କଣ୍ଟା ଥିଲେ ଥାଉ ସର୍ବାଙ୍ଗେ ତାହାର
ଗୋଲାପକୁ କାହିଁ ଭଲ ଲାଗେ….
ସେ ଗୋଲାପ ନେଇ ମନ କଥା କହି
ଦେଇଥାଏ ପ୍ରିୟା ହସ୍ତେ ଆଗେ….!!
କାଣ୍ଟା ପୋଡ଼ା ସହି ଯନ୍ତ୍ରଣାକୁ ବହି
ପ୍ରେମ ଅନୁରାଗ ପ୍ରକାଶଇ….
ହସ୍ତରେ ଧର କି ପାଦେ ଦିଅ ଦଳି
ମୁଁ ଯେ ପାଗଳ ତୁମ ପାଇଁ….!!
ଗୋଲାପ ଫୁଲଟି ପ୍ରେମର ପ୍ରତୀକ
ପ୍ରେମର ସମ୍ପର୍କ ହୃଦେ ଯୋଡେ….
ମଉନ ମନର ଭାବନା ବହିଣ
ମନର କଥାକୁ ଦୃଢେ ବାଢେ….!!
ଗୋଲାପ ଫୁଲର ରୂପଟି ଯେପରି
ହସଟି ଗୋଲାପୀ କି ମଧୁର….
ଗୋଲାପ ଫୁଲର ମୁହଁକୁ ଚାହିଁଲେ
ସକଳ ଯାତନା ହୁଏ ଦୂର….!!
ଗୋଲାପରେ ଅଛି ପ୍ରିୟା ଚିତ୍ର ପଟ୍ଟ
ଗୋଲାପୀ ଅଧର ସୁଧା ମୟ….
ଗୋଲାପୀ ଅଧରେ ଚୁମ୍ବନ ଆଙ୍କିଲେ
ଅପାର ଆନନ୍ଦ ସ୍ବର୍ଗମୟ….!!
ମୋ ପ୍ରିୟାର ଗଣ୍ଡ ମଣ୍ଡଳ ଗୋଲାପୀ
ମନ ମୀନ ଟାଣି ରଖେ ମୋର…
ଶୟନେ ସପନେ ପ୍ରତି ପଲକରେ
ଝଲସେ ତା’ ରୂପ ବାରମ୍ବାର…!!
ତା’ ପ୍ରୀତି ପିୟୂଷ ଲଭିବାର ପାଇଁ
ପ୍ରତୀକ୍ଷାରେ ମଗ୍ନ ବାରମାସୀ….
ମଧୁ ପାନ କଲେ ମହୁ ମାଛି ମାଡ
ସହିବାକୁ ପଡେ ହସି ହସି….!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)