ଗଣତନ୍ତ୍ରକୁ ସୁଦୃଢ କରିବାରେ ଭୋଟର ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ଯାଜପୁର,୨୫/୦୧(ପିପିଟି); ନୂତନ ଭୋଟର ମାନେ ନିଜର ସାମ୍ବିଧାନିକ ଅଧିକାର ପ୍ରତି ସଚେତନ ହେବାକୁ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଆହ୍ୱାନ ଦେଇଛନ୍ତି । ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ୧୧ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଥିଲା । ଏଥିରେ ଯୋଗଦେଇ ଶ୍ରୀ ମହାନ୍ତି ସୁସ୍ଥ ଗଣତନ୍ତ୍ର ପାଇଁ ମତଦାନ ଜରୁରୀ ଓ ମତଦାନ ପାଇଁ ଜଣେ ସାବାଳକର ଭୋଟର ତାଲିକାରେ ନାମ ରହିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ସେଥିପାଇଁ ଭାରତ ନିର୍ବାଚନ କମିଶନ ଆଜିର ଦିବସକୁ ଭୋଟର ମାନଙ୍କ ସଚେତନତା ପାଇଁ ଉତ୍ସର୍ଗ କରିଛନ୍ତି ବୋଲି କହିଥିଲେ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଚଳିତ ବର୍ଷ ଭୋଟର ମାନଙ୍କ ପାଇଁ କମିଶନଙ୍କ ପକ୍ଷରୁ ବାର୍ତ୍ତା ଭାବେ ସମସ୍ତ ମତଦାତାଙ୍କୁ ସଶକ୍ତ, ସତର୍କ, ସୁରକ୍ଷିତ ଏବଂ ସଚେତନ କରିବା ରହିଛି ବୋଲି କହିବା ସହ ଇ- ପୋଟାଲରେ ମଧ୍ୟ ନିଜ ଭୋଟର ତଥ୍ୟ ସମ୍ପର୍କରେ ଅବଗତ ହେବାକୁ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । ଏହି ଅବସରରେ ନୂତନ ଭୋଟର ମାନଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ କରାଯିବା ସହ ୪୮ଜଣ ବିଏଲଓଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟପାଇଁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ସମସ୍ତଙ୍କୁ ମତଦାନ ଦିବସର ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ପ୍ରଜ୍ଞା ହୋତା, ଶୁଭଦର୍ଶନ ମିଶ୍ର, ସହକାରୀ ଜିଲ୍ଲାପାଳ ବୀରକିଶୋର ନାୟକ, ତରଣୀସେନ ପଟ୍ଟନାୟକ, ପଂଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଜି. ପ୍ରଭାକର ପାତ୍ର, ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ନିର୍ବାଚନ ବିଭାଗର ମୁଖ୍ୟ କିରାଣୀ ବିଜୟ କୁମାର ଦାଶ, ପଦ୍ମନାଭ ଦାଶ, ସୁବାଷ ପଣ୍ଡା, ହରିଶ ହାଇବ୍ରୃ, ବିଏଲଓ ଏବଂ ସୁପର ଭାଇଜର ମାନେ ଯୋଗ ଦେଇଥିଲେ । ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ୨୦୨୧ ଭୋଟର ତାଲିକା ପ୍ରକାଶନ ପରେ ଜିଲ୍ଲାର ମୋଟ ଭୋଟରଙ୍କ ସଂଖ୍ୟା ୧୪୮୧୯୩୦ରେ ପହଂଚିଛି । ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୭୬୯୦୫୫, ମହିଳା ଭୋଟରଙ୍କ ସଂଖ୍ୟା ୭୧୨୮୧୫ ଓ ଅନ୍ୟାନ୍ୟ ଭୋଟର ୬୦ଜଣ ରହିଛନ୍ତି । ସଂଶୋଧନ ପକ୍ରିୟାରେ ୩୧୩୫୭ ନୂତନ ଭୋଟର ସାମିଲ ହୋଇଥିବା ବେଳେ ବିବିଧ କାରଣରୁ ୨୯୩୯୮ଜଣଙ୍କୁ ତାଲିକାରୁ ବାଦ ଦିଆଯାଇଛି । ଅପର ପକ୍ଷରେ ଯୁବ ଭୋଟର ଭାବେ ୧୨୧୧୯ଜଣ ଭୋଟର ତାଲିକାରେ ସାମିଲ ହୋଇଛନ୍ତି ବୋଲି ନିର୍ବାଚନ ବିଭାଗ ସୂତ୍ରରୁ ପ୍ରକାଶ ।

Comments (0)
Add Comment