ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ବା ଆଷାଢ ପୁର୍ଣିମା।

ଖୋର୍ଦ୍ଧା,୨୧/୦୭(ପିପିଟି): ଗୁରୁ ପୂର୍ଣ୍ଣିମା ପ୍ରଥା ବହୁ ପୁରାତନ ଯୁଗରୁ ଚାଲିଆସୁଛି ଯାହା କି ବର୍ତ୍ତମାନ ସୁଦ୍ଧା ଆମେ ପାଳନକରି ଆସୁଛେ। ଆଷାଢ଼ ପୂର୍ଣ୍ଣିମା, ଯାହାକୁ ସନାତନ ହିନ୍ଦୁ ସଂସ୍କୃତିରେ ପବିତ୍ର ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ତେବେ ଏହାର ମହତ୍ତ୍ୱ ଓ ଆବଶ୍ୟକତା ବର୍ତ୍ତମାନ ପିଢି ପ୍ରାୟତଃ ଭୁଲିଗଲେଣି। କାରଣ ସେମାନଙ୍କୁ ସେପ୍ଟେମ୍ବର ୫ ରେ ପାଳିତ ଶିକ୍ଷକ ଦିବସ କୁ ଗୁରୁ ଦିବସ ବୋଲି କୁହାଗଲା କିନ୍ତୁ “ଗୁରୁ ପୂର୍ଣ୍ଣିମା” ବୋଲି ଏକ ପବିତ୍ର ଦିବସକୁ ଆମେ ପର୍ବ ଭାବେ ପାଳନ କରୁ ସେ କଥାକୁ ଆଜିଯାଏ ଆମ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇ ପାରିଲା ନାହିଁ । ତେଣୁ ସମୟ ଆସିଛି ଏ ପବିତ୍ର ଦିବସର ମହତ୍ତ୍ୱ ବିଷୟରେ ନିଜେ ଜାଣିବା ସହିତ ଅନ୍ୟମାନଙ୍କୁ ଜଣାଇବାର ।

ଧାର୍ମିକ ବା ପୁରାଣ ମତାନୁସାରେ ସନାତନ ଧର୍ମ ଓ ଶାସ୍ତ୍ରର ମୂଳପିଣ୍ଡ ଚାରି ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ, ବ୍ରହ୍ମସୂତ୍ର ପ୍ରଭୁତି ର ରଚୟିତା “କୃଷ୍ଣ ଦ୍ଵିପାୟନ୍”, ମହର୍ଷି ବ୍ୟାସଦେବଙ୍କ ଜନ୍ମତିଥି । ସେ ମଧ୍ୟ ବେଦାନ୍ତ ଦର୍ଶନ ଓ ଅଦ୍ୱୈତବାଦର ସଂସ୍ଥାପକ । ବେଦମାନଙ୍କର ସଂଗ୍ରହ ଓ ବିଭାଗ କରିଥିବାରୁ ପୁରାଣନୁଯାୟୀ ଭିନ୍ନଭିନ୍ନ କଳ୍ପରେ ପ୍ରତ୍ୟେକ ଯୁଗରେ ଜନ୍ମଗ୍ରହଣ କରି ବେଦମାନଙ୍କର ସଂଗ୍ରହ ଓ ବିଭାଗକାରୀ ମହର୍ଷି ବେଦବ୍ୟାସ ଭାବେ ପରିଚିତ । ଏକ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି କଥିତ । ସେ ହିଁ ପ୍ରଥମେ ସ୍ଵୟଂ ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟି ଚାରି ବେଦର ଅଭେଦ୍ୟ ଜ୍ଞାନକୁ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ସରଳୀ କରଣ କରିଥିଲେ । ସେହି ମହାନ୍ ଗୁରୁଙ୍କ କର କମଳରେ ବେଦର ବିଭାଜନ ଓ ବ୍ୟାଖ୍ୟାନ ହୋଇଥିଲା। ତା ସହିତ ସବୁ ପୁରାଣର ରଚନା କର୍ତ୍ତା ଭାବେ ମଧ୍ୟ ମାନ୍ୟତା ଦିଆଯାଏ।
ସମଗ୍ର ବିଶ୍ବବାସୀଙ୍କ ହିତାର୍ଥେ ଓ ମାନବ କଲ୍ୟାଣାର୍ଥେ ସେ ପ୍ରଥମେ ବେଦର ଜ୍ଞାନ ପ୍ରଦାନ କରିଥିଲେ । “ତାଙ୍କର ଏହି ମହାନ ଯୋଗଦାନ ପାଇଁ ,ତାଙ୍କରି ସ୍ମୃତିରେ ଆଜି ଦିନକୁ ଗୁରୁପୂର୍ଣ୍ଣିମା ଭାବେ ପାଳନ କରାଯାଏ ଓ ତାଙ୍କୁ ପ୍ରଥମ ଗୁରୁ ବା ଆଦି ଗୁରୁର ଉପାଧି ଦିଆଯାଇଛି ।।
ଯେ କୌଣସି କର୍ମ ବା ଧର୍ମ ହେଉ ନା କାହିଁକି ବିନା ଗୁରୁରେ ପୂର୍ଣ୍ଣତା ଆସେ ନାହିଁ। ଗୁରୁ, ମନୁଷ୍ୟର ଅନ୍ତଃର୍ନିହିତ ଗୁଣ ଓ ଶକ୍ତିକୁ ଜାଗରଣ କରି ବ୍ୟକ୍ତି ଜୀବନରେ ଜ୍ଞାନର ଦ୍ବୀପକୁ ପ୍ରଜ୍ବଳିତ କରିଥାନ୍ତି।

ବ୍ୟାସଦେବଙ୍କ ନିମନ୍ତେ ଏହି କଥାକୁ ଭିନ୍ନ ଭାଷାରେ କୁହାଯାଇଛି –
“ବ୍ୟାସାୟ ବିଷ୍ଣୁ ରୂପାୟ, ବ୍ୟାସ ରୂପାୟ ବିଷ୍ଣବେ।
ନମୋ ବୈ ବ୍ରହ୍ମ ବିଧୟେ ବଶିଷ୍ଠାୟ ନମୋନମଃ !!
ଅଚ୍ୟୁତର୍ବଦ ବ୍ରହ୍ମା ଦ୍ୱିର୍ବାହାରୁ ପରେ ହରିଃ !
ଆଭାଲ ଲୋଚନଃ ଶମ୍ଭୁ ଭଗବାନ ବାଦରାୟାଣଃ”

ପୃଥିବୀ ମାତା ଓ ଜନ୍ମଦାତ୍ରୀ ଏହି କ୍ରମରେ ପ୍ରଥମ ଗୁରୁ ପଦବାଚ୍ଯ ।ଗାଡି ଚଳେଇବା ହେଉ, କମ୍ପ୍ୟୁଟର ଚଳେଇବା ବା ଯେକୌଣସି ବିଦ୍ୟା ହେଉନା କାହିଁକି ଯାହାଠାରୁ ଶିଖୁ ଥାଉ ଆମେ ଗୁରୁବୋଲି ଗ୍ରହଣ କରିଥାଉ। କିନ୍ତୁ ବର୍ତ୍ତମାନ ଆଧୁନିକତାର ଦ୍ବାହି ଦେଇ ଯୁବପିଢି ଏହି ପ୍ରଥା ଏବଂ ଗୁରୁ ପୂଜନ ପରମ୍ପରାକୁ ବିଶେଷ ପାଳନ ନକରି ଭୁଲିଗଲେଣି। ତଥାପି ଏହି ପ୍ରଥା ଜାରି ରଖିଲେ ଆସନ୍ତା ପିଢି ଆଗକୁଯିବେ ଏଥିରେ କୌଣସି ସନ୍ଦେହ ନାହିଁ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment