ମାଲକାନଗିରି,ତା:୨୩/୦୫(ପିପିଟି); ଆଜି ସକାଳେ ଗୌଡଗୁଡା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।ଯାହାକି ଏ ଅଞ୍ଚଳରେ ଏକ ଶୋକର ଛାୟା ଖେଳି ଯାଇଛି । ବେପରୁଆ ଗଡି ଚାଳନ ଯୋଗୁଁ ଦୈନନ୍ଦିନ ଛୋଟ ମୋଟ ଦୁର୍ଘଟଣା ଘଟି ଅମୂଲ୍ଯ ଜୀବନ ଅକାଳରେ ଝରି ପଡୁଛି । ମାଲକାନଗିରି ସଦର ମହକୁମା ନିକଟସ୍ଥ ଗୌଡଗଡା ଛକ ଠାରେ ଆଜି ସକାଳେ ଏକ ଧାନ ଟ୍ରକ ଏବଂ ମୋଟର ସାଇକଲ ମଧ୍ଯରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ମାମୁ ଓ ଭଣଜା ଦୁହିଁଙ୍କର ମୃତ୍ୟୁ ଘଟିଥିବା ବେଳେ ଭଉଣି ଏବେ ମେଡିକଲରେ ମୃତ୍ୟ ସହ ସଂଘର୍ଷ କରୁଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଯେ ଏମଭି-୯ ଗ୍ରାମର ମିଥୁନ ବିଶ୍ବାସ (୨୬) ବର୍ଷ, ନିଜ ଭଉଣି ସୁଚିତ୍ରାକୁ ଏମଭି-୦୧ ଗ୍ରାମରେ ବିବାହ ଦେଇଥିବା ବେଳେ ଆଜି ସକାଳେ ଭଉଣି ଏବଂ ୩ ବର୍ଷର ଭଣଜା ପୀୟୂଷକୁ ଏକ ମୋଟର ସାଇକଲରେ ବସାଇ ନିଜ ଗ୍ରାମ ଏମଭି-୯ ଅଭିମୁଖେ ଆସୁଥିଲା । ଠିକ ଗୌଡଗୁଡା ଛକ ନିକଟରେ ମୋଟର ସାଇକେଲ (ନଂ:ଓଡି-୧୦-ଏନ୍-୬୯୩୩) ବୁଲାଣି ରାସ୍ତା ପାର ହେଉଥିବା ସମୟରେ ବାଲିମେଳା ଜାତୀୟ ରାଜ ପଥ ଦେଇ ଏକ ଧାନ ବୋଝେଇ ଟ୍ରକ(ନଂ-ସିଜି ୧୭ କେଆର ୬୨୭୮) ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଜୋର ଧକ୍କା ଯୋଗୁଁ ମୋଟର ସାଇକଲଟି କିଛି ଦୂରକୁ ଛିଟିକି ପଡିଥିଲା । ମାମୁ ମିଥୁନଙ୍କ ଘଟଣା ସ୍ଥଳରେ ହିଁ ପ୍ରାଣ ବାୟୁ ଉଡି ଯାଇଥିଲା ।ଖବର ପାଇ ୧୦୮ ଆମ୍ବୁଲାନ୍ସ ସଂଜ୍ଞା ହିନ ଅବସ୍ଥାରେ ପଡିଥିବା ଭଉଣି ସୁଚିତ୍ରା ଏବଂ ଭଣଜା ପୀୟୂଷକୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୩ ବର୍ଷର ବାଳକ ପିୟୁଷର ମେଡିକଲରେ ଦେହାନ୍ତ ଘଟିଛି । ସୁଚିତ୍ରା ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣା ପଡିଛି । ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଚାଲୁ ରଖିଛି ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)