ଗଞ୍ଜାମରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ; ୫୧,୧୩୩ଟି ମାମଲାର ଆପୋଷ ସମାଧାନ ।

ବ୍ରହ୍ମପୁର,୧୨/୦୯(ପିପିଟି):ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଜିଲ୍ଲାର ବିଭିନ୍ନ ଅଦାଲତରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଜିଲ୍ଲା କୋର୍ଟ ସମେତ ଜିଲ୍ଲାର ସମସ୍ତ ଅଦାଲତରେ ଆୟୋଜିତ ଏହି ଲୋକ ଅଦାଲତରେ ମୋଟ ୫୧,୧୩୩ଟି ମାମଲାର ଆପୋଷ ସମାଧାନ କରାଯାଇଥିବା ବେଳେ ସମୁଦାୟ ୧୦ କୋଟି ୫ ଲକ୍ଷ ୭୮ ହଜାର ୮୧୫ ଟଙ୍କା ପ୍ରଦାନ ପାଇଁ ଆଦେଶ ହୋଇଛି ।

ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତ ପାଇଁ ବିଭିନ୍ନ ନ୍ୟାୟାଳୟରେ ୧୭ଟି ବେଞ୍ଚ ଗଠନ କରାଯାଇଥିଲା । ପ୍ରତ୍ୟେକ ବେଞ୍ଚରେ ଜଣେ ନ୍ୟାୟିକ ଅଧିକାରୀଙ୍କ ସହ ଜଣେ ଆଇନଜୀବୀ ଓ ଜଣେ ସମାଜସେବୀଙ୍କୁ ସାମିଲ କରାଯାଇ ମାମଲାଗୁଡ଼ିକର ଆପୋଷ ସମାଧାନ କରାଯାଇଥିଲା ।

ଲୋକ ଅଦାଲତରେ ୫୨ଟି ଫୌଜଦାରୀ ଆପୋଷ ଯୋଗ୍ୟ ମାମଲାର ସମାଧାନ ହୋଇଥିବା ବେଳେ ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟ ଆକ୍ଟ ଅଧୀନରେ ୨୫ଟି ମାମଲାରେ ୬୬ ଲକ୍ଷ ୩୫ ହଜାର ୭୫୭ ଟଙ୍କା ଆଦାୟ ପାଇଁ ଆଦେଶ ହୋଇଛି । ସେହିପରି ବ୍ୟାଙ୍କ ଋଣ ଆଦାୟ ସମ୍ବନ୍ଧୀୟ ୧୯୩ଟି ମାମଲାରେ ୯୫ ଲକ୍ଷ ୯୮ ହଜାର ୮୧୯ ଟଙ୍କାର ସମାଧାନ କରାଯାଇଛି ।

ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲର ୭୫ଟି ମାମଲାରେ ୭ କୋଟି ୫ ଲକ୍ଷ ୯୧ ହଜାର ଟଙ୍କାର କ୍ଷତିପୂରଣ ନିର୍ଦ୍ଧାରଣ ହୋଇଥିବା ବେଳେ ୨୬୧ଟି ଟ୍ରାଫିକ୍ ଚାଲାଣ ମାମଲା, ୧୧ଟି ଶ୍ରମ ବିବାଦ, ୫୪ଟି ବୈବାହିକ ବିବାଦ ଏବଂ ୧୭୯ଟି ଅନ୍ୟାନ୍ୟ ମାମଲାର ସମାଧାନ କରାଯାଇଛି । ଏଥିସହ ୫୦,୩୯୮ଟି ରାଜସ୍ୱ ମାମଲାରେ ୫ ଲକ୍ଷ ୯୪ ହଜାର ୫୩୮ ଟଙ୍କା ଆଦାୟ ହୋଇଥିବା ବେଳେ ସ୍ଥାୟୀ ଲୋକ ଅଦାଲତରେ ଜନସେବା ସମ୍ବନ୍ଧୀୟ ୫ଟି ମାମଲାର ସମାଧାନ ହୋଇଛି । ଏହାସହ ୫୫ଟି ଦେୱାନୀ ମାମଲାର ସମାଧାନ ସହ ୭୫ ଲକ୍ଷ ୭୮ ହଜାର ୪୫୪ ଟଙ୍କାର ଡିକ୍ରି ହୋଇଛି ।

ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ଅଶାନ୍ତ କୁମାର ଦାସଙ୍କ ସମେତ ଦ୍ୱିତୀୟ ଏମ୍‌ଏସିଟି ବିଶ୍ୱଜିତ ଦାସ, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ନରେଶ ମହାନ୍ତି, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଲଳିତା ମଞ୍ଜରୀ ପଟ୍ଟନାୟକ ଓ ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିବସ୍ୱତ ଗୌତମ ମୋଟର ଦୁର୍ଘଟଣା ସମ୍ବନ୍ଧୀୟ ମାମଲାଗୁଡ଼ିକର ସମାଧାନରେ ଅଂଶଗ୍ରହଣ କରିଥିଲେ । ପ୍ରାଧିକରଣର ସଚିବ ବ୍ୟୋମକେଶ ନାୟକ ଲୋକ ଅଦାଲତର ସୁପରିଚାଳନା କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ନ୍ୟାୟାଳୟର ବିଚାରପତି, ଆଇନଜୀବୀ, ବ୍ୟାଙ୍କ ଅଧିକାରୀ, କୋର୍ଟ କର୍ମଚାରୀ ଓ ଜନସାଧାରଣ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।

Comments (0)
Add Comment