ଗୋଷ୍ଠୀ ଜଙ୍ଗଲ ଅଧିକାର ପଟ୍ଟା ପାଇବାକୁ ଜିଲ୍ଲା ପାଳଙ୍କୁ ଭେଟିଲେ ଜନଜାତି ।

ମାଲକାନଗିରି ,୧୪/୦୪(ପିପିଟି) : କାଲିମେଳା ବ୍ଲକ ସମେତ ଅନ୍ୟାନ୍ୟ ବ୍ଲକର ଜନଜାତି ଗୋଷ୍ଠୀ ଜଙ୍ଗଲ ଅଧିକାର ଜନିତ ପଟ୍ଟା ପାଇବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲାପାଳ ସଚିନ୍ ପାୱାରଙ୍କୁ ଭେଟି ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି । ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜନଜାତି ଗୋଷ୍ଠୀ ଙ୍କ ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ -୨୦୦୬ ଏବଂ ଜଙ୍ଗଲ ଅଧିକାର ସ୍ବୀକୃତି ସଂଶୋଧିତ ନିୟମାବଳୀ ୨୦୧୨ ଜରିଆରେ ଗୋଷ୍ଠୀ ଗତ ପଟ୍ଟା ପାଇବାକୁ ପୂର୍ବରୁ ଆବେଦନ କରାଯାଇଥିଲା । ସଂପୃକ୍ତ ରାଜସ୍ବ ଗ୍ରାମକୁ ଗୋଷ୍ଠୀ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ ପାଇଁ ଜିଲ୍ଲା ସ୍ତରରେ ମଞ୍ଜୁରି କରାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ପଟ୍ଟା ମିଳିପାରିନାହିଁ । ଯାହାଫଳରେ ଜିଲ୍ଲାର ମାଲକାନଗିରି ଏବଂ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ଥାନୀୟ ଜଙ୍ଗଲ ଅଧିକାର କମିଟି ଜଙ୍ଗଲ ଅଧିକାର ଆଇନର ଜିଲ୍ଲା ସ୍ତରୀୟ ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ପୁରୁଷାନୁକ୍ରମେ ଜନଜାତି ଗୋଷ୍ଠୀ ଜଙ୍ଗଲରେ ବସବାସ କରି ଜଙ୍ଗଲ ସମ୍ବଳର ସଂରକ୍ଷଣ, ପରିଚାଳନା, ସ୍ଥାୟୀ ବ୍ୟବହାର, ବନ୍ୟପ୍ରାଣୀ ସୁରକ୍ଷା କରିବା ସହିତ ନିଜେ ଏବଂ ନିଜ ପରିବାରର ଜୀବନ ଜୀବିକାକୁ ସୁଦୃଢ କରିବାକୁ ଗୋଷ୍ଠୀ ଗତ ପଟ୍ଟା ପାଇଁ ଆବେଦନ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ପଟ୍ଟା ନମିଳିବାରୁ କାଲିମେଳା ବ୍ଲକ ସମେତ ପଡ଼ିଆ, ମାଲକାନଗିରି, ମାଥିଲି ଓ ଖଇରପୁଟ ବ୍ଲକର ଜନଜାତି ଙ୍କୁ ଗୋଷ୍ଠୀ ବର୍ତ୍ତମାନ ପଟ୍ଟା ପ୍ରଦାନ କରିବା ଲାଗି ଦାବି ଜୋର ଧରିଛି । ତେବେ ମହାଗ୍ରାମସଭା ସଭାପତି ଈଶ୍ୱର ମାଡକାମି,ପୁନି ମାଡକାମି,ପଦିଆ ମାଡ଼ି,ମୁତା ମାଡ଼ି,ମଧୁ ଶିସା, ଜୟରାମ ଶିସା,ଦମୁ ବଡନାୟକ, ମୁଲିଆ ଶିସା,ବିନୟ ମାଡକାମି ଓ ସୁରେନ୍ଦ୍ର ମନ୍ଦ୍ର ପ୍ରମୁଖଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଜନଜାତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ତୁରନ୍ତ ଜଙ୍ଗଲ ଜମି ପଟ୍ଟା ଦେବା ପାଇଁ ଦୃଢ଼ ଦାବି କରିଛନ୍ତି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment