ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ।

ମାଲକାନଗିରି,୧୪/୦୩(ପିପିଟି): ଆଜି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତରଫରୁ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମାଧ୍ୟମରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ବିଶାଲ ସିଂ ଅଧ୍ୟକ୍ଷତା କରି ଅଧିକାରୀମାନଙ୍କୁ କ୍ଷେତ୍ର ପରି ଭ୍ରମଣ କରି ଦାୟିତ୍ଵ ନିର୍ବାହ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାନୀୟ ଜଳ ନିମନ୍ତେ କଳା ସିଣ୍ଟେକ୍ସ ବଦଳରେ ଧଳା ରଙ୍ଗର ସିଣ୍ଟେକ୍ସରେ ଜଳ ଅପେକ୍ଷାକୃତ ଥଣ୍ଡା ରହିବା ଯୋଗୁଁ ତାକୁ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନଳକୂପ ନିକଟରେ ଗର୍ତ୍ତ ଖୋଳି ଅବ୍ୟବହୃତ ଜଳକୁ ପଶୁପକ୍ଷୀଙ୍କ ପାନୀୟ ନିମନ୍ତେ ବ୍ୟବସ୍ଥା କରିବେ। ପ୍ରତ୍ୟେକ ବ୍ଲକ ପାଇଁ ଜଣେ ଜଣେ ଅଧିକାରୀଙ୍କୁ ନିୟୋଜିତ କରି କାର୍ଯ୍ୟ ନିର୍ବାହ କରିବେ । ସଂପୃକ୍ତ ବ୍ଲକ ନିମନ୍ତେ ନିୟୋଜିତ ଅଧିକାରୀ ଉତ୍ତରଦାୟୀ ରହିବେ । ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି। ଜନସାଧାରଣ ଟୋଲ ଫ୍ରି ନମ୍ବର ୧୦୭୭ ଏବଂ ଲ୍ୟାଣ୍ଡ ଫୋନ୍ ନମ୍ବର ୦୬୮୬୧-୨୩୧୩୭୧ ରେ ଯୋଗାଯୋଗ କରି ସହାୟତା ନେଇପାରିବେ। ସେହିପରି ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତରେ ମଧ୍ୟ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରି ୪୮ ଘଣ୍ଟା ମଧ୍ୟରେ ଅଭିଯୋଗକୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନାଗ୍ନିକୁ ରୋକିବା ପାଇଁ ଅଗ୍ନିଶମ ଓ ଅରଣ୍ୟ ବିଭାଗ ସମନ୍ଵୟ ରକ୍ଷା କରି ପଦକ୍ଷେପ ନେବେ । ଲୋକଙ୍କ ସଚେତନତା ନିମନ୍ତେ ପଞ୍ଚାୟତ , ରାଜସ୍ୱ ନିରୀକ୍ଷକ, ଅଙ୍ଗନୱାଡ଼ି କେନ୍ଦ୍ର, ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଷ୍ଟର ଦ୍ବାରା ସଚେତନ କରିବା ସହ ବିଭିନ୍ନ ସାମାଜିକ ଗଣମାଧ୍ୟମ, ଟିଭି ଓ ଖବର କାଗଜରେ ସଚେତନ କରାଯିବ। ପାନୀୟ ଜଳ ନିମନ୍ତେ ପୂର୍ବରୁ ଭାଙ୍ଗି ପଡିଥିବା ନଳକୂପ, ଗ୍ରାମ୍ୟ ଜଳ ଯୋଗାଣ ପାଇପଗୁଡିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ନିମନ୍ତେ ବିଡ଼ିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ ଓ ସହରାଞ୍ଚଳ,ବଜାର, ହାଟ,ଛକ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ଜଳ ଛତ୍ରର ବ୍ୟବସ୍ଥା କରିବାକୁ କୁହାଯାଇଛି। ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲା, ଉପଖଣ୍ଡ ଚିକିତ୍ସାଳୟ ,ପିଏଚସି, ସିଏଚସି ଗୁଡିକରେ ସମସ୍ତ ପ୍ରକାର ବ୍ୟବସ୍ଥା ସହ ସଜାଗ ରହିବେ । ଓଆରଏସ, ସଲାଇନ, ଲାଇଭ ସେଭିଂ ଡ୍ରଗ, ୧୦୮ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଶ୍ରମିକମାନଙ୍କୁ ଦିନ ୧୧ଟାରୁ ୩ ଟା ୩୦ ମିନିଟ ମଧ୍ୟରେ ପରିଶ୍ରମ କରିବା ପାଇଁ ବାରଣ କରାଯାଇଛି। କାର୍ଯ୍ୟ କରୁଥିବା ସ୍ଥାନଗୁଡ଼ିକରେ ପାନୀୟ ଜଳ, ଓଆରଏସ ଆଦି ମହଜୁଦ ରଖିବେ। ଯଦି କୌଣସି ଠିକାଦାର ନିୟମ ଉଲ୍ଲଙ୍ଘନ କରି ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରନ୍ତି ଆଇନ ଅନୁଯାୟୀ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ। ସରକାରୀ ଓ ଘରୋଇ ବସରେ ସଚେତନତା ବାର୍ତ୍ତା ସହ ପାନୀୟ ଜଳ,ଫାଷ୍ଟ ଏଡ୍ ବାକ୍ସ, ଓଆରଏସ ରଖିବା ସହ ଯାତ୍ରୀଙ୍କ ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ କୁହାଯାଇଛି। ଗୃହପାଳିତ ପଶୁମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିବା ସହ ଗ୍ରାମାଞ୍ଚଳରେ ମୋବାଇଲ ଭ୍ୟାନ ସେବା ଯୋଗାଇଦେବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ କାଟ କୁ ଦୃଷ୍ଟିରେ ରଖି ଜରୁରୀ ପରିସ୍ଥିତିରେ ଜନସାଧାରଣଙ୍କୁ ପୂର୍ବ ସୂଚନା ଦେଇ କାର୍ଯ୍ୟ କରିବେ । ଏହାଛଡା ସାମାଜିକ ସୁରକ୍ଷା ଯୋଜନା ଅଧିନରେ ଚାଉଳ ଓ ପେନସନ ବଣ୍ଟନ ସକାଳ ୯ ଟା ପୂର୍ବରୁ ପ୍ରଦାନ କରିବେ। ବିଦ୍ୟାଳୟ , ମହାବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ସହ ଓଆରଏସ ବ୍ୟବସ୍ଥା ସହ ବାହାର କାର୍ଯ୍ୟକ୍ରମ ବନ୍ଦ ରଖିବା ପାଇଁ କୁହାଯାଇଛି । ଏ ନେଇ ଅଭିଭାବକମାନଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକତାକୁ ଦେଖି ଜଳସମ୍ପଦ ବିଭାଗକୁ ଜଳ ଭଣ୍ଡାର ରୁ କେନାଲ ମାଧ୍ୟମରେ ଜଳ ଯୋଗାଣ ନିମନ୍ତେ କୁହାଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ରତ୍ନାକର ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment