ଛତ୍ରପୁର,୨୦/୦୯(ପିପିଟି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏନେଇ ଏକ ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ସଜାଗ ରହିବା ସହ ଆବଶ୍ୟକ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ଭାବ୍ୟ ପ୍ରବଳ ବର୍ଷା,ପବନ, ଜଳବନ୍ଦୀ ଓ ଭୂସ୍ଖଳନ ଭଳି ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାରକାରୀ ଯନ୍ତ୍ରପାତି, ଔଷଧ, ଆବଶ୍ୟକ ସାମଗ୍ରୀ ଓ ମାନବ ସମ୍ବଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରିଆସିବା ପାଇଁ ପରାମର୍ଶ ଦିଆଯାଇଥିବାବେଳେ,ଆଗାମୀ ସେପ୍ଟେମ୍ବର ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସଦର ମହକୁମା ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗ ମଧ୍ୟରେ ନିରନ୍ତର ସମନ୍ୱୟ ରଖି ପରିସ୍ଥିତି ଉପରେ ନଜର ରଖିବା ସହ ଯେକୌଣସି ଆପତ୍କାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।
ଏଥିସହ ବଜ୍ରପାତ ଓ ପ୍ରବଳ ବର୍ଷା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁନୀଲ ସାଇ ଦେବାଶିଷଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ ।