ଘରଡିହ ପଟ୍ଟା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ।

ମାଲକାନଗିରି,୨୩/୦୪(ପିପିଟି): ଘରବାଡ଼ି ପଟ୍ଟା ଦାବିରେ ଶୁକ୍ରବାର ଠାରୁ ମାଲକାନଗିରି ମୁନିସିପାଲିଟିର ୩ ନମ୍ବର ୱାର୍ଡବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ବସ୍ତିର ଉଭୟ ପୁରୁଷ ଓ ମହିଳା ଏକତ୍ରିତ ହୋଇ ତମ୍ବୁ ଟାଣି ଅନଶନରେ ବସିଛନ୍ତି ।ବସ୍ତିବାସିନ୍ଦା ପଟ୍ଟା ପାଇଁ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ହେଁ ଏଯାବତ କୌଣସି ସମାଧାନ ହୋଇପାରୁ ନାହିଁ । ଏନେଇ ପୌରପରିଷଦ ନିକଟରେ ଦାବି କରାଯାଇଥିଲେ ମଧ୍ୟ ଏହାକୁ କେହି କର୍ଣ୍ଣପାତ କରିନାହାନ୍ତି । ସୂଚନାନୁସାରେ ଗତ ଫେବୃଆରୀ ମାସରେ ଏନେଇ ଅନୁରୂପ ଦାବିରେ ୬ ଦିନ ଧାରଣା ଦିଆଯାଇଥିଲା ।ଘରଡିହ ପଟ୍ଟା ଦାବିରେ ୱାର୍ଡବାସୀଙ୍କ ଅନଶନପୌର ନିର୍ବାଚନ ପୂର୍ବରୁ ୩ ନମ୍ବର ୱାର୍ଡବାସୀ ଭୋଟ ବର୍ଜନ ଆହ୍ବାନ ଦେବା ପରେ ଉପଜିଲ୍ଲାପାଳ ବସ୍ତିର ଲୋକଙ୍କୁ ବୁଝାସୁଝା କରି କହିଥିଲେ ପୌର ନିର୍ବାଚନ ପରେ ସେମାନଙ୍କ ପଟ୍ଟା ଦେବା ପାଇଁ କର୍ଯ୍ୟ ଆରମ୍ଭ କରାଯିବ । କିନ୍ତୁ ପ୍ରଶାସନ ସେଭଳି କୌଣସି କାମ ଏ ପର୍ଯ୍ୟନ୍ତ କରିନାହିଁ । ଏପରି କି ଚଳିତ ମାସ ୧୧ ତାରିଖରେ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦିଆଯାଇଥିଲା । ସେହି ସମୟରେ ବି ଚଳିତ ୨୧ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୨୨ରୁ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଥିଲେ ୱାର୍ଡବାସି । ତଥାପି କୌଣସି ସମାଧାନ ନହେବାରୁ ଗତ କାଲି ଠାରୁ ୩ ନମ୍ବର ୱାର୍ଡବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସମସ୍ୟାର ସମାଧାନ ନହେବାଯାଏଁ ଏଭଳି ଅନଶନ ଜାରି ରହିବ ବୋଲି କହିଛନ୍ତ ଅନଶନକାରୀ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment