ରାୟଗଡା, ୦୮/୧୧(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଭାମିନୀ ବାଲିପଠାରୁ ବାଲି ଚାଲାଣ କୁ ବିରୋଧ କରି ଧାରଣାରେ ବସିଥିଲେ ଗ୍ରାମବାସୀ,ସେମାନଙ୍କ କହିବା କଥାଯେ ରାଜସ୍ବ ବିଭାଗ ସ୍ଥିର କରିଥିବା ଜାଗାରୁ ବାଲି ନଉଠାଇ ମନଇଚ୍ଛା ବାଲି ଉଠାଇଲେ ଗାଁ ପ୍ରତି ବିପଦ ରହିଛି।ଭବିଷ୍ୟତରେ ନଦୀରେ ପାଣି ଅସିଲେ ଗାଁକୁ ପାଣି ପଶିଯିବାଫଳରେ ସମ୍ପୁର୍ଣ୍ଣ ଗାଁ ନଦୀ ଗର୍ଭରେ ଲୀନ ହୋଇଯିବ।ଏଣୁ ଗାଁର ମହିଳା ମଣ୍ଡଳୀ ଏବଂ ଗ୍ରାମବାସୀ ପ୍ରକାଶ କରିଛନ୍ତିଯେ,ପଲ୍ଲୀ ସଭାରେ ହିଁ ଏହାର ନିଷ୍ପତ୍ତି ହେବ।ନଦୀକୁ ଲାଗି ତ୍ରିନାଥ ବେହେରା, ବାଳକୃଷ୍ଣ ଦାମୋଦର, ଯୁଧିଷ୍ଠିର ବେହେରା, ଜଟିଆ ଏଣ୍ଡୁ ଏବଂ ଆପନା ଭାଲୁଙ୍କର ପଟା ଜମି ରହିଛି ସେଥିରେ ସେମାନେ ପରିବା ଚାଷ କରି ଜୀବନ ନିର୍ବାହ କରନ୍ତି।ସେହିପରି ବାପ ଅଜା ଅମଳରୁ ଦୀର୍ଘ ବର୍ଷ ହେବ ସରକାରୀ ଜମି ଲିଜ ସୂତ୍ରରେ ନେଇ ଗାଁର ବାରିକ ବେହେରା, ପୁର୍ଣ ବଡପନ୍ଦରା,ମାଲି ବଡପନ୍ଦରା,ସୁଦାମ ବେହେରା, ମିନାରାଓ ଗଙ୍ଗା, ରାବଣା ଅଧିକାରୀ, ହରିବେହେରା ଓ ଦୁର୍ଯ୍ୟୋଧନ ବେହେରା ଚାଷ କରିଥାନ୍ତି। ଏଣୁ ସାଧାରଣ ଚାଷୀଙ୍କର ଜୀବନ ଜୀବିକା ଏବଂ ଗାଁକୁ ବନ୍ୟାରୁ ରକ୍ଷା କରିବାକୁ ଦାବୀ କରିଥିଲେ ଏବଂ ନଦୀକୁ ମହିଳା ମାନେ ଗାଧୋଇ ଯିବାବେଳେ ଗାଡିର ଡ୍ରାଈଭର ଏବଂ ଶ୍ରମିକମାନେ ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି,ତେଣୁ ଏହାର ତୁରନ୍ତ ପଦକ୍ଷେପ ନେବାକୁ ହେବ ବୋଲି ପ୍ରଶାସନକୁ ଗ୍ରାମର ମହିଳାମାନେ ଦାବି କରିଛନ୍ତି।ଆଜି ସକାଳ ଦଶଟା ବେଳେ ରାସ୍ତାରୋକ କରିଥିବାବେଳେ ଗୁଣପୁର ପୋଲିସ ଆସି ଧାରଣାରେ ବସିଥିବା ମହିଳା ମଣ୍ଡଳୀ ମାନଙ୍କୁ ବୁଝାସୁଝା କରିଥିଲେ। ନିଷ୍ପତ୍ତି ହୋଇଥିଲା ଯେ,ସୋମବାର ୦୯-୧୧-୨୦ରେ ଗୁଣପୁର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ସବୁ ବିଷୟରେ ଅବଗତ କରିବେ। ସେଠାକାର ନିଷ୍ପତ୍ତି ହେଲାପରି ହିଁ ବାଲି ଉଠାଣ ବିଷୟରେ ସ୍ଥିର କରାଯିବ। ଏଥି ପୂର୍ବରୁ ଗ୍ରାମବାସୀ ରାଜସ୍ବ ନିରୀକ୍ଷକ, ତହସିଲଦାର ଏବଂ ପୂର୍ବତନ ଉପଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଦେଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା। ଏଣୁ ସେମାନେ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ବୋଲି ମହିଳା ମଣ୍ଡଳୀ ସଦସ୍ୟ ମାନେ ପ୍ରକାଶ କରିଥିଲେ।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା)