ଖୋର୍ଦ୍ଧା,୦୨/୦୪(ପିପିଟି): ଗ୍ରୀଷ୍ମ ପ୍ରବାହ ବଢିବା ସାଙ୍ଗକୁ ବଢୁଛି ତରଭୁଜର ଚାହିଦା। ଦିନକୁ ଦିନ ଗ୍ରୀଷ୍ମର ପ୍ରବାହ ବଢିବାରେ ଲାଗିଛି। ଟାଣ ଖରା ଦାଉରୁ ଆଶ୍ବସ୍ଥି ପାଇବା ପାଇଁ ଖରାଦିନେ ପଥିକ ମାନଙ୍କର ଥଣ୍ଡାଜାତୀୟ ଖାଦ୍ୟ ପ୍ରଥମ ପସନ୍ଦ ହୋଇଥାଏ । ଆଉ ସେଥିମଧ୍ୟରୁ ତରଭୁଜ ଅନ୍ୟତମ । ଗରମ ଦାଉରୁ ରକ୍ଷା ପାଇବା ପାଇଁ ତରଭୁଜ ଖଣ୍ଡେ ଖାଇଦେଲେ ଭୋକ ଶୋଷ ସବୁ ମେଣ୍ଟିଯାଏ । ଏଥିପାଇଁ ବର୍ତ୍ତମାନ ଖରା ବଢିବା ସାଙ୍ଗକୁ ବଢୁଛି ଦେଶୀ ତରଭୁଜର ଚାହିଦା ଯାହାକି ଏହି ତରଭୂଜ ଶରୀର ପାଇଁ ଲାଭଦାୟକ। ଯାହାକି ଏହି ଖରା ଦିନେ ଶରୀର କୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ ଏବଂ ଡିହାଇଡ୍ରେସନକୁ ସହଜରେ ରୋକିଥାଏ ବୋଲି ଆୟୁର୍ବେଦ ଚିକିତ୍ସକ ମାନେ କହିଥାନ୍ତି।
ଖୋର୍ଦ୍ଧା-ନୟାଗଡ଼ ଯାଇଥିବା ୫୭ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ତରଭୁଜ ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ । ତରଭୁଜ କୁ ଫାଳ ଫାଳ କରି ଟିକେ କଳାଲୁଣ ଛିଞ୍ଚିଦେଇ ବାଟୋଇକୁ ଅତି ଆନନ୍ଦରେ ପରସି ଦେଉଛନ୍ତି ଦୋକାନୀ । ଗନ୍ତବ୍ୟସ୍ଥଳକୁ ଯିବା ପୂର୍ବରୁ ପଥିକମାନେ ଟିକେ ଅଟକି ଯାଇ ଖାଇଥାନ୍ତି ଏହି ତରଭୂଜ।
ବର୍ତ୍ତମାନର କେମିକାଲ କୋଲ୍ଡ୍ ଡ୍ରିଙ୍କ୍ସ ଠୁ ବେଶ ଭଲ ତରଭୁଜ । ଖରାଦିନିଆ ହେଲ୍ଦି ଫୁଡ୍ ସହ ପାନୀୟ ଭାବେ ସମସ୍ତଙ୍କ ପ୍ରଥମ ପସନ୍ଦ ତରଭୁଜ। ଏବେ ଖରା ବଢିବାରୁ ଏହାର ଚାହିଦା ମଧ୍ୟ ବଢିଯାଇଛି । ଏଥର ବହୁ ପରିମାଣର ତରଭୁଜ ଅମଳ ହେଇଥିବା କଥା ବ୍ୟବସାୟୀ କହିଛନ୍ତି ଏବଂ ଭଲ ଦୁଇ ପଇସା ବେପାର ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ। କାରଣ ଏହି ତରଭୂଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହିତ ଜଳୀୟାଂଶ ଅଭାବକୁ ଦୂର କରିଥାଏ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।