ଗଛ ଡାଳ ପଡ଼ି ଅଟୋ ଚାଳକଙ୍କ ମୃତ୍ୟୁ ।

ଭଞ୍ଜନଗର,୦୬/୦୫(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ପାଟଖଣ୍ଡା ମନ୍ଦିର ନିକଟରେ ଶୁକ୍ରବାର ସକାଳେ ଗଛ ଡାଳ ପଡ଼ି ଜଣେ ଅଟୋ ଚଳକର ମୃତ୍ୟୁ ଘଟିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତକ ଜଣକ ହେଲେ ନୀଳମଣି ସାହୁ। ସୂଚନା ମୁତାବକ ନୀଳମଣି ନିଜ ଗ୍ରାମ ହରିଗଡ଼ ଶାନ୍ତି ନଗରରୁ ଯାତ୍ରୀଙ୍କୁ ଅଟୋରେ ବସାଇ ଯାଉଥିବା ବେଳେ କିଛି ଯାତ୍ରୀ ଗୁଜୁରାଳି ସ୍ଥିତ ପାଟଖଣ୍ଡା ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ଅଟୋ ରଖି ନୀଳମଣି ବସିଥିବା ବେଳେ ହାଠାତ୍ ତାର ଫୋନ ଆସିବାରୁ ସେ ପାଖରେ ଥିବା ଏକ ଗଛମୂଳେ ଠିଆ ହୋଇ ଫୋନରେ କଥା ହେଉଥିଲେ। ଏହି ସମୟରେ ପୂର୍ବରୁ କାଳ ବୈଶାଖୀରେ ସେହି ଗଛରୁ ଅଧା ଭାଙ୍ଗି ରହିଥିବା ଗୋଟିଏ ବିରାଟ ଡାଳ ଛିଣ୍ଡି ନୀଳମଣିର ମୁଣ୍ଡ ଉପରେ ପଡିଯାଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା। ଏସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment