(କବି କେଶବ ଚନ୍ଦ୍ର ନାୟକ)
………………………………
ଗାଁ ରେ ପଶିଲା ଶୀତ
ମନରେ ସଭିଙ୍କ ଭୀତ
ସଞ୍ଜ ହୋଇଗଲେ ଘରେ ଜାକଜୁକି
ଦାଣ୍ଡେ ଶୂନ୍ୟ ଯାତାୟାତ….!!
ଚାଳ ଘର ଧାଡ଼ି ଧାଡି
ଧୂଆଁ ଯାଏ ମାଡି ମାଡି
ରୋଷେଇ ଶାଳରେ ଭଜା ବାଇଗଣ
କଢେଇରେ ଚେଏଁ ରଡ଼ି….!!
ଗରମ ଭାତର ମଜା
ଡାଲି ପାଣି ପଡେ ଖୋଜା
ଚୁନା ମାଛ ଚଡଚଡି ଖଟା ଝୋଳ
ଆଳୁ ଚକଟା ଟା ରାଜା….!!
ଉଷୁମ ତୋରାଣି ଢୋକେ
ପାନେ ଶୀତ ଯାଏ ଥୋକେ
ଘୋଡିଘାଡି ହୋଇ ଶୋଇଲେ ରାତିରେ
ନିଦ ନ ଭାଙ୍ଗଇ ଡାକେ….!!
ସକାଳେ ପଡେ କାକର
ଶୀତେ ଦେହ ଥରଥର
ମଠେଇ ମଠେଇ ସୂରୁଜ ବାହାରେ
ସୁଖଦ କଅଁଳ କର…!!
କଅଁଳ ଖରାର ତାପ
ଛଡାଏ ଶୀତ ପ୍ରକୋପ
ଶିଶୁକୁ ସୋରିଷ ତଇଳକୁ ମାଖି
ଖରାଟି ହରେ ସନ୍ତାପ…!!
ଚାଳରେ ବସିଣ କାକ
କାଆ କାଆ କରେ ଡାକ
ଘରର ଘରଣୀ ଚାଉଳ ଥୋଇଣ
ଖୁଆଇ ବଖାଣେ ଦୁଃଖ….!!
କାକ ଡାକ ସତ ମିଛ
ଦଇବ-ମଣିଷ ପାଞ୍ଚ
ଏ ସଂସାରେ ସାର ଜଗତ କରତା
ଛାର ଏ ମାନବ ତୁଛ…?
ମନ୍ଦିରେ ଘଣ୍ଟର ଧ୍ବନି
ପାପ ଛାଡେ କର୍ଣ୍ଣ ଶୁଣି
ହରେ ରାମ ହରେ କୃଷ୍ଣ କେ ଜପଇ
ଉଛୁଳେ ଭକ୍ତି ଉଜାଣି…!!
ତୁଳସି ଚଉରା ମୂଳେ
ଜନନୀ ପ୍ରଦୀପ ଜାଳେ
ହୃଦେ ସ୍ମରି କର କୃପା କୃପାସିନ୍ଧୁ
ବିଘ୍ନ ବିନାଶ ସମୂଳେ….!!
ଗାଁ ଚାରି ପାଖେ ବିଲ
ସ୍ବର୍ଣିମା ଧାନ୍ଯ ଫସଲ
କେଦାରେ କେଦାରେ ବିଜେ କମଳିନୀ
ବିଚିତ୍ର ଚିତ୍ର ଅମୂଲ୍ୟ…..!!
ତଡାଗେ ପୁଷ୍ପ କୁମୁଦ
କରେ ଚିତ୍ତକୁ ପ୍ରମୋଦ
ଧବଳ ପୁଷ୍ପେ ବିମଣ୍ଡିତ ଟଗର
ମଧୁ ମାଳତୀ ସୁଗନ୍ଧ….!!
ଶୀତ ଋତୁ ଦିଏ କ୍ଳେଶ
ମାଘରେ ହୋଇବ ଶେଷ
ଫଗୁଣରେ ଆମ୍ବ ବଉଳ ସୁବାସେ
କୋକିଳ କଣ୍ଠେ ସରସ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭