ଯାଜପୁର,୧୧/୦୩(ପିପିଟି): ଯାଜପୁର ମୁନିସିପାଲିଟି ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗ୍ରୀଷ୍ମ ପ୍ରବାହ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲା ଶିକ୍ଷlଧିକାରୀ କୃତିବାସ ବାରିକ ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ତଥା ମାର୍ଗଦର୍ଶକ ରୂପେ ଯାଜପୁର ଜିଲ୍ଲାର ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅଶୋକ କୁମାର ବେହେରା ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟାଳୟ ଓ କଲେଜରେ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ, ସେଥିପାଇଁ ବହୁତ ଗୁଡିଏ ସଚେତନ ବାର୍ତ୍ତା ଉପସ୍ଥାପନା କରିଥିଲେ । ତତସହିତ କୋରେଇ ବ୍ଲକର ବିଇଓ ସୁଦର୍ଶନ ମଲ୍ଲିକ, ବରୀ ବ୍ଲକର ବିଇଓ ଜଳଧର ଖଟୁଆ,ବିରଜା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ମଲ୍ଲିକ ଆଦି ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । କୃତିବାସ ବାରିକ ମହୋଦୟ ରାଜ୍ୟ ସରକାର ତଥା ଜିଲ୍ଲା କାର୍ଯ୍ୟାଳୟ ଦ୍ଵାରା ପ୍ରଦତ୍ତ ବିଭିନ୍ନ ବିଭାଗର ସହଯୋଗ ଦ୍ଵାରା ଗ୍ରୀଷ୍ମ ପ୍ରବାହରୁ ଆମେ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ କିପରି ସୁରକ୍ଷା ପାଇବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି ଉକ୍ତ ବୈଠକକୁ ସୁଚାରୁରୂପେ ସଂଯୋଜନା କରିଥିଲେ । ଏହି ବୈଠକରେ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକର ମଣ୍ଡଳ ଶିକ୍ଷା ଅଧିକାରୀ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ,ପ୍ରତି ବ୍ଲକର ନୋଡାଲ ପ୍ରଧାନ ଶିକ୍ଷକ, ଯାଜପୁର ମୁନିସିପାଲିଟି ଅନର୍ଗତ ସମସ୍ତ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଯୋଗଦାନ କରିଥିଲେ । ଏହି ବୈଠକକୁ ସୁଚାରୁ ରୂପେ ସଫଳ କରାଇବାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଅନିତା ନାୟକ, ସହକାରୀ ଶିକ୍ଷକ ମାୟାଧର ବେହେରାଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସମ୍ପୂର୍ଣ ସହଯୋଗ କରିଥିଲେ ।