ରାୟଗଡା,୧୩/୦୬(ପିପିଟି);ରାୟଗଡା ଜିଲ୍ଲା ଗୁଣପୁର ପୌର ପରିଷଦର ୱାର୍ଡନଂ ୨ ଲଛମନ ଢେପସାହି ଏକ ପୁରାତନ ଆଦିବାସୀ ହରିଜନ ବହୁଳ ଅଞ୍ଚଳ । ଜନବସତି ସ୍ଥାପନ ହେବା ପରେ କାମ୍ପଗୁଡା ନାମରେ ପରିଚିତ ଏହି ଗ୍ରାମ ଅତୀତରେ ଗୁଣପୁର ବଦଳରେ କାମ୍ପଗୁଡା ନାମରେ ଅଧିକ ପରିଚିତ ଥିଲା। ମାତ୍ର ସେହି ଗାଁ ସହରର ଏକ ପଦାସାହି ଭାବେ ରହି ବର୍ତ୍ତମାନ ଲଛମନ ଢେପସାହି ନାମରେ ନାମିତ ହୋଇଛି। କାମ୍ପଗୁଡା ଗ୍ରାମର ତଳି ଅଞ୍ଚଳରେ ବସତି ଆରମ୍ଭ କରିଥିବା ହରିଜନ ସମ୍ପ୍ରଦାୟର ଲଛମନ ନାମକ ବ୍ୟକ୍ତିଙ୍କ ନାମରେ ସ୍ଥାପିତ ଏହି ସାହି ସର୍ବନିମ୍ନ ସୁବିଧାରୁ ବଞ୍ଚିତ।ସେହି ଗ୍ରାମରୁ ବିଜ୍ଞାପିତ ଅଞ୍ଚଳ ସେଥିରୁ ପୁଣି ପୌର ପରିଷଦ ପାଲଟିଥିବା ଗୁଣପୁରର ଏହି ପୁରାତନ ଗାଁ ଏବେ ସମସ୍ୟା ଘେରରେ।ଏହି ସାହି ପାଇଁ ଭଲ ରାସ୍ତାଟିଏ ନାହିଁ । ପୋତା ଯାଇଥିବା ବିଦ୍ୟୁତ ଖୁଣ୍ଟରେ ଆଲୋକବତୀ ଜଳୁନି। ବର୍ଷା ହେଲେ ସାହିମୁଣ୍ଡରେ ପାଣି ଜମି ରହୁଛି । ଏପରିକି ଏଠାରେ ରହିଥିବା ଜଣେ ଅସହାୟ ବୃଦ୍ଧ ମହିଳାଙ୍କ ଘରେ ପାଣି ପଶିଯିବାରୁ ସେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁ ସମସ୍ୟା ସମ୍ପର୍କରେ ପୋୖର ପରିଷଦ ଅଧିକାରୀଙ୍କୁ ଅବଗତ କରାଇବା ପରେବି କୌଣସି ଗୋଟିଏ ସମସ୍ୟାର ସମାଧାନ ହୋଇପାରୁନି। ବାସିନ୍ଦାଙ୍କ ପକ୍ଷରୁ ଦିଆଯାଇଥିବା ଦରଖାସ୍ତକୁ ଶୀତଳ ଭଣ୍ଡାରରେ ପକାଇ ରଖିଥିବା ସାହି ବାସିନ୍ଦା ଭାଗୀରଥି ବାଙ୍ଗାରି ପ୍ରକାଶ କରିଛନ୍ତି। ଏହି ପୁରାତନ ପଛୁଆ ବର୍ଗ ଜନବସତିର ସମସ୍ୟା ଦୂରୀକରଣ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
(ରିପୋର୍ଟ- ନବୀନ ନାୟକ ବେହେରା। )