ଚଳନ୍ତା ଟ୍ରାକ୍ଟରରୁ ଖସି ନାବାଳକ ମୃତ ।

ବାଲିଗୁଡା, ୧୦/୬(ପିପିଟି): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଘଟିଛି । ବୁଧବାର ଦିନ ଗୋଟିଏ ଚଳନ୍ତା ଟ୍ରାକ୍ଟର ରୁ ଖସି ପଡ଼ି ଜଣେ ନାବାଳକ ର ମୃତ୍ୟୁ ଘଟଣା ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି। ମୃତ ନାବାଳକ ଜଣକ ହେଲେ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ର ପଦାସାହି ନିବାସୀ ଅକ୍ଷୟ କୁମାର ମଲ୍ଲିକଙ୍କ ପୁଅ ଗ୍ରେସ କୁମାର୍ ମଲ୍ଲିକ (୧୫) । ସୂଚନା ଅନୁଯାୟୀ ଗ୍ରେସ ଋତୁଙ୍ଗିଆ ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଖରାଛୁଟି କଟାଇବା ପାଇଁ ଘରକୁ ଆସିଥିଲେ । ବୁଧବାର ଦିନ ବଡିଭୋରରୁ ବାପା ବିଲରେ ହଳ କରିବାକୁ ଯାଇ ଥିଲେ । ସକାଳୁ ନିଜ ନିତ୍ୟ କର୍ମ ସାରି ଗ୍ରେସ୍ ଗାଁ ମୁଣ୍ଡ ରେ ବୁଲାବୁଲି କରୁଥିବା ବେଳେ ତାଜୁଙ୍ଗିଆ ରୁ ଏକ ଟ୍ରାକ୍ଟର ମହାଗୁଡ଼ି ଅଭିମୁଖେ ଯାଉଥିବା ଦେଖି ସେହି ଟ୍ରାକ୍ଟର ରେ ଚଢ଼ି ଯାଇଥିଲେ । ହେଲେ କିଛି ବାଟ ଆସିବା ପରେ ମହାଗୁଡ଼ି ପହଞ୍ଚିବା ପୂର୍ବରୁ ଟୁଙ୍ଗୁଡ଼ୁମହା ସାହି ନିକଟ ରେ ଥିବା ହମ୍ପସ ରେ ଗାଡ଼ି ବ୍ରେକ ମାରିବାରୁ ସେ ଟ୍ରାକ୍ଟର ରୁ ଛିଟିକି ପଡ଼ି ଯାଇ ଥିଲେ । ଗୁରୁତର ଅବସ୍ଥାରେ ୧୦୮ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରାହ୍ମଣୀଗାଁ ମେଡିକାଲ୍ ରେ ଭର୍ତ୍ତି କରାଯାଇ ଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ବ୍ରାହ୍ମଣୀଗାଁ ଥାନା ଏସଆଇ ଭୋଳାନାଥ ପଣ୍ଡା ମେଡିକାଲ ରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ରିପୋର୍ଟ :-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment