁଦର୍ଶନ ସାହୁଙ୍କ ପୁଅ ଗୋପୀନାଥ ସାହୁ (୨୪) ୨୦୨୨ ଜୁନ ମାସରେ ମାର୍ଚ୍ଚାଣ୍ଟ ନେଭି ରେ ଟ୍ରେନିଂ ନେବା ପାଇଁ କୋଲକାତା ଯାଇଥିଲେ । ଟ୍ରେନିଂ ସରିବା ପରେ ସେଠାରେ ଢେଙ୍କାନାଳ ଦେଉଳ ସାହିର ସୁଧାଂଶୁ ମହାପାତ୍ର ସହିତ ତାଙ୍କର ଭେଟ ହୋଇଥିଲା । ସମ୍ପର୍କ ସୁଦୃଢ ହେବାପରେ ସୁଧାଂଶୁ ଚାକିରୀ କରେଇଦେବ କହି ଗୋପୀନାଥଙ୍କ ଠାରୁ ପର୍ଯ୍ୟାୟ କ୍ରମେ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନେଇସାରିଥିଲା । ସୁଧାଂଶୁ ଟଙ୍କା ପାଇବା ପରେ ଏକ ଆଫିଡେଫିଟ ଲେଟର ଗୋପୀନାଥଙ୍କ ମୋବାଇଲକୁ ପଠାଇଥିଲା କିନ୍ତୁ ଏ ସବୁ ସନ୍ଦେହ ହେବାରୁ ଗୋପୀନାଥ ସୁଧାଂଶୁକୁ ଟଙ୍କା ଫେରସ୍ତ ମାଗିଥିଲେ । କିନ୍ତୁ ଟଙ୍କା ଫେରାଇବା ପରିବର୍ତ୍ତେ ସୁଧାଂଶୁ ଗୋପୀନାଥଙ୍କୁ ମୋବାଇଲ ଯୋଗେ ବାରମ୍ବାର ଧମକ ଚମକ ଦେଉଥିଲା । ଯାହାକୁ ନେଇ ଗୋପୀନାଥ କୋଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ କେଶ ନମ୍ବର ୬୭/୨୩ ରେ ମାମଲା ରୁଜୁ କରି ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ନେତୃତ୍ୱ ରେ ଏକ ପୋଲିସ ଟିମ ଢେଙ୍କାନାଳ ଗସ୍ତ କରି ଆସାମୀ ସୁଧାଂଶୁ କୁ ଗିରଫ କରିବାରେ ସକ୍ଷମ ହୋଇଛି । ଆସାମୀକୁ ଦଫା ୪୨୦,୪୬୮, ୪୭୧,୫୦୬ ଆଇପିସି ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment