ବେଲଗୁଣ୍ଠା, ୨୧/୦୩(ପିପିଟି) : ଆସନ୍ତା ଏପ୍ରିଲ ମାସ ଆଠ ତାରିଖରେ ବେଲଗୁଣ୍ଠା ବ୍ଳକ୍ ଗୋବରା ଗ୍ରାମରେ ଅନୁଷ୍ଠିତ ହେବ ଅଷ୍ଟଶମ୍ଭୁ ମହା ମିଳନ । ଏହି ଅଷ୍ଟ ଶମ୍ଭୁ ମହା ମିଳନ କାର୍ଯ୍ୟକ୍ରମରେ ଭଞ୍ଜନଗର,ଏ.କରଡାବାଡ଼ି,ଡେଙ୍ଗାପଦର , ବେଲଗୁଣ୍ଠ (୦୧),ବେଲଗୁଣ୍ଠା (୦୨),ବଣପଲ୍ଲୀ,ଗୋବରା ଏବଂ ଡ଼ାକରାବାଡ଼ିର ଦଣ୍ଡଦଳ ଅଂଶ୍ରଗହଣ କରିବେ ।ଏନେଇ ଆଜି ଗୋବରା ବୈକୁଣ୍ଠନାଥ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଆଠଟି ଦଣ୍ଡ ପରିଚାଳନା କମିଟି ଏବଂ ଗୋବରା ଅଷ୍ଟଦଣ୍ଡ କମିଟିର ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୋବରା ଅଷ୍ଟଦଣ୍ଡ କମିଟି ତରଫରୁ ପ୍ରସ୍ତୁତ କରାଯାଇଥିବା ସତର ନିୟମ ବିଶିଷ୍ଟ ନିୟମାବଳୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହ ସମସ୍ତ ଦଣ୍ଡ କମିଟିକୁ ପ୍ରଦାନ କରାଯାଇଥିଲା । ନିୟମାବଳୀ ଅନୁସାରେ ସମସ୍ତ ଦଣ୍ଡଦଳ ନିର୍ଦ୍ଧାରିତ ସମୟରେ ଗୋବରାରେ ପହଞ୍ଚି ସମସ୍ତ କାର୍ଯ୍ୟକ୍ରମ ସମାପନ କରିବା ସହିତ ରାତ୍ରିରେ ଭାରତଲୀଳା ପରିବେଷଣ କରିବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କୌଣସି ପ୍ରକାର ଅଶ୍ଳୀଳ ଦୃଶ୍ୟ କିମ୍ବା ଦ୍ୱିଅର୍ଥବୋଧକ ଭାଷାର ପ୍ରୟୋଗ କରାଯିବ ନାହିଁ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଏହା ସହିତ ଲଟେରୀ ମାଧ୍ୟମରେ ଦଣ୍ଡଦଳଙ୍କ ପାଇଁ ରହିବା ସ୍ଥାନ ଏବଂ ନାଚ ପରିବେଷଣ ସ୍ଥାନ ନିରୂପିତ କରାଯାଇଥିଲା । ଏହି ପ୍ରରିପ୍ରେକ୍ଷୀରେ ଉପସ୍ଥିତ ଦଣ୍ଡ କମିଟିମାନେ ମଧ୍ୟ ନିଜର ଆବଶ୍ଯକ ସାମଗ୍ରୀ ତାଲିକାକୁ ଅଷ୍ଟଦଣ୍ଡ କମିଟିକୁ ପ୍ରଦାନ କରିଥିଲେ । ଏହି ଅବସରରେ ଅଷ୍ଟଦଣ୍ଡ କମିଟି ତରଫରୁ ସମସ୍ତ ଦଣ୍ଡ କମିଟିଙ୍କୁ ଉପଢ଼ୌକନ ଏବଂ ନାରିକେଳ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ବୈଠକରେ ଅଷ୍ଟଦଣ୍ଡ କମିଟି ସଭାପତି, ଉପସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା