ଛତ୍ରପୁର,୦୬/୦୩(ପିପିଟି): ଆଜି ଗଂଜାମ ଜ଼ିଲ୍ଲା ପରିଷଦର ୮ମ ବୈଠକ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ସଭାପତି ଅଞ୍ଜଳି ସ୍ୱାଇଁ, ଉପ-ସଭାପତି ଏସ୍. ରାଜେଶ୍ୱରୀ ଦୋରା,ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ,ବ୍ରହ୍ମପୁର ମହାନଗର ନିଗମର କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ,ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ସମସ୍ତ ଜ଼ିଲ୍ଲା ପରିଷଦର ସଦସ୍ୟI ଓ ସଦସ୍ୟ, ବିଭାଗୀୟ ଅଧିକାରୀ, ଅଧିକ୍ଷଣ ଯଂନ୍ତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଗ୍ରୀଷ୍ମଋତୁ ଉପନୀତ । ଖରା କ୍ରମଶଃ ବଢ଼ିବାରେ ଲାଗିଲାଣି । ତେଣୁ ପୁରପଲ୍ଲୀଠାରୁ ଆରମ୍ଭ କରି ସହର ଯାଏଁ ଜନସାଧାରଣ କିପରି ଚଳିତବର୍ଷ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେ ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଜ଼ିଲ୍ଲା ପରିଷଦର ସଦସ୍ୟI ଓ ସଦସ୍ୟମାନେ ନିଜ ନିଜ ଅଞ୍ଚଳର ସମସ୍ୟା ମୁଖ୍ୟତଃ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ଜ଼ିଲ୍ଲାର ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖାଯାଇ ଜିଲ୍ଲା ପ୍ରଶାସନ ଦ୍ୱାରା ପାନୀୟ ଜଳ ସମସ୍ୟା ଦୂରୀକରଣ ପାଇଁ ତିନିପ୍ରକାର ବ୍ୟବସ୍ଥା ସମ୍ପର୍ଣ୍ଣ ଏସଓପି ପ୍ରସ୍ତୁତ କରାଯାଇଛି । ସେହି ବ୍ୟବସ୍ଥା ଗୁଡିକ ହେଲା ସମସ୍ତ ନଳକୂପ ଓ ଆନୁସଙ୍ଗିକ ଯନ୍ତ୍ରପାତିର ମରାମତି, ମୋବାଇଲ ଭ୍ୟାନଯୋଗେ ପାନୀୟ ଜଳ ଯୋଗାଣ ଏବଂ ଜଳକ୍ଲିଷ୍ଟ ଅଂଚଳରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ବୋଲି ଜ଼ିଲ୍ଲାପାଳ ସୂଚନା ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଗ୍ରୀଷ୍ମ ଋତୁରେ ଜ଼ିଲ୍ଲାର କୌଣସି ସରକାରୀ ଅନୁଷ୍ଠାନ ବିଶେଷକରି ଅଙ୍ଗନବାଡି କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ଗୁଡିକୁ ନିରବଛିନ୍ନ ବିଦ୍ୟୁତ ଯୋଗାଇଦିଆଯିବ । ଖରାଦିନେ ସମ୍ବେଦନତାର ସହ କାର୍ଯ୍ୟ କରିବାକୁ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାକୁ ଜ଼ିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ଜନସାଧାରଣଙ୍କର ସମସ୍ୟା ସମାଧାନ କରି ଗଞ୍ଜାମ ଜିଲ୍ଲାର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ହେଲେ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ପାଇଁ ସମସ୍ତଙ୍କ ମଧ୍ୟରେ ସଠିକ୍ ସମନ୍ୱୟର ଆବଶ୍ୟକତା ରହିଛି। ଉନ୍ନୟନ ପ୍ରକଳ୍ପ ଓ ଜନହିତୈଷୀ ଯୋଜନାର ସୁବିଧା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସମୟରେ ଆଦିବାସୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସବୁବେଳେ ପ୍ରଧାନ୍ୟ ଦେବାପାଇଁ ବିଧାୟକମାନେ ପରାମର୍ଶ ଦେଇଛନ୍ତି ।
ଆଜିର ବୈଠକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ, ଜିଲ୍ଲା ଜଳ ଓ ପରିମଳ ମିଶନ, ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ନିର୍ମାଣ ବିଭାଗ, ରାସ୍ତା ଓ କୋଠାବାଡ଼ି ବିଭାଗ, ଜଳସେଚନ ବିଭାଗ,ଯୋଗାଣ ବିଭାଗ,ଶିକ୍ଷା ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ଜଙ୍ଗଲ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ସମାଜ ମଙ୍ଗଳ ବିଭାଗ ଏବଂ ସାମାଜିକ ସୁରକ୍ଷା ବିଭାଗ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟାନ୍ୱୟନ ତଥ୍ୟ ଉପସ୍ଥାପନା କରିଥିବା ବେଳେ ଜନପ୍ରତିନିଧିମାନେ ଜନସାଧାରଣଙ୍କର ଆବଶ୍ୟକତା ଓ ମତାମତ ଉପସ୍ଥାପନ କରିଥିଲେ ।
ସୂଚନାଯୋଗ୍ୟ ଯେ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ ଜିଲ୍ଲାରେ ୨୦୨୫–୨୬ ଆର୍ଥିକ ବର୍ଷରେ ୧,୦୦,୧୩,୬୪୬ ଶ୍ରମ ଦିବସ ସୃଷ୍ଟି ହୋଇସାରିଛି ଏବଂ ୧,୩୮,୫୦,୦୦୦ ଶ୍ରମ ଦିବସର ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିl
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଗରିବ ଲୋକଙ୍କୁ ପକ୍କାଘର ଯୋଗାଇବାରେ ଜିଲ୍ଲା ଆଖିଦୃଶିଆ ଅଗ୍ରଗତି କରିପାରିଛି । ଚଳିତ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ୩୨୦୬ ଗୃହ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୪୬୧୪ ଗୃହ ସମ୍ପୁର୍ଣ୍ଣ କରାଯାଇପାରିଛି । ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଆବଣ୍ଟିତ ୫୦% ରୁ ଅଧିକ ଅର୍ଥ ବିଭିନ୍ନ ପ୍ରକଳ୍ପରେ ନିୟୋଜିତ ହୋଇସାରିଛି । ଜିଲ୍ଲା ଜଳ ଓ ପରିମଳ ମିଶନ ଅଧୀନରେ ୫୨,୫୦୭ ଧାର୍ଯ୍ୟ ଲକ୍ଷ୍ୟରୁ ୪୪,୭୩୦ ଅର୍ଥାତ ୮୫% ହାସଲ କରାଯାଇପାରିଛି ।
ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ନେଇ ବିଷଦ ଆଲୋଚନା ହୋଇଥିଲା । ପ୍ଲାଷ୍ଟିକ ବ୍ୟବହାର ହୋଇନଥିବାରୁ ମାନ୍ୟବର ବିଧାୟକ, ଦିଗପହଣ୍ଡି ସନ୍ତୋଷ ପ୍ରକାଶ କରିଥିଲେ ତତ୍ ସହିତ ବୈଠକରେ ସ୍ଵଚ୍ଛ ଭାରତ ମିଶନ (ଗ୍ରାମୀଣ) କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଗଞ୍ଜାମ–୧, ଗଞ୍ଜାମ–୨ ଓ ଭଞ୍ଜନଗର ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପାନୀୟ ଜଳ ପ୍ରକଳ୍ପ ଓ ସେ ସମ୍ପର୍କିତ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଅଧିକ୍ଷଣ ଯନ୍ତ୍ରୀମାନେ ସୂଚନା ଦେଇଥିଲେ । ଏହା ସହିତ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ତଥ୍ୟ ଉପସ୍ଥାପନ କରିଥିଲେ ।