ଛତ୍ରପୁର,୦୩/୧୨(ପିପିଟି): ଏନ୍ଏସି କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଗଂଜାମ ଜ଼ିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଲୋକମାନେ ଯୋଗଦାନ କରିଥିଲେ । ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ନାରାୟଣ ସାହୁଙ୍କ ସଂଯୋଜନା ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ଯକ୍ଷା ଶର୍ମିଷ୍ଠା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାସଂଘର ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ବିଶ୍ୱ ଭିନ୍ନକ୍ଷମ ଦିବସ ୨୦୨୫ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରି ଭିନ୍ନକ୍ଷମ ଲୋକମାନେ କୌଣସି ଗୁଣରେ କମ ନୁହଁନ୍ତି, ଯଦି ସେମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଏ ତେବେ ସେମାନେ ମଧ୍ୟ ଭାରତର ଅର୍ଥନୀତିରେ ଅଂଶୀଦାର ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ସୁଶାନ୍ତ କୁମାର ସାବତ ସଭାପତି ମହାନସଙ୍ଘ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ଶିକ୍ଷା,ପ୍ରଶିକ୍ଷଣ ଓ ନିଯୁକ୍ତି ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ଛତ୍ରପୁର ମନୋଜ ପ୍ରଧାନ ଯୋଗ ଦେଇ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ମାନଙ୍କୁ ସମାଜରୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସରକାରଙ୍କ ସାମାଜିକ ନିରାପତା ତଥା ବିଭିନ୍ନ ବିକାଶ ମୂଳକ ଯୋଜନାରେ ସେମାନଙ୍କୁ ସାମିଲ କରି ସ୍ୱାବଲମ୍ବୀ କରି ପାରିବା । ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ସମାଜସେବୀ ସୁଧୀର ପଟ୍ଟନାୟକ ଯୋଗ ଦେଇ ବିଶ୍ୱ ଭିନ୍ନକ୍ଷମ ଦିବସ ଓ ଭିନ୍ନକ୍ଷମତା ଉପରେ ଆଲୋକପାତ କରିଥିଲେ। ଏହା ବ୍ୟତୀତ ବିଶିଷ୍ଟ ସମାଜସେବୀ ରାମକୃଷ୍ଣ ରାଓ ଅନ୍ୟତମ ସାନମାନନୀୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସମାଜର ପ୍ରତ୍ୟକ ବ୍ୟକ୍ତି ଏହି ପ୍ରଗତିର ରଥକୁ ଆଗକୁ ନେବା ଉଚିତ ବୋଲି ମତବ୍ୟକ୍ତ କରିବା ସହ ଯଦି କେବେ ସୁଯୋଗ ମିଳେ ତେବେ ସେ ନିଜେ ଏଥିରେ ସାମିଲ ହେବେବୋଲି ପ୍ରତିଶୃତି ଦେଇଥିଲେ ।
ପ୍ରାରମ୍ଭରେ ସମର୍ଥ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିଵେକ୍ଷଣ କରିଥିବା ବେଳେ ଭିନ୍ନକ୍ଷମ କଳାକାର ମିସାରାଣୀ ପ୍ରଧାନ, ଭଗବାନ ମଲ୍ଲିକ ଓ କୁଶ ଦାସ ସାଂସ୍କୃତିକ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୁଗ୍ଧ କରିଥିଲେ। ସମର୍ଥ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ବାବୁସାନ ମଣ୍ଡଳକୁ ଏକ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଉପସ୍ଥିତ ସମସ୍ତ ଭିନ୍ନକ୍ଷମ ମାନଙ୍କୁ ଗୋଟିଏ ଗୋଟିଏ ପ୍ଲାଷ୍ଟିକ ବାଲ୍ଟି ଓ କମ୍ବଳ ଇତ୍ୟାଦି ମହାସଂଘ ତରଫରୁ ପ୍ରଦାନ କରାଯାଇଥିଲା । ଶେଷରେ ମହାସଂଘର ସାଧାରଣ ସମ୍ପାଦକ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ଉପସ୍ଥିତ ସମସ୍ତ ଭିନ୍ନକ୍ଷମ ଲୋକମାନଙ୍କୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।