ମାଲକାନଗିରି ,୨୬/୦୮(ପିପିଟି): ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫଳତା ସହ ଅବତରଣ କରିବା ପଛରେ ଭାରତର ବିଭିନ୍ନ ପ୍ରାନ୍ତରୁ କାର୍ଯ୍ୟରତ ବୈଜ୍ଞାନିକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସମଗ୍ର ଦେଶରେ ପ୍ରଶଂସା ସୁଅ ଛୁଟୁଥିବା ବେଳେ ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାରୁ ଜଣେ ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର ବର୍ତ୍ତମାନ ଚନ୍ଦ୍ରଯାନ-୩ ମିଶନରେ କାର୍ଯ୍ୟ କରି ଚର୍ଚ୍ଚାତ ।
ଚନ୍ଦ୍ରଯାନ- ୩ ପ୍ରକଳ୍ପରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର। ଜୟନ୍ତ କେରଳ ଥିରୁବନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ବେଳେ ଚନ୍ଦ୍ରଯାନ- ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି।
ଜୟନ୍ତ କୁମାର ହାଲଦାର ନିଜ ଗ୍ରାମ ପଟେରୁ ସ୍ଥିତ ଏମପିଭି-୬ ସରକାରୀ ବିଦ୍ୟାଳୟରେ ୧୦ମ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେଲା ପରେ କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟରେ +୨ ବିଜ୍ଞାନରେ ପାଠ ପଢି ଆଇଏସଟି ଅନୁଷ୍ଠାନରେ ବିଟେକ୍ ଏଇରୋସ୍ପେସ ଇଂଜିନିୟରିଂ କରିବା ଲାଗି ସୁଯୋଗ ପାଇଥିଲେ। ୨୦୧୨ରେ ଏଇରୋସ୍ପେସ ଇଂଜିନିୟରିଂରେ ଉତ୍ତୀର୍ଣ୍ଣ ହେବା ପରେ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବେ କାମ କରୁଥିଲେ। ପ୍ରଥମେ ୨୦୧୨ ଠାରୁ ୨୦୧୮ ପର୍ଯ୍ୟନ୍ତ ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ର କ୍ରାୟୋଜେନିକ୍ ପ୍ରୋପେଲର ବିଭାଗରେ କାମ କରୁଥିଲେ। ପରେ ୨୦୧୮ ମସିହା ଠାରୁ କେରଳର ଥିରୁବନନ୍ତପୁରମ୍ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟରରେ ବରିଷ୍ଠ ମେକାନିକ୍ସ ବୈଜ୍ଞାନିକ ଭାବେ କାର୍ଯ୍ୟ ରତ ରହିଛନ୍ତି। ସେ ଚନ୍ଦ୍ରଯାନ-୩ ଉତକ୍ଷେପଣ ପ୍ରକଳ୍ପରେ କାର୍ଯ୍ୟ କରିଥିଲେ ଥିଲେ ଜୟନ୍ତ କୁମାର ହାଲଦାର । ଆଜି ଚନ୍ଦ୍ରଯାନ-୩ ସଫଳତା ସହ ଉତକ୍ଷେପଣ ସହ ଚନ୍ଦ୍ର ପୃଷ୍ଠରେ ଅବତରଣ ପରେ ମାଲକାନଗିରି ଭଳି ଏକ ଉପାନ୍ତ ଅଞ୍ଚଳରୁ ଯୁବ ବୈଜ୍ଞାନିକ ଜୟନ୍ତଙ୍କ ଅବଦାନକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଗଲା ସାଧାରଣରେ ଚର୍ଚ୍ଚା ହେଉଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)