ଗଲେ ଦାଦନ ହୋଇ, ଫେରିଲେ ଶବ ହୋଇ ।

ପୋଲସରା ,୩୧/୧୦(ପିପିଟି): ପରିବାର ପ୍ରତିପୋଷଣ ପାଇଁ ଗଲେ ଦାଦନ ହୋଇ ଫେରିଲେ ଶବ ହୋଇ। ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୧୩ ନମ୍ବର ଓ୍ବାର୍ଡର ଅନିଲ ଜେନା (୨୯) ଦେଢ଼ ବର୍ଷ ଧରି ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ। ଦୁଇ ମାସ ପୂର୍ବେ ଘରକୁ ଆସି ପୁଣି ସେହି କମ୍ପାନୀକୁ କାର୍ଯ୍ୟ କରିବାକୁ ଫେରିଥିଲେ। ମାତ୍ର ୨୮/୧୦/୨୫ ତାରିଖ ରାତ୍ରରେ ଅନିଲ କମ୍ପାନୀରେ କାର୍ଯ୍ଯରତ ସମୟରେ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଆହାତ ଅବସ୍ଥାରେ ନିକଟସ୍ଥ ମେଡ଼ିକାଲକୁ ନେଇଥିଲେ ମଧ୍ୟ ଡାକ୍ତର ଅନିଲ ଜେନାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ତିନି ଦିନ ମେଡିକାଲରେ ମରଶରୀର ପଡିରହିଥିଲା। ଏହି ଦୁଃଖଦ ଖବର ଜାଣିବା ପରେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ହସ୍ତକ୍ଷେପ ପରେ ୩୧/୧୦/୨୫ ତାରିଖ ଅପରାହ୍ନରେ ଆମ୍ବୁଲାନ୍ସ ଦ୍ବାରା ଅନିଲଙ୍କ ମର ଶରୀର ଗ୍ରାମରେ ପହଞ୍ଚିଥିଲା। ମର ଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଶବ ସତ୍କାର ହୋଇଥିଲା। ଦୁଇ ବର୍ଷ ପୂର୍ବେ ତାଙ୍କର ବାହାଘର ହୋଇଥିବା ବେଳେ ତାଙ୍କ ରୋଜଗାରରେ ମାଆ, ବାପା, ପତ୍ନୀ ଓ ୧୦ ମାସର କନ୍ୟା ସନ୍ତାନ ଏବଂ ସାନଭାଇ ପ୍ରତିପୋଷଣ ହେଉଥିଲେ। ସରକାରଙ୍କ ପକ୍ଷରୁ ଏହି ଗରିବ ପରିବାରକୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଦାଦନ ଯାଉଥିବା ଶ୍ରମିକଙ୍କୁ ନିଜ ରାଜ୍ୟରେ କାର୍ଯ୍ୟ ଯୋଗାଇ ଦାଦନ ଯିବା ବନ୍ଦ କରିବାକୁ ସରକାର ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ କଲେ ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା କମିପାରନ୍ତା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment