ଗାଁ କୁ ସୁନ୍ଦର ଧାନ କ୍ଷେତ ଯେବେ
ଧଳା ଧଳା ବଗ ବସଇ….
କାର୍ତ୍ତିକ ପ୍ରବେଶେ ମିଠା ମିଠା ଶୀତ
ଦେହକୁ ଟିକିଏ ଛୁଅଁଇ…..!!
ଗାଁ କୁ ସୁନ୍ଦର ଦେଉଳର ବାନା
ଫର ଫର ଯେବେ ଉଡଇ….
ଗାଁ ବୁଢ଼ା ଯେତେ ସଞ୍ଜରେ ଏକାଠି
ଖଞ୍ଜଣି ଭଜନ ବୋଲଇ….!!
ଗାଁ କୁ ସୁନ୍ଦର ନଡା ଛୁଆଁ ଚାଳ
ଲାଉ ଡଙ୍କ ଫୁଲ ଫୁଟଇ….
ଯୋଗୀ ପୁଅ ଯେବେ ଦୁଆର ମୁହଁରେ
କେନ୍ଦରାରେ ଗୀତ ବୋଲଇ….!!
ଗାଁ କୁ ସୁନ୍ଦର ଟିକି ନଈ ଧାର
ସୁନା ବୋହୂ ଦେହ ମାଜଇ….
ଜଳ କଳସକୁ କାଖରେ କାଖେଇ
ରାଜ ହଂସି ପରି ଚାଲଇ….!!
ଗାଁ କୁ ସୁନ୍ଦର ଆଈ ବୁଢ଼ି ଯେବେ
ଖନି ମାରି ଗପ ଭାଷଇ…..
ପିଲାମାନେ ମିଳି ଆନନ୍ଦ ମନରେ
ଆଈ ଠୁ ସକଳ ଶୁଣଇ…..!!
ଗାଁ କୁ ସୁନ୍ଦର ପୁନେଇଁ ର ଜହ୍ନ
ଭସା ବାଦଲରେ ନାଚଇ….
ବିରହୀ ତରୁଣୀ ଗୁଣୁ ଗୁଣୁ ହୋଇ
ପୀରତି ସଂଗୀତ ବୋଲଇ….!!
ଗାଁ କୁ ସୁନ୍ଦର ଠିଆ ପୁଚି ଖେଳ
ଦଶ ପାଞ୍ଚ ଝିଅ ମିଶଇ….
ପୂଜା ପରବରେ ନାରୀ କଣ୍ଠୁ ଯଦି
ହୁଳହୁଳି ଧ୍ୱନି ଶୁଭଇ…..!!
ଗାଁ କୁ ସୁନ୍ଦର ଆମ୍ବ ତୋଟା ମାଳ
ବରଷେ ବସନ୍ତ ଆସଇ…..
ରସାଳ ଶାଖାରେ ବସିଣ କୋକିଳ
କୁହୁ କୁହୁ ତାନ କରଇ…..!!
ଗାଁ କୁ ସୁନ୍ଦର ଗାଈ ଗୋଠ ପଲ
ମାଛି ମାଛି ସଞ୍ଜେ ଫେରଇ…
ଚଉରା ମୂଳରେ ମା ଦୀପ ଜାଳି
ଭକ୍ତି ନୈବେଦ୍ୟ ଢାଳଇ…..!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭