ଗୋ ସୁରକ୍ଷା ନାଁରେ ଦଳିତ ଓ ଆଦିବାସୀଙ୍କ ଉପରେ ଆକ୍ରମଣ ବିରୁଦ୍ଧରେ ବିଶାଳ ଦଳିତ ସମାବେଶ ।

ବ୍ରହ୍ମପୁର,୦୧/୦୭(ପିପିଟି):ଧରାକୋଟରେ ତଥାକଥିତ ଗୋରକ୍ଷକମାନଙ୍କ ଦ୍ଵାରା ଦଳିତମାନଙ୍କ ଉପରେ ବର୍ବର ଅତ୍ୟାଚାର ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ଠାରେ ଦଳିତ ମାନଙ୍କ ଏକ ବିଶାଳ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି ଗଣଧାରଣାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକରୁ ଦଳିତ ସଂଗଠନ, ଓଡ଼ିଶା ଦଳିତ ମହାସଭାର ସମର୍ଥକମାନଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନେତୃବୃନ୍ଦ ମଧ୍ୟ ଯୋଗ ଦେଇଥିଲେ ।

ମହାସଭାର ଆବାହକ ସଂଗ୍ରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗଣଧାରଣାରେ ମୂଳନିବାସୀ ସମତା ପରିଷଦର‌ ଅଭିରାମ ମଲ୍ଲିକ, ସିପିଆଇ (ଏମ-ଏଲ) ନିଉ ଡେମୋକ୍ରାସୀର ମୁଖପାତ୍ର ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆମ୍ବେଦକର ଲୋହିଆ ବିଚାର ମଞ୍ଚର ଆବାହକ ସଂଗ୍ରାମ ମଲ୍ଲିକ, ସିପିଏମ ଜିଲ୍ଲା ସମ୍ପାଦକ ଯୁଦ୍ଧିଷ୍ଠିର ବେହେରା, ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର, ଅଲ୍ ଓଡ଼ିଶା ଏସସି ଫେଡେରେସନ ସଭାପତି ଧନଞ୍ଜୟ ଦୀପ, ଦଳିତ ନେତା ବିଜୟ ସେଠୀ, ଆମ୍ବେଦକର ଫାଉଣ୍ଡେସନର ପ୍ରଦ୍ୟୁମ୍ନ ନାୟକ, ଅନୁଗୋଳର ଦଳିତ ନେତା ଚିତ୍ତରଞ୍ଜନ ଗୌତମ,ଦଳିତ ମହିଳା ନେତ୍ରୀ ବନିତା ସାମଲ,ଧର୍ମେନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ,ରାଜେନ୍ଦ୍ର କୁମାର ବେହେରା, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଲେଖିକା ଡ଼ଃ ବିଧୂପ୍ରଭା ରଥ, ମାନବବାଦୀ ହେତୁବାଦୀ ସଂଗଠନର ସମ୍ପାଦକ କେ ନାନ୍ଦେଶୁ ସେନାପତି, ଆପ୍ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, କୃଷକ ନେତା ବୃନ୍ଦାବନ ଖଟେଇ, ଦଳିତ ନେତା ରାଜୁ ପାଣି ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ବକ୍ତାମାନେ ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଡବଲ ଇଞ୍ଜିନ ସରକାରକୁ ଦଳିତ, ଆଦିବାସୀ ଓ ମହିଳା ବିରୋଧି ବୋଲି କହି ସମାଲୋଚନା କରିଥିଲେ । ଗତ ଏକ ବର୍ଷର ଶାସନ କାଳରେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡି ପଡ଼ିଥିବା ବେଳେ ଦଳିତ, ଆଦିବାସୀ ଓ ମହିଳାଙ୍କ ଉପରେ ହିଂସାର ଘଟଣାରେ ଭୟଙ୍କର ବୃଦ୍ଧି ଘଟିଛି ବୋଲି କହିଥିଲେ । ଧରାକୋଟ ଘଟଣାର ଉଲ୍ଲେଖ କରି ସେଠାରେ ସରକାରୀ ଦଳର ବିଚାର ସହ ଏକଜୁଟତା ରଖୁଥିବା ଆର ଏସ ଏସ, ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦର ସାମ୍ପ୍ରଦାୟିକ ଓ ଜାତିବାଦୀ ବିଚାରର ପରିପ୍ରକାଶ ହୋଇଛି ଏବଂ ସେମାନେ ଦଳିତମାନଙ୍କୁ କେଉଁଭଳି ବ୍ୟବହାର କରିପାରନ୍ତି, ତାହା ପ୍ରମାଣିତ ହୋଇଛି ବୋଲି କହିଥିଲେ । ଗୋ ସୁରକ୍ଷା ନାଁରେ ବେଆଇନ ଭାବେ ରାସ୍ତାରେ ଦଳିତ, ଚାଷୀ ଓ ସାଧାରଣ ଲୋକଙ୍କୁ ଆତଙ୍କିତ, ନିର୍ଯ୍ୟାତିତ କରୁଥିବା ସାମ୍ପ୍ରଦାୟିକ ସଂଗଠନଗୁଡ଼ିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଆଇଏଫଟିୟୁ ସଭାପତି ପ୍ରତାପ ପ୍ରଧାନ,ସିଆଇଟିୟୁ ନେତା ପ୍ରତାପ ଚୌଧୁରୀ,ସିପିଆଇ ନେତା ନୀଳକଣ୍ଠ ଦାଶ, କୃଷକ ନେତା ପି ହରି କୃଷ୍ଣ ରେଡ୍ଡୀ,ମହିଳା ନେତ୍ରୀ ଏନ୍ ଭାନୁମତୀ ରେଡ୍ଡୀ,ରାଜେନ୍ଦ୍ର କୁମାର ବେହେରା, ଗୋପାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଦଳିତମାନଙ୍କ ଉପରେ ବର୍ବର ଅତ୍ୟାଚାରର ନିନ୍ଦା କରିଥିଲେ ।

ସଭା ଶେଷରେ ଏକ ପ୍ରତନିଧି ଦଳ ଆରଡିସିଙ୍କ ସଚିବଙ୍କୁ ଭେଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଦାବି ଗୁଡ଼ିକ ମଧ୍ୟରେ ୧) ଧରାକୋଟ ଘଟଣାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଓ ସଂଗଠନ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କର ।
୨) ଦୁଇ ପିଡୀତ ବ୍ୟକ୍ତିଙ୍କୁ ସର୍ବନିମ୍ନ ଦଶ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କର । ୩) ବଜରଙ୍ଗ ଦଳ ଓ ଅନ୍ୟ ଅସାମାଜିକ ଲୋକଙ୍କ ନେତୃତ୍ୱରେ ଗୋ ସୁରକ୍ଷା ନାଁରେ ଚାଲିଥିବା ଆତଙ୍କରାଜ ଓ ବେଆଇନ ଅର୍ଥ ଆଦାୟ ବନ୍ଦ କର । ୪) ଜାତିଗତ ହିଂସା ଓ ସାମାଜିକ ବାସନ୍ଦ ଘଟଣାରେ ସମ୍ବେଦନଶୀଳ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଅ । ୫) ରାଜ୍ୟରେ ଭୂମିହୀନ ଦଳିତଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରଙ୍କ ପକ୍ଷରୁ ବାସଯୋଗ୍ୟ ଓ ଚାଷଯୋଗ୍ୟ ଜମି ବଣ୍ଟନ କରାଯାଉ ଆଦି ରହିଥିଲା ।

Comments (0)
Add Comment