ମାଲକାନଗିରି,୧୬/୦୫(ପିପିଟି):ମାଲକାନଗିରି ଗୁରୁଚାନ୍ଦ ଆମ୍ବେଦକର ଚେତନା ମଞ୍ଚ ତରଫରୁ ରାଷ୍ଟ୍ରପତି,ମୁଖ୍ଯମନ୍ତ୍ରୀ, ରାଜ୍ଯମାନବଅଧିକାର କମିଶନ, ସ୍ଥାନୀୟ ଜିଲ୍ଲାପାଳ ଏବଂ ଏସପିଙ୍କୁ ମତୁଆ ଧର୍ମାବଲମ୍ବୀ ମାନଙ୍କୁ ହେଉଥିବା ମାନସିକ ଓଶାରୀକ ନିର୍ଜାକନା ସଂପର୍କରେ ଦାବି ପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ଭାରତ ବର୍ଷରେ ମତୁଆ ସଂପ୍ରଦାୟର ଲୋକମାନେ ୮ ରୁ ୧୦ କୋଟି ରହିଥିବା ବେଳେ ଏଥି ମଧ୍ଯରୁ ୪୦ ରୁ ୫୦ ପ୍ରତିଶତ ବଙ୍ଗୀୟ ସଂପ୍ରଦାୟର ଲୋକମାନେ ଏହି ଧର୍ମକୁ ଆପଣେଇଛନ୍ତି । ହିନ୍ଦୁ ଧର୍ମରେ ଯେତେବେଳେ ଉତ୍କଟ ଜାତି ପ୍ରଥା ଥିଲା ଏହାର ସଂସ୍କାର ପାଇଁ ଶ୍ରୀ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁର ମତୁଆ ଧର୍ମକୁ ପ୍ରତିଷ୍ଠା କରି ସମାଜରୁ ଜାତି ଭେଦକୁ ଦୂର କରିବା ପାଇଁ ପ୍ରୟାସ କରିଥିଲେ ।ପରବର୍ତ୍ତୀ ସମୟରେ ତାଙ୍କ ପୁତ୍ର ଶ୍ରୀ ଶ୍ରୀ ଶ୍ରୀ ଗୁରୁଚାନ୍ଦ ଠାକୁର ଶିକ୍ଷା ଆନ୍ଦୋଳନ କରି ବିଦ୍ଯାଳୟ ସ୍ଥାପନ କରିବା ସହିତ ଶିକ୍ଷାରୁ ବଞ୍ଚିତ ନମଶୂଦ୍ରମାନଙ୍କୁ ଶିକ୍ଷାର ଅଧିକାର ପ୍ରଦାନ କରିଥିଲେ । ଏହି ପରମ୍ପରାରେ ଅନୁପ୍ରାଣିତ ହୋଇ ବିଭିନ୍ନ ନିସ୍ପେଷିତ ବର୍ଗର ଲୋକମାନେ ମତୁଆ ଧର୍ମରେ ଦିକ୍ଷୀତ ହୋଇଥିଲେ । ଏହି ଧର୍ମରେ କୌଣସି ଜାତିପ୍ରଥା ନାହିଁ,ସବୁ ମଣିଷ ସମାନ । ଶ୍ରୀଶ୍ରୀଶ୍ରୀ ହରିଚାନ୍ଦ/ଗୁରୁଚାନ୍ଦଙ୍କ ନୀତି ନିୟମକୁ ହରି ସଭା ଓ ଭାତୃ ସମ୍ମିଳନୀ ଭାବେ ତାଙ୍କ ଅନୁଗାମୀମାନେ ପାଳନ କରି ଆସୁଛନ୍ତି । ମତୁଆମାନେ ବିଶେଷ କରି ଗୁରୁଗୋସାଇଁଙ୍କ ଆଦେଶ ଅନୁସାରେ ଏବଂ ତାଙ୍କ ଦ୍ବାରା ନିର୍ଦ୍ଧାରିତ ଧାର୍ମିକ କ୍ରୀୟାନୁଷ୍ଠାନ କରିଥାନ୍ତି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ଥିବା ୫୦ ପ୍ରତିଶତ ବଙ୍ଗୀୟ ସଂପ୍ରଦାୟର ଲୋକମାନେ ମତୁଆ ଧକ୍ମକୁ ପାଳନ କରିଆସୁଥିବା ବେଳେ ବ୍ରାହ୍ମଣ ବର୍ଜିତ ଏହି କର୍ମକାଣ୍ଡକୁ ପାଳନ କଲେ ମତୁଆ ପରିବାରଙ୍କୁ ଗ୍ରାମରୁ ବାସନ୍ଦ କରାଯାଇ ନାନା ପ୍ରକାର ନିର୍ଯାତନା ଦିଆ ଯାଉଛି । ଯଦି କୌଣିସି ଲୋକ ନର୍ଜିତ ମତୁଆ ପରିବାରଙ୍କୁ କଥା ବାର୍ତ୍ତା କଲେ ଏକ ହଜାର ଟଙ୍କା ଜରିମାନା,ତେଲରାତି ଦୋକାନରୁ ସୌଦା କ୍ରୟ କଲେ ଦୋକାନୀକୁ ଏକ ହଜାର ଟଙ୍କା ଜରିମାନା, ଗ୍ରାମର କୌଣସି ଉତ୍ସବ ଅନୁଷ୍ଠିତ ହେଲେ ନିମନ୍ତ୍ରଣ କରାଯାଉ ନଥିବା ବେଳେ ଗାଁ ପୋଖରୀରୁ ମାଛ ଧରିବା ବେଳେ ମାଛ ଭାଗ ମଧ୍ଯ ଉକ୍ତ ପରିବାରଙ୍କୁ ଦିଆଯାଇ ନଥାଏ । ଏହା ବ୍ଯତୀତ ଅକଥନୀୟ ଗାଳିଗୁଲଜ କରି ମତୁଆ ଧର୍ମକୁ ଅପମାନ କରିଥାନ୍ତି ।ଅନ୍ଯାନ୍ଯ ଧର୍ମ ସେମାନଙ୍କ ପରମ୍ପରା ଅନୁସାରେ ପାଳନ କରି ଆସୁଥିବା ବେଳେ ମତୁଆ ଧର୍ମକୁ ବିରୋଧ ଏବଂ ମତୁଆ ଧର୍ମାବଲମ୍ବୀମାନଙ୍କୁ କାହିଁକି ବିରୋଧ କରାଯାଉଛି ଏହା ଏକ ବିରାଟ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି । ଏହି ନିର୍ଯାତନାର ଶିକାର ହୋଇଥିବା ପରିବାର ବର୍ଗ ସ୍ଥାନୀୟ ଥାନାରେ ଅଭିଯୋଗ କଲେ ମଧ୍ଯ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଥାନାରେ ଉଭୟ ପକ୍ଷକୁ ଡାକି ମିମାଂଶା କଲେ ମଧ୍ଯ ଗ୍ରାମରେ ଖାପ୍ ପଞ୍ଚାୟତର ଦୌରାତ୍ମ୍ଯ ପୂର୍ବ ପରି ଚାଲେ ।ଯେହେତୁ ବଙ୍ଗୀୟ ଗ୍ରାମଗୁଡିକରେ ଖାପ୍ ପଞ୍ଚାୟତକୁ ସମର୍ଥନ କରିବା ଲୋକ ସଂଖ୍ଯା ଅଧିକ ଥାଏ । ଖାପ୍ ପଞ୍ଚାୟତକୁ ସମର୍ଥନ କରିବା ସଂଖ୍ଯା ଗରିଷ୍ଠତା ଅଧିକ ଥିବାରୁ ନିରିହ ମତୁଆ ପରିବାର ଥାନାରେ ଉଚିତ ନ୍ୟାୟ ପାଏ ନାହିଁ ଏବଂ ସେ ହତାସ ଓ ନୈରାଶ୍ୟରେ ଗ୍ରାମରେ ଏକାକୀ ଜୀବନ ନିର୍ବାହ କରେ । ଭାରତୀୟ ସଂବିଧାନ ଧାରା ୨୫(୧) ଅନୁସାରେ ସମସ୍ତ ନାଗରିକ ମାନଙ୍କର ଧାର୍ମିକ ସ୍ବାଧୀନତା ରହିଛି । ଯେ କୌଣସି ବ୍ଯକ୍ତି ସ୍ବଇଛାରେ ଯେ କୌଣସି ଧର୍ମ ଗ୍ରହଣ କରିବ ପ୍ରଚାର ପ୍ରସାର କରିପାରିବ । ଯଦି କିଏ ବାଧା ସୃଷ୍ଟି କରିବ ଭାତାଯୀୟ ଦଣ୍ଡ ବିଧି ଆଇନ ଅନୁସାରେ ଧାରା ୨୯୫ (ଏ)ରେ ମାମଲା ରୁଜୁ କରାଯିବା ସହ ଧାରା ୧୪୩,୧୪୭କୁ ମଧ୍ଯ ସଂଲଗ୍ନ କରାଯିବ । ଖାପ୍ ପଞ୍ଚାୟତ ବିରୁଧରେ ଏହି ମକଦ୍ଦମା ରୁଜୁ କରାଯାଇ ନଥିବା ବେଳେ ସଂବିଧାନର ଅନୁଛେଦ ୨୫(୧)କୁ ମଧ୍ଯ ଅବମାନନା କରାଯାଉଛି । ଫଳରେ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ସମସ୍ତ ମତୁଆ ସଂପ୍ରଦାୟର ଲୋକମାନେ ନିର୍ଯାତନାର ଶିକାର ହେଉଛିନ୍ତି । ଏଣୁ ମତୁଆ ଧର୍ମାବଲମ୍ବୀ ସଂପ୍ରଦାୟଙ୍କୁ ଉଚିତ ସମାଜିକ ସୁରକ୍ଷା ଏବଂ ଧାର୍ମିକ ସ୍ବତନ୍ତ୍ରତା ନ୍ଯାୟ ପ୍ରଦାନ କରିବାକୁ ଦାବି କରାଯାଇଛି । ଏହି ଦାବି ପତ୍ର ଲକ୍ଷ୍ମନ ଚନ୍ଦ୍ରନଘରାମୀ,ରୀନା ରାୟ,ପରିତୋଷ ବାଗଚୀ,ସ୍ବପନ ହାଲଦାର,ରବିନ ମଣ୍ଡଳ,ବିଧାନ ହାଲଦାର,ରମନ ବିଶ୍ବାସ,ବିମଲ ବାଲା,ରଘୁନାଥ ରାୟ,ଗୋପାଲ ମଣ୍ଡଲ,ପ୍ରମିଳା ମାଳୀ ପ୍ରମୁଖ ପ୍ରଦାନ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)