ଗସମା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାରେ ୨ଗିରଫ ।

ଭଞ୍ଜନଗର, ୦୪/୦୭(ପିପିଟି):ଗସମା ଜଙ୍ଗଲରୁ ଉଦ୍ଧାର ହୋଇଥିବା ନର କଙ୍କାଳ ଘଟଣାରେ ସଂପୃକ୍ତ ଥିବା ୨ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।ସୂଚନା ମୁତାବକ ଗତ ୨୯.୬.୨୦୨୫ ସକାଳ ୭.୪୫ମିନିଟ ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲୁଗୁଡ଼ା ଗ୍ରାମର ଡମ୍ବୁରୁ ମଲ୍ଲିକଙ୍କ ପୁଅ ଜଗନ୍ନାଥ ମଲ୍ଲିକ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ଗୋଟିଏ ମାସ ତଳେ ତାଙ୍କ ନାବାଳିକା ଝିଅ ଝରଣା ମଲ୍ଲିକ (୧୪) ଏବଂ ନାବାଳକ ପୁଅ ଗଣେଶ ମଲ୍ଲିକ (୧୦)କୁ ତାଙ୍କ ଘରେ ଛାଡି ଶ୍ରମିକ କାମ କରିବା ପାଇଁ ସେ ସୋରଡା ଚାଲି ଯାଇଥିଲେ।ପରେ ଘରକୁ ଫେରିବା ଦେଖିଲେ ଯେ ତାଙ୍କ ନାବାଳିକା ଝିଅ ଘରୁ ନିଖୋଜ ଅଛି ଏବଂ ସେ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ତାର କୌଣସି ସନ୍ଧାନ ପାଇ ନଥିଲେ। ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଲେ ଯେ, ଢ଼ିମିରିଝୋଳି ଗ୍ରାମର କାନ୍ଧିଆ ମଲ୍ଲିକର ପୁଅ ଲାଲକ ମଲ୍ଲିକ ତାଙ୍କ ନାବାଳିକା ଝିଅକୁ ଅପହରଣ କରି ନେଇଛି। ଏହା ପରେ ସେ ସେହି ଗାଁକୁ ଯାଇ ଜାଣିବାକୁ ପାଇଲେ ଯେ କାନ୍ଧିଆ ମଲ୍ଲିକଙ୍କ ପରିବାର ସଦସ୍ୟ ତାଙ୍କ ଝିଅକୁ ଆକ୍ରମଣ କରି ବର୍ତ୍ତମାନ ସେମାନେ ସମସ୍ତେ ସେହି ଗାଁରୁ ଫେରାର୍ ଅଛନ୍ତି। ତେଣୁ ଜଗନ୍ନାଥ ସନ୍ଦେହ କରୁଥିଲେ ଯେ ସେମାନେ ତାଙ୍କ ଝିଅକୁ ହତ୍ୟା କରି ଥାଇପାରନ୍ତି।ଏହାପରେ ଜଗନ୍ନାଥ ଚକାପାଦ ଥାନା ଅନ୍ତର୍ଗତ ଗସମା ନିକଟସ୍ଥ ଜଙ୍ଗଲ ଭିତରେ ଏକ ଗଛରୁ ଝୁଲୁଥିବା କିଛି ହାଡ଼ ଏବଂ କେଶ ପାଇଥିଲେ। ସେହି ଜିନିଷ ଗୁଡ଼ିକୁ ଦେଖି ଜଗନ୍ନାଥ ଏହା ତାଙ୍କ ଝିଅର ବୋଲି ଚିହ୍ନଟ କରିଥିଲେ।ଏସଂକ୍ରାନ୍ତରେ ଚକା ପାଦ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।ଜଗନ୍ନାଥଙ୍କ ଅଭିଯୋଗ ପରେ ଭଞ୍ଜନଗର ଥାନା କେସ୍ ନମ୍ବର ୭୩୭/୨୦୨୫ ର ତଦନ୍ତ ସମୟରେ ଜଣାପଡିଲା ଯେ, ଝରଣା ମଲ୍ଲିକ ଏବଂ ଲାଲକ ମଲ୍ଲିକ ପରସ୍ପରକୁ ଭଲ ପାଉଥିଲେ ଏବଂ ଏକ ମାସ ପୂର୍ବରୁ ସେମାନେ ଭାଲୁଗୁଡ଼ା ଗ୍ରାମରୁ ପଳାଇ ଆସି ଉଭୟ ଢ଼ିମିରିଝୋଳି ଗ୍ରାମକୁ ଯାଇଥିଲେ। ସେଠାରେ ସେମାନେ ଲାଲକ ମଲ୍ଲିକଙ୍କ ପିତାମାତାଙ୍କ ସହିତ ରହିଥିଲେ।୨/୩ଦିନ ରହିବା ପରେ ଅଶାନ୍ତି ଦେଖି ଝରଣା ମଲ୍ଲିକ ପଚାରିବାରୁ, ଲାଲକ ମଲ୍ଲିକ ତାଙ୍କୁ ଚକାପଡ଼ା ଥାନା ଅନ୍ତର୍ଗତ ନିଧିଆବେଣା ଗ୍ରାମର ଲାଲକ ମଲ୍ଲିକଙ୍କ ଭିଣୋଇ ଶିବ ଶଙ୍କର ମଲ୍ଲିକଙ୍କ ଘରେ ଛାଡି ଦେଇଥିଲେ। ଯେଉଁଠାରୁ ପୀଡିତା ଝରଣା ମଲ୍ଲିକ ନିଖୋଜ ହୋଇ ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ପୀଡିତା ଝରଣା ମଲ୍ଲିକଙ୍କ ହାଡ଼ ଏବଂ ପିନ୍ଧିଥିବା ପୋଷାକ ଗସମା ନିକଟ ଜଙ୍ଗଲ ଭିତରେ ଠାବ କରାଯାଇଛି। ପାରିବାରିକ କଳହ ଯୋଗୁଁ ଲାଲକ ମଲ୍ଲିକ ଏବଂ ଶିବ ମଲ୍ଲିକ ଝରଣା ମଲ୍ଲିକଙ୍କୁ ହତ୍ୟା କରି ପୀଡିତା ଝରଣା ମଲ୍ଲିକ ସେଠାରେ ଆତ୍ମହତ୍ୟା କରିଛନ୍ତି ବୋଲି ଦେଖାଇବା ଉଦ୍ଦେଶ୍ୟରେ ଜଙ୍ଗଲ ଭିତରେ ଫାଶି ଦେଇଥିବା ଅନୁମାନ କରାଯାଉଛି।ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡ଼ିବ।ଏହି ଘଟଣାରେ ଅଭିଯୁକ୍ତ ଲାଲକ ମଲ୍ଲିକ ଏବଂ ତାର ଭିଣୋଇ ଶିବ ଶଙ୍କର ମଲ୍ଲିକକୁ ଗିରଫ କରି ଧାରା 137(2)/ 103(1)/3(5) ବିଏନଏସ ରେ କୋର୍ଟ ଚାଲାଣ କରାଯାଇଛି ବୋଲି ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment