ମାଲକାନଗିରି,୨୬/୦୫(ପିପିଟି):ଓରକେଲ ଥାନା ଅଧିନସ୍ଥ ଶାରଦାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣାରେ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶାରଦାଗୁଡା ଗ୍ରାମରେ ଗତ ଏକ ବର୍ଷ ମଧ୍ୟରେ ୮ ରୁ ୧୦ ବ୍ୟକ୍ତିଙ୍କ ଅଚାନକ ମୃତ୍ୟ ହୋଇଥିଲା। ତେବେ ଗ୍ରାମରେ ଏପରି ମୃତ୍ୟ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖି ଗ୍ରାମରେ ଏକ ବୈଠକ ଡକାଇ କୋଟପାଡ଼ ଅଞ୍ଚଳରୁ ଜଣେ ଗୁଣିଆ ଙ୍କୁ ଡାକିଥିଲେ ଗ୍ରାମବାସୀ। ଉକ୍ତ ଗୁଣିଆ ଜଣଙ୍କ ଗ୍ରାମକୁ ଆସି ଚୁଡା ମନ୍ତୁରାଇ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ। ଏହାପରେ ଗ୍ରାମର ପଦ୍ମା ନାୟକ(୫୧) ଉକ୍ତ ମନ୍ତୁରା ହୋଇଥିବା ଚୁଡା ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ। ଯାହାଦ୍ଵାରା ଉକ୍ତ ଗୁଣିଆ ଜଣଙ୍କ ପଦ୍ମା ଏହି ସବୁ ଲୋକଙ୍କ ମୃତ୍ୟ ର କାରଣ କହିବା ସହ ଗତ ୨୦ ଦିନ ମଧ୍ୟରେ ଗ୍ରାମର ୨ ବ୍ୟକ୍ତିଙ୍କ ମୃତ୍ୟ ପାଇଁ ପଦ୍ମା ହିଁ ଦାୟୀ ବୋଲି କହିଥିଲା। ଏହାପରେ ମୃତ୍ୟବରଣ କରିଥିବା ୨ ବ୍ୟକ୍ତିଙ୍କ ପୁଅମାନେ ରାଗରେ ଉତକ୍ଷିପ୍ତ ହୋଇ ଗାଁ ଦାଣ୍ଡରେ ପଦ୍ମାଙ୍କୁ ଲାତ ଗୋଇଠା ମାରିଥିଲେ। ଏହାଦେଖି ପଦ୍ମାଙ୍କ ପୁଅ ଗଣେଶ ଆସି ତାଙ୍କ କବଳରୁ ଆହତ ଅବସ୍ଥାରେ ନିଜ ମା’କୁ ରକ୍ଷା କରିଥିଲେ। ପଦ୍ମାଙ୍କୁ ମାଡ଼ ପରେ ସେ ମୃତ୍ୟବରଣ କରିଥିଲା। ଏନେଇ ପଦ୍ମାଙ୍କ ପୁଅ ଗଣେଶ ଓରକେଲ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲା। ଉକ୍ତ ମାମଲାକୁ ଆଧାର କରି ରବିବାର ଘଟଣା ସ୍ଥଳରେ କୋରାପୁଟ ରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିବା ପରେ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ୩ ବ୍ୟକ୍ତି ହେଲେ ଶାରଦାଗୁଡା ଗ୍ରାମର ମହେଶ୍ବର ପାଙ୍ଗି, ହରି ପାଙ୍ଗି ଏବଂ ହରିଷ ଚନ୍ଦ୍ର ଖିଲ।ଓର୍କଲ ଥାନା କେସ ନଂ ୧୫୭/୨୬ ରେ ମାମଲା ରୁଜୁ କରାଯାଇ ଆଜି ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)