କୋଦଳା,୨୪/୦୫(ପିପିଟି); ଅସହାୟ ମୃତ ଗୌରହରୀ ସ୍ୱାଇଁଙ୍କ ପରିବାରକୁ ସହାୟତାର ହାତବଢ଼ାଇଲା କୋଦଳା ତହସିଲ । ସୋମବାର ତହସିଲଦାର ଅବନୀ କୁମାର ସାହୁଙ୍କ ସମେତ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ରାଜସ୍ବ ନିରୀକ୍ଷକ ଶେଖର ଚନ୍ଦ୍ର ସେଠି ଦୁବାଇ ରେ ମୃତ୍ୟୁ ବରଣ କରିଥିବା ଗୌରହରୀ ସ୍ବାଇଁଙ୍କ ପରିବାର ନିକଟକୁ ଯାଇ ସେମାନଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରି ସରକାରଙ୍କ ନିୟମ ଅନୁଯାଇ ପ୍ରାଥମିକ ପର୍ଯ୍ୟାୟ ରେ ରେଡ଼କ୍ରସ ପାଣ୍ଠିରୁ ୧୦,୦୦୦(ଦଶ ହଜାର )ଟଙ୍କା ଆର୍ଥିକ ସାହାୟତା ପ୍ରଦାନ କରିଥିଲେ ଏବଂ ସରକାରଙ୍କ ନିୟମ ଅନୁଯାଇ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ତହସିଲଦାର କହିଥିବା ଜଣାପଡ଼ିଛି । ଏହି ସହାୟତା ସମୟରେ ମର୍ଦ୍ଦମେଖ ପଞ୍ଚାୟତ ସରପଞ୍ଚ ହୃଷିକେଶ ମେହେଣା ଓ ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ ।ପ୍ରକାଶ ଥାଉ କି ବେଗୁନିଆପଡା ବ୍ଲକ ମର୍ଦ୍ଦମେଖ ପଞ୍ଚାୟତ ଗୁଡ଼ିଆଳି ଗ୍ରାମର ଗୌରହରୀ ସ୍ୱାଇଁ ନିଜର ପରିବାର ପେଟପୋଷିବା ପାଇଁ ଏକ ଠିକାଦାର ମାଧ୍ୟମ ରେ ଦୁବାଇ କାମ କରିବାକୁ ଯାଇ ଶେଷରେ ମୃତ୍ୟୁ ବରଣ କଲେ । ସେ ଦୀର୍ଘ ୫ବର୍ଷ ହେବ ବିଦେଶରେ ରହି ଶ୍ରମିକ କାର୍ଯ୍ୟ କରି ପରିବାର ନିକଟକୁ ଟଙ୍କା ପଠାଉଥିଲେ । ଯାହା ଫଳରେ ପିଲାମାନେ ପାଠ ପଢିବା ସହିତ ପରିବାର ଚଳୁଥିଲେ ୪/୫ ମାସ ପୂର୍ବରୁ ନିଜର ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ଗ୍ରାମକୁ ଆସି ସ୍ୱାସ୍ଥ୍ୟ ଠିକ ପରେ ପୁଣି ଦୁବାଇ ଫେରିଥିଲେ । ହଠାତ ପୁଣି ସ୍ୱାସ୍ଥ୍ୟ ଖରାପ ହେବାରୁ ଶେଷରେ ସେହିଠାରେ ହିଁ ମୃତ୍ୟୁବରଣ କରିଥିଲେ । କିନ୍ତୁ ମୃତ ଶରୀର କୁ ନିଜ ଜନ୍ମ ମାଟିକୁ ଆଣିବା ପାଇଁ ବିଧାୟିକା ଓ ପଞ୍ଚାୟତ ପ୍ରତିନିଧିଙ୍କୁ ପରିବାର ଲୋକେ ଜଣାଇବା ପରେ ବିଧାୟିକା ଲତିକା ପ୍ରଧାନଙ୍କ ପ୍ରତ୍ୟେକ୍ଷ ଚେଷ୍ଟା ଓ ଓଡିଶା ମୋ ପରିବାର ର ସହାୟତାରେ ଦୀର୍ଘ ୧୬ଦିନ ର ବ୍ୟବଧାନରେ ଗତ ୨୧ତାରିଖ ଦିନ ଗୌରହରୀଙ୍କ ମୃତ ଶରୀର ନିଜ ଜନ୍ମ ମାଟିକୁ ଆସିଥିଲା ଏବଂ ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାମ ସ୍ମଶାନରେ ଶବ ଦାହ କରାଯାଇଥିଲା । ବର୍ତ୍ତମାନ ଏକମାତ୍ର ରୋଜଗାର କ୍ଷମ ପୁତ୍ର ଗୌରହରୀର ମୃତ୍ୟୁ ପରେ ପରିବାର ସଦସ୍ୟ ସ୍ତ୍ରୀ ଜୟନ୍ତୀ ସ୍ୱାଇଁ ବୃଦ୍ଧା ମା,ଭଉଣୀ,୧୫ ବର୍ଷ ଗୋଟିଏ ଝିଅ,୧୨ ବର୍ଷ ଗୋଟିଏ ପୁଅ କେମିତି ପାଠ ପଢିବେ,କେମିତି ଚଳିବେ ଓ ପରିବାର ପ୍ରତିପୋଷଣ କରିବେ ସେଥିପାଇଁ ଚିନ୍ତିତ ଏବଂ ଆମ୍ଭ ପରିବାରକୁ ସହଯୋଗ କରନ୍ତୁ ବୋଲି ସେମାନେ ତହସିଲଦାରଙ୍କୁ ଅନୁରୋଧ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )