ମାଲକାନଗିରି,୨୫/୦୫(ପିପିଟି): ଗଞ୍ଜେଇ ଚୋରା ଚାଲାଣ ବେଳେ କାଲିମେଳା ପୋଲିସ ଜଣେ ତେଲେଙ୍ଗାନା ପୋଲିସ କନେଷ୍ଟବଲ ଆର ଶ୍ରୀନୁ ନାୟକ ସମେତ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ,କାଲିମେଳା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ବୁଧବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ପୋଲିସ କମଳାପଦର ଘାଟିରୁ ସନ୍ଦେହରେ ୨ଟି କାରକୁ ଜବତ କରିଥିଲା । ଉକ୍ତ କାର ଦୁଇଟିକୁ ତଦନ୍ତ କରା ପରେ ଡ଼ିକି ଭିତରୁ ୧୦୩ କିଲୋ ଗଞ୍ଜେଇ ଥିବାର ଜଣା ପଡିଥିଲା । ଗୋଟିଏ କାରରେ ୩ ଜଣ ବ୍ଯକ୍ତି ବସିଥିବା ବେଳେ ଅନ୍ୟ ଗାଡ଼ିରେ ୪ଜଣ ବ୍ଯକ୍ତି ବସିଥିଲେ । ସାତ ଜଣ ଅଭିଯୁକ୍ତଙ୍କୁ କାଲିମେଳା ଥାନାକୁ ଆଣି ପଚରା ଉଚରା କଲା ପରେ ଜଣା ପଡିଲା ଯେ ସେମାନଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନା ରାଜ୍ଯର ଜଣେ ପୋଲିସ କନେଷ୍ଟବଲ । ସେହିପରି ଅନ୍ୟ ଜଣେ ପୋଲିସ କନେଷ୍ଟବଲଙ୍କ ସଂପର୍କୀୟ ଭାଇ ବୋଲି ଜାଣା ପଡିଛି । ସେମାନଙ୍କ ଠାରୁ ୧୦୩ କିଲୋ ଗଞ୍ଜେଇ, ଏହି ୨ଟି କାର,୩ଟି ଆଇଫୋନ, ୩ଟି ସ୍ମାର୍ଟ ଫୋନ ପୋଲିସ ଜବତ କରି ୭ଜଣ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ୭ଜଣ ଗିରଫ ଅଭିଯୁକ୍ତମାନେ ହେଲେ ତେଲେଙ୍ଗାନାର ରଙ୍ଗାରେଡ଼ି ଜିଲ୍ଲା ଅନ୍ତର୍ଗତ ଲାଲବାହାଦୁର ନଗରର ଆର ଶ୍ରୀନୁ ନାୟକ (ତେଲେଙ୍କାନା ପୋଲିସ କନେଷ୍ଟବଲ- ୮୧୫୫ଏଆର),ରଙ୍ଗାରେଡ଼ି ଜିଲ୍ଲା ଅନ୍ତର୍ଗତ ମିରପେଟ ଅଞ୍ଚଳର କେ ବିଜୟ ନାୟକ, ମହାରାଷ୍ଟ୍ରର ଉସମାନବାଦ ଅଞ୍ଚଳର ବାଲୁ ଯାଦବ, କାଲିମେଳା ଦୁଲାଗାଣ୍ଡି ଗ୍ରାମର କେ.ଲକ୍ଷ୍ମଣ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଞ୍ଚଳର ଆର. କାର୍ତ୍ତିକ,ଆର ରାଜୀବ ଏବଂ ଏନ୍ ବେଣୁ ଗୋପାଳ ବୋଲି କାଲିମେଳା ପୋଲିସ ସୂତ୍ରରୁ ଜଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)