ମାଲକାନଗିରି,୧୮/୦୫(ପିପିଟି):
କାଲିମେଳା ବ୍ଲକର କାଙ୍ଗୁରୁକେଣ୍ଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗୁଣିଆ ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ଏହି ଗ୍ରାମର ପଦିଆ ମାଡକାମି (୬୫) ଗ୍ରାମରେ ପୂଜାର୍ଚ୍ଚନା କାର୍ଯ୍ୟ କରୁଥିଲେ । ଗତ କିଛି ଦିନ ଧରି କିଛି ଲୋକ ମୃତ୍ୟୁ ବରଣ କରିଥିବା ଯୋଗୁଁ ପଦିଆ ଗୁଣି କରି ମାରିଥିବା ସନ୍ଦେହ କରୁଥିଲେ । ଆଜି ତାଙ୍କ ପରିବାରର ଦାହ କାର୍ଯ୍ୟ ନିମନ୍ତେ ଆଜି ଗାଁ ଦାଣ୍ଡରେ ପ୍ରାୟ ୬୦ରୁ ଊର୍ଦ୍ଧ୍ଵ ଲୋକ ଆଲୋଚନା ପାଇଁ ବସିଥିଲା । ଏହି ଆଲୋଚନା ସମୟରେ ଗ୍ରାମର ମୁକୁନ୍ଦ ମାଡକାମି,ଫିଦା ମାଡକାମି, କାନା ମାଡକାମି, ଇର୍ମା ମାଡକାମି, ଗଙ୍ଗା ମାଡକାମି, ପଦିଆ କବାସି ତାଙ୍କୁ ହଠାତ୍ ଆକ୍ରମଣ କରିଥିଲେ । ଏବଂ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ପଦିଆଙ୍କ ପୁଅ ବିରା ମାଡକାମି କହିଛନ୍ତି । ଏହି ଘଟଣା ସମୟରେ ବାପାଙ୍କୁ ବଢାଇବାକୁ ଯାଇ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇ ଲୁଚି ପଳାଇଥିଲେ । ଘଟଣାସ୍ଥଳରେ କାଲିମେଳା ଥାନା ଅଧିକାରୀ ରଘୁନାଥ ମାଝୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)