ଭଞ୍ଜନଗର,୨୩/୦୩(ପିପିଟି):ଭଞ୍ଜନଗର ବ୍ଲକ ଅଧୀନ ଗାଲେରୀ ଠାରେ ଆଜି ପୁଲିସ ବିଭାଗ ପକ୍ଷରୁ ଏକ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତାରସିଂ ଏବଂ ଗାଲେରୀ ଅଞ୍ଚଳର ବହୁ ଡ୍ରାଇଭର,କଲେଜ ଓ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ଗାଲେରୀ ବନ୍ଧ ଛକ ଠାରୁ ଆରମ୍ଭ ହୋଇ ମୁଖ୍ୟରାସ୍ତା ଦେଇ କଲେଜ ପରେ ହାଇସ୍କୁଲ ଠାରେ ଶେଷ ହୋଇଥିଲା । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଏମ୍.ଭି.ଆଇ ରମେଶ ଚନ୍ଦ୍ର ମିଶ୍ର ,ସମ୍ମାନିତ ଅତିଥି ଭାବେ ତାରସିଂ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ,ଫାଣ୍ଡି ଅଧିକାରୀ ଭାଗିରଥି ନାୟକ,ଗାଲେରୀ କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ,ପ୍ରଧାନ ଶିକ୍ଷକ ଅରୂପ ମହାପାତ୍ର,ଡା.ଗୋବିନ୍ଦ ମହାପାତ୍ର, ସରପଞ୍ଚ ପ୍ରତିନିଧି ଶଙ୍କର୍ଷଣ ମହାରଥା ପ୍ରମୁଖ ଯୋଗ ଦେଇଥିଲେ । ବିଶେଷ କରି ଦ୍ରୁତ ଗତି ଗାଡି ଚାଳନା ନ କରିବା, ହେଲମେଟ ପିନ୍ଧିବା,ଚାରି ଚକିଆ ଯାନରେ ସିଟ ବେଲ୍ଟ ପିନ୍ଧି ଗାଡି ଚଳାଇବା ,ନିଶା ଦ୍ରବ୍ୟ ସେବନ କରି ଗାଡି ନ ଚଳାଇବା ଏବଂ ନାବଳକ ମାନଙ୍କୁ ଗାଡି ଚାଳନା ଠାରୁ ଦୁରେଇ ରଖିବା, ଛାତ୍ରଛାତ୍ରୀ ମାନେ ସାଇକେଲ ଚଳାଇ ରାସ୍ତା ଅବରୋଧ ନକରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସତର୍କତା ଅବଲମ୍ବନ କରିବା ଦ୍ୱାରା ବହୁ ଧାନ ଜୀବନ ଅକାରଣରେ ମୃତ୍ୟୁ ମୁଖରୁ ବଞ୍ଚିଯାଇପାରିବ ଏବଂ ଟ୍ରାଫିକ ନିୟମ ଅମାନ୍ୟ କଲେ ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥା ରହିଥିବା ଏମ ଭି ଆଇ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଏହି ଟ୍ରାଫିକ ସଚେତନତା ଶୋଭାଯାତ୍ରାରେ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ଡ୍ରାଇଭର, ଜନସାଧାରଣ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜେକେ ପଟ୍ଟନାୟକ। )