ଗଞ୍ଜେଇ ଚୋରା ଚାଲାଣ ବେଳେ ପତିପତ୍ନୀ ଗିରଫ; ଗଞ୍ଜେଇ ଜବତ ।

ଭଞ୍ଜନଗର,୧୯/୧୦(ପିପିଟି): ଗଞ୍ଜେଇ ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ଯାହା ଫଳରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ପ୍ରତିଦିନ ବହୁ ଗଞ୍ଜେଇ ମାଫିଆ ମାନଙ୍କୁ ପୋଲିସ ଗିରଫ କରୁଥବା ଦେଖାଯାଇଛି। ସେହିପରି ସୋମବାର ସକାଳ ସମୟରେ ଭଞ୍ଜନଗର ପୋଲିସ ଏସ.ଆଇ ମନସ୍ୱିନୀ ମହାନ୍ତି ସଦଳବଳେ ପେଟ୍ରୋଲିଂ କରୁଥିବା ସମୟରେ ଦୁର୍ଗା ପ୍ରସାଦ ରାସ୍ତାର ନିଧିଆ ପଲି ବସ ଷ୍ଟପ ଠାରେ ଜଣେ ପୁରୁଷ ଓ ମହିଳା ବସକୁ ଅପେକ୍ଷା କରି ଠିଆ ହୋଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା। ତଲାସୀ ନେବାରେ ସେମାନଙ୍କ ଠାରୁ ଏକ ଜରି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା। ଉଭୟଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନେ ଦୁହେଁ ପତିପତ୍ନୀ ବୋଲି ଜଣାପଡିଥିଲା।ସେମାନେ ହେଲେ କୃଷ୍ଣ ସାହୁ(୫୦) ଓ ଉର୍ବଶୀ ସାହୁ(୪୪) ଘର ଜରଡ଼ା ଥାନା କେଳୁଆ ଗ୍ରାମରେ। ମାଜିଷ୍ଟ୍ରେଟ ଆଲୋକ କୁମାର ପ୍ରଧାନଙ୍କ ଉପସ୍ଥିତିରେ ତଦନ୍ତକାରୀ ଅଫିସର ସ୍ନେହା ମଞ୍ଜରୀ ସାହୁ ଜବତ ଗଞ୍ଜେଇକୁ ଓଜନ କରିବାରେ ତାହା ୧୧,୫୭୦ଗ୍ରାମ ଥିବା ଜଣାପଡିଛି। ଏସଂକ୍ରାନ୍ତରେ ଭଞ୍ଜନଗର ଥାନାରେ ୪୫୩/୨୧ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଉକ୍ତ ଦମ୍ପତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।

 

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ ।)

Comments (0)
Add Comment