ବୋଲଗଡ ,୧୭/୦୮(ପିପିଟି): ଶିକ୍ଷା ବ୍ୟବସ୍ଥାରେ ଗୁରୁ-ଶିଷ୍ୟ ପରମ୍ପରାର ଗୁରୁତ୍ୱ ଏବଂ ଶିଶୁମାନଙ୍କ ପ୍ରତି ସମାଜର ଦାୟିତ୍ୱକୁ ସ୍ମରଣ କରାଇବାରେ ‘ଗୁରୁଦିବସ’ ଓ ‘ଶିଶୁଦିବସ’ର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ତେବେ ଚଳିତ ଶିକ୍ଷାବର୍ଷରେ ସେପ୍ଟେମ୍ବର ୫ ତାରିଖର ‘ଗୁରୁଦିବସ’ ଏବଂ ନଭେମ୍ବର ୧୪ ତାରିଖର ‘ଶିଶୁଦିବସ’କୁ ପାଳନୀୟ ଦିବସ ତାଲିକାରୁ ବାଦ ଦିଆଯାଇଥିବା ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଦୁଇ ଦିବସକୁ ପୁନର୍ବାର ପାଳନୀୟ ଦିବସ ତାଲିକାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଛି ପ୍ରାଥମିକ ଶିକ୍ଷକ ସଂଘ।
ପ୍ରାଥମିକ ଶିକ୍ଷକ ସଂଘ, ଖୋର୍ଦ୍ଧା ବ୍ଲକ ସଭାପତି ଯୁଧିଷ୍ଠିର ସାହୁ ଏବଂ ଜଟଣୀ ବ୍ଲକ ସଭାପତି ଜିତ ରଞ୍ଜନ ମହାପାତ୍ର ଏହି ନିଷ୍ପତ୍ତିକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ସରକାର ଏହାର ପୁନଃବିଚାର କରନ୍ତୁ ବୋଲି ଅନୁରୋଧ କରିଛନ୍ତି। ସେମାନଙ୍କ ମତରେ, ବର୍ଷ ବର୍ଷ ଧରି ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁରୁଦିବସ ଓ ଶିଶୁଦିବସ ଶିକ୍ଷା କ୍ୟାଲେଣ୍ଡରର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ପାଳିତ ହୋଇଆସୁଥିଲା। ଏହି ଦୁଇ ଦିବସକୁ ତାଲିକାରୁ ବାଦ ଦେବା ନିଷ୍ପତ୍ତି ଶିକ୍ଷକ ସମାଜ ପାଇଁ ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି।
ସଂଘ ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ୧୫ର ସ୍ୱାଧୀନତା ଦିବସ, ଜାନୁଆରୀ ୨୬ର ସାଧାରଣତନ୍ତ୍ର ଦିବସ, ସରସ୍ୱତୀ ପୂଜା, ଗଣେଶ ପୂଜା ଆଦି ବିଭିନ୍ନ ଦିବସ ଓ ପର୍ବପର୍ବାଣୀକୁ ଶିକ୍ଷା କ୍ୟାଲେଣ୍ଡରରେ ସ୍ଥାନ ଦେଇ ଶିକ୍ଷାନୁଷ୍ଠାନରେ ପାଳନ କରାଯାଉଛି। ସେହିପରି ଗୁରୁଦିବସ ଓ ଶିଶୁଦିବସ ମଧ୍ୟ ଶିକ୍ଷାଜଗତ ସହ ଅତ୍ୟନ୍ତ ନିବିଡ଼ ଭାବେ ସମ୍ପୃକ୍ତ ଦିବସ। ଏହି ଦୁଇ ଦିବସକୁ ପାଳନୀୟ ଦିବସ ତାଲିକାରୁ ବାଦ ଦେବା ଦ୍ୱାରା ଶିକ୍ଷାନୁଷ୍ଠାନରେ ଏହାର ପାଳନ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ଏହା ସହ ଜଡ଼ିତ ମୂଲ୍ୟବୋଧର ପ୍ରଚାର-ପ୍ରସାର ପ୍ରଭାବିତ ହେବାର ଆଶଙ୍କା ରହିଛି।
ସଂଘ ନେତୃବୃନ୍ଦଙ୍କ ମତରେ, ‘ଗୁରୁଦିବସ’ କେବଳ ଜଣେ ଶିକ୍ଷକଙ୍କୁ ସମ୍ମାନ ଜଣାଇବାର ଦିନ ନୁହେଁ। ଏହା ଭାରତୀୟ ଗୁରୁ-ଶିଷ୍ୟ ପରମ୍ପରା, ଶିକ୍ଷାର ମହତ୍ତ୍ୱ ଓ ଜ୍ଞାନଦାତାଙ୍କ ପ୍ରତି ଶ୍ରଦ୍ଧାର ପ୍ରତୀକ। ସେହିପରି ‘ଶିଶୁଦିବସ’ ଶିଶୁମାନଙ୍କ ଅଧିକାର, ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶ ସମ୍ପର୍କରେ ସମାଜକୁ ସଚେତନ କରିବାର ଏକ ଅବସର। ତେଣୁ ଏହି ଦୁଇ ଦିବସର ପାଳନକୁ ଶିକ୍ଷା କ୍ୟାଲେଣ୍ଡରରୁ ଦୂରେଇ ଦେବା ଉଚିତ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି। ବିଶେଷକରି ବିଦ୍ୟାଳୟ ସ୍ତରରେ ଗୁରୁଦିବସ ଓ ଶିଶୁଦିବସ ପାଳନ ମାଧ୍ୟମରେ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ଭାବନାତ୍ମକ ସମ୍ପର୍କ ଅଧିକ ଦୃଢ଼ ହୋଇଥାଏ। ଶିକ୍ଷାର୍ଥୀମାନେ ନିଜ ଶିକ୍ଷକଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ପ୍ରକାଶ କରିବାର ସୁଯୋଗ ପାଇଥାନ୍ତି। ଅନ୍ୟପକ୍ଷରେ ଶିଶୁଦିବସ ପାଳନ ସମୟରେ ଶିଶୁମାନଙ୍କ ପ୍ରତି ଶିକ୍ଷକ, ଅଭିଭାବକ ଓ ସମାଜର କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା ହୋଇଥାଏ। ଏହି ପରମ୍ପରା ଶିକ୍ଷାର୍ଥୀଙ୍କ ମାନସିକ ବିକାଶ ସହ ସାମାଜିକ ମୂଲ୍ୟବୋଧ ଗଢ଼ି ତୋଳିବାରେ ମଧ୍ୟ ସହାୟକ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଦୁଇ ଦିବସକୁ ପାଳନୀୟ ଦିବସ ତାଲିକାରୁ ବାଦ ଦିଆଯିବାକୁ ସଂଘ ପକ୍ଷରୁ ଏକ ନକାରାତ୍ମକ ସଙ୍କେତ ଭାବେ ଦେଖାଯାଇଛି। ଏହା ଦ୍ୱାରା ସମାଜରେ ରହିଥିବା ଗୁରୁ-ଶିଷ୍ୟ ପରମ୍ପରାର ଭାବାବେଗ ଉପରେ କୁଠାରାଘାତ ହେଉଥିବା ଭଳି ଅନୁଭବ ହେଉଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରି ନିଷ୍ପତ୍ତି ଶିକ୍ଷା ବିଭାଗର ଇତିହାସରେ ଏକ ଅନାକାଙ୍କ୍ଷିତ ଅଧ୍ୟାୟ ସୃଷ୍ଟି କରିବ ବୋଲି ଖୋର୍ଦ୍ଧା ବ୍ଲକ ସଭାପତି ଯୁଧିଷ୍ଠିର ସାହୁ ମତ ପ୍ରକାଶ କରିଛନ୍ତି।
ସଂଘ ନେତାମାନେ କହିଛନ୍ତି ଯେ, ଶିକ୍ଷା କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷାକେନ୍ଦ୍ରିକ ହୋଇପାରେ ନାହିଁ। ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ, ଶିକ୍ଷକଙ୍କ ପ୍ରତି ସମ୍ମାନ, ମାନବିକତା, ସାମାଜିକ ଦାୟିତ୍ୱ ଓ ନୈତିକ ମୂଲ୍ୟବୋଧ ଗଢ଼ି ତୋଳିବା ମଧ୍ୟ ଶିକ୍ଷାର ଅଂଶ। ବିଭିନ୍ନ ସ୍ମରଣୀୟ ଦିବସ ପାଳନ ମାଧ୍ୟମରେ ଏହି ମୂଲ୍ୟବୋଧଗୁଡ଼ିକୁ ଶିକ୍ଷାର୍ଥୀଙ୍କ ନିକଟରେ ସରଳ ଓ ଆକର୍ଷଣୀୟ ଭାବେ ପହଞ୍ଚାଇବା ସମ୍ଭବ। ତେଣୁ ଗୁରୁଦିବସ ଓ ଶିଶୁଦିବସର ଗୁରୁତ୍ୱକୁ କେବଳ ଏକ ଛୁଟି ବା ପାଳନୀୟ ଦିବସର ସୀମାରେ ଦେଖିବା ଉଚିତ ନୁହେଁ। ସଂଘର ଉପଦେଷ୍ଟା ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସଙ୍ଗୀତା ଦାସ, ରାଜ୍ୟ ଉପସଭାପତି ସୁକାନ୍ତି ସାବୁତ, କନିଷ୍ଠ ଶିକ୍ଷକ ସଂଘ ଜିଲ୍ଲା ସଭାପତି ଅଶୋକ କୁମାର ସେଠୀଙ୍କ ସମେତ ଅମୀୟ କୁମାର ପରିଡ଼ା, ଆକାଶ କୁମାର ମହାନ୍ତି, ରଶ୍ମି ଦାସ, ନୃସିଂହ ବେହେରା, ଜ୍ୟୋତିର୍ମୟୀ ନାୟକ, ରବି ନାରାୟଣ ପଣ୍ଡା, ଫାୟାଜୁଦ୍ଦିନ ଖାଁ, ସତ୍ୟ ନାରାୟଣ ମଲ୍ଲିକ, ରଶ୍ମିତା ନାୟକ, ସୌମ୍ୟରଞ୍ଜନ ରଥ, ପ୍ରଭାସିନୀ ବେହେରା, ପ୍ରଭାତ ସେନାପତି, ତାରିଣୀ ଦେବ, ଦୀପ ମହାନ୍ତି, କିଶୋର ନାୟକ, ଉମା ଶାସମଲ, ବିମଳ ନାୟକ, ଗୀତାଞ୍ଜଳି ବିଶ୍ୱାଳ, ଜ୍ୟୋତିରଞ୍ଜନ ବାରିକ, କୃଷ୍ଣଚନ୍ଦ୍ର ସାହୁ, ବାସୁଦେବ ପରିଡ଼ା, କାଦମ୍ବିନୀ ମହାନ୍ତି, ମିନତୀ ଜେନା, ପ୍ରତାପ ଚନ୍ଦ୍ର ସ୍ୱାଇଁ, ମାଧବ ଚନ୍ଦ୍ର ରଣା ଓ ମଧୁ ବେହେରା ପ୍ରମୁଖ ରାଜ୍ୟ ସରକାରଙ୍କୁ ଏ ଦିଗରେ ପୁନଃବିଚାର କରିବାକୁ ଅନୁରୋଧ ଜଣାଇଛନ୍ତି।
ସଂଘ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ଯେ, ଶିକ୍ଷକ ସମାଜ ଓ ଶିକ୍ଷାର୍ଥୀଙ୍କ ଭାବନାକୁ ଗୁରୁତ୍ୱ ଦେଇ ସରକାର ଏହି ନିଷ୍ପତ୍ତିର ପୁନଃବିଚାର କରିବେ। ଗୁରୁଦିବସ ଓ ଶିଶୁଦିବସକୁ ପୂର୍ବପରି ଶିକ୍ଷା କ୍ୟାଲେଣ୍ଡରରେ ପାଳନୀୟ ଦିବସ ଭାବେ ସ୍ଥାନ ଦେଇ ଶିକ୍ଷାନୁଷ୍ଠାନରେ ଏହାର ମର୍ଯ୍ୟାଦାପୂର୍ଣ୍ଣ ପାଳନ ପାଇଁ ସୁଯୋଗ ଦିଆଯିବ। ଏହା ଦ୍ୱାରା ଗୁରୁ-ଶିଷ୍ୟ ପରମ୍ପରାର ମର୍ଯ୍ୟାଦା ଅକ୍ଷୁଣ୍ଣ ରହିବା ସହ ଶିଶୁମାନଙ୍କ ପ୍ରତି ସମାଜର ଦାୟିତ୍ୱବୋଧ ଆହୁରି ସୁଦୃଢ଼ ହେବ ବୋଲି ସଂଘ ଆଶା ବ୍ୟକ୍ତ କରିଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।