ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ କାହିଁକି ?

ବ୍ରହ୍ମପୁର,୧୫/୦୮(ପିପିଟି): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ କାହିଁକି ? ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ ହେବା ଓ ଭିଜିଲାନ୍ସ କେସରେ ଜେଲ ଯାଇ ଜାମିନରେ ଆସିଛନ୍ତି। ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଛି। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ବହିଷ୍କୃତ ଘଟଣା ବିଜେଡିର ଦଳୀୟ ମାମଲା। ଯେତେବେଳେ ଶ୍ରୀ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଗଲା ସେତେବେଳ ସୁଚିନ୍ତିତ ଓ ପ୍ରାୟୋଜିତ ଭାବରେ ବାଣଫୁଟାଇ ବିରୋଧ କରାଗଲା। ସେତେବେଳେ ଚର୍ଚ୍ଚା ଶୁଣିବାକୁ ମିଳିଲା ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ମତଭେଦ ପାଇଁ ଏହି ଘଟଣା ଘଟିଲା। ଯାହାବି ହେଉ ବିଧାୟକ ଶ୍ରୀ ପାଣିଗ୍ରାହୀ ଜେଲରୁ ଆସିବା ପରେ ମଧ୍ଯ ତାଙ୍କର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କହିଆସୁଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ବିଧାୟକ ଶ୍ରୀ ପାଣିଗ୍ରାହୀ ନୀରବ ରହିବା ସହିତ ନିର୍ବାଚନ ଠାରୁ ଦୂରେଇ ରହିଥିଲେ। ବିଜେଡି ଗଞ୍ଜାମ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ସଫଳତା ପାଇଥିବା ବେଳେ ପୌର ନିର୍ବାଚନରେ ଟିକିଏ ଝୁଣ୍ଟି ପଡିଛି। ଛତ୍ରପୁର, ରମ୍ଭା, ଗଞ୍ଜାମ,କୋଦଳା, ପୁରୁଷୋତ୍ତମପୁର ଓ ଦିଗପହଣ୍ଡି ଏନ୍ଏସିରେ ବିଜେଡି ହାରିଛି। ଗଞ୍ଜାମ ଜିଲ୍ଲାରେ ବିଜେଡିର ଶକ୍ତିଶାଳୀ ସଂଗଠନ ରହିଛି। ତଥାପି ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀ ଗ୍ରସ୍ତରେ ଆସିଲେ କିଛି ବିଜେଡିର କର୍ମୀ ବିରୋଧ ଜାରୀ ରଖିଛନ୍ତି। ଯେତେବେଳ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଜନତା ଭୋଟ ଦେଇ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବିଧାୟକ ଭାବରେ ନିର୍ବାଚିତ କରିଛନ୍ତି ସେ ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ଯନ୍ତ ବିଧାୟକ ରହିବେ। ଲୋକ ପ୍ରତିନିଧି ଭାବରେ ଜନତାଙ୍କ ସମସ୍ଯା ବୁଝିବାକୁ ପଡିବ। ଗଞ୍ଜାମ ଜିଲ୍ଲାର ପୌର ନିର୍ବାଚନରେ କେତେକ ସ୍ଥାନରେ ବିଧାୟକ ଓ ସାଂସଦଙ୍କ ପସନ୍ଦର ପ୍ରାର୍ଥୀ ଚୌକିରେ ବସିପାରିଲେ ନାହିଁ। ପୂର୍ବରୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ ଓ ପୂର୍ବତନ ସାଂସଦ ସ୍ବର୍ଗତ ହରିହର ସ୍ବାଇଁଙ୍କୁ ବିଜେଡିରୁ ବିଦା କରିବାରେ ପରେ ସେମାନଙ୍କୁ ଘେରାବନ୍ଦୀ କରିବା ଭଳି କାର୍ଯ୍ୟକ୍ରମ କରାଯାଇଥିଲା। ବର୍ତ୍ତମାନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କ୍ଷେତ୍ରରେ ବିରୋଧ କରିବା ଆରମ୍ଭ ହୋଇଛି। କିନ୍ତୁ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଏତେ ବିରୋଧ କାହିଁକି ? ଶ୍ରୀ ପାଣିଗ୍ରାହୀ ରାଜନୈତିକ ଜୀବନରେ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହୋଇ କିଛି ବର୍ଷ ସାଂଗଠନିକ କ୍ଷେତ୍ର ସକ୍ରିୟ ଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସେ ସିଧାସଳଖ ମିଶି ପାରୁଥିଲେ। ବିଜେଡିର ଗଞ୍ଜାମ ଜିଲ୍ଲାର ସଭାପତି ଦାୟିତ୍ବରେ ଥିଲେ। ତାଙ୍କର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଜନ ସଂପର୍କ ଭଲ ରହିଛି। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଯୋଗୁଁ କିଛି ବିଧାୟକ ଟିକେଟ ପାଇ ବିଧାୟକ ହୋଇଛନ୍ତି। ବିଡିଏ ଅଧ୍ଯକ୍ଷ ଠାରୁ ପଞ୍ଚାୟତ ଓ ପୌର ଅଧ୍ଯକ୍ଷ ମଧ୍ଯ ହୋଇଛନ୍ତି। ସୁଯୋଗ ପାଇଥିବା ନେତାମାନେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଦଳ କାର୍ଯ୍ଯାନୁଷ୍ଠାନ ଗ୍ରହଣ କଲା  ବେଳେ ସମସ୍ତେ ନୀରବ ରହିଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ଛାତ୍ର ରାଜନୀତିରୁ ଆସିଥିବା ବେଳେ ବିଜେଡିର ରାଜନୈତିକ ରଣକୌଶଳ ଉପରେ ଧାରଣା ରହିଛି। ପ୍ରଶ୍ନ ଉଠୁଛି ଯଦି ଭବିଷ୍ୟତରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଫେରନ୍ତି ତାହାହେଲେ ବିରୋଧ କରୁଥିବା କର୍ମୀ କଣ କରିବେ ? ଯଦି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ବିଜେଡି ପକ୍ଷରୁ ଜାରୀ ରହେ ତାହାହେଲେ ସେ ଅନ୍ଯ ବିକଳ୍ପ ଚିନ୍ତା କରିବେ। ସେ ହାରନ୍ତୁ କି ବିଜୟୀ ହୁଅନ୍ତୁ ରଜନୀତି ତ ନିଶ୍ଚିତ କରିବେ। ବିଗତ ଦିନରେ ଗଞ୍ଜାମ ଜିଲ୍ଲାର ବିଜେଡିର ବିଧାୟକ ଓ ସାଂସଦ ମାନଙ୍କୁ ଟିକେଟ ଦିଆଯାଇ ନାହିଁ । ଆଗାମୀ ସାଧାରଣ ନିର୍ବାଚନରେ ମଧ୍ଯ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ପୁଣି ଟିକେଟ ପାଇବେ ସେ ଗ୍ଯାରେଣ୍ଟି ନାହିଁ। ଗଞ୍ଜାମ ଜିଲ୍ଲାରେ ବିରୋଧିଦଳ ମାନଙ୍କର ସାଙ୍ଗଠନିକ ସ୍ଥିତି ମଧ୍ଯ ସେତେଟା ଭଲ ନାହିଁ। ଶୁଣିବାକୁ ମିଳୁଛି ବିଜେଡି ଓ ବିଜେପିର ଆଗୁଆ ପ୍ରାର୍ଥି ଚୟନ କରାଯାଇ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗୋପାଳପୁର ନିର୍ବାଚନ ମଣ୍ଡଳୀର କମଳାପୁର ପତକା ଉତ୍ତୋଳନ ଓ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ବିଜେଡିର କିଛି କର୍ମୀ ପୁଲିସର ଉପସ୍ଥିତରେ କଳାପତାକା ଦେଖାଇବା ସହିତ ବିଧାୟକ ସହିତ ଠେଲାପେଲା ହେବାର ନଜରକୁ ଆସିଥିଲା। ଗୋଳାବନ୍ଧ ଓ କରାପଲ୍ଲୀ ଛକରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଜୋରଦାର ସ୍ବାଗତ କରାଯାଥିଲା। ବିଧାୟକ ଶ୍ରୀ ପାଣିଗ୍ରାହୀ ବିଜେଡିକୁ ଫେରିବେ ନା ଅନ୍ଯ ବିକଳ୍ପ ଚିନ୍ତା କରିବେ ଆଗମୀ ସମୟ କହିବ।

Comments (0)
Add Comment