ଖେମୁଣ୍ଡିଖୋଲ ଠାରେ ମହିଳା ମାନଙ୍କୁ ମକା ପ୍ରକ୍ରିୟାକରଣ ଉପରେ ମୂଲ୍ୟ ଯୋଗ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ।

ବ୍ରହ୍ମପୁର,୦୮/୦୬(ପିପିଟି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଖେମୁଣ୍ଡିଖୋଲ ଠାରେ ମହିଳା ମାନଙ୍କୁ ମକା ପ୍ରକ୍ରିୟାକରଣ ଉପରେ ମୂଲ୍ୟ ଯୋଗ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ଯୋଜନା ଆନୁକୂଲ୍ୟରେ ଆୟୋଜିତ ଶିବିରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଯୋଗ ଦେଇଥିଲେ । ସୂଚନାନୁଯାୟୀ ରାଜ୍ୟ ସରକାର ମହିଳା ମାନଙ୍କୁ ସଶକ୍ତିକରଣ ତଥା ସ୍ବାବଲମ୍ବୀ କରିବା ସକାଶେ ମିଶନ ଶକ୍ତି ଯୋଜନା ମାଧ୍ୟମରେ ବିଭିନ୍ନ କାର୍ଯ୍ୟପନ୍ଥା ଅବଲମ୍ବନ କରିଛନ୍ତି । ଏଥିସହ ସେମାନେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ମହିଳାକୁ ଏଥିରେ ସାମିଲ କରି ନୂତନ ପନ୍ଥା ଜରିଆରେ ଉନ୍ନତ ଧରଣର ଚାଷ କିମ୍ବା ମେସିନ କାମ କରିବା ପାଇଁ ଆଗେଇ ଆସୁଛନ୍ତି । ତେଣୁ ସେମାନଙ୍କୁ ଓରମାସ ସଂସ୍ଥା ମାଧ୍ୟମରେ ସହାୟତା ରାଶି ଯୋଗାଇ ଦିଆଯାଉଛି । ଏହି ଅବସରରେ ଆଜି ପ୍ରଶାଶନର ଦୁଇ ଅଧିକାରୀ ସମେତ ସ୍ଥାନୀୟ ବ୍ଳକ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଗ୍ରାମରେ ପହଞ୍ଚିବା ପରେ ବିଭିନ୍ନ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ସ୍ବାଗତ କରାଯାଇଥିଲା । ଏହାପରେ ଅନୁଷ୍ଠିତ ଶିବିରରେ ପୂର୍ବରୁ ମହିଳା ମାନେ ଉତ୍ପାଦିତ ମକାକୁ ଶସ୍ୟ ଆକାରରେ ବିକ୍ରି କରୁଥିବା ବେଳେ ଅଧିକ ଲାଭ ହେଉନଥିବା ବେଳେ ଆଜି ସେହି ମକାକୁ ପ୍ରକ୍ରିୟାକରଣ କରି ସେଥିରୁ ଚୁନା ପ୍ରସ୍ତୁତ କରି ବଜାରରେ ବିକ୍ରୀ କରିବା ଦ୍ୱାରା ଏହାର ଚାହିଦା ବୃଦ୍ଧି ପାଇବା ସହ ଅଧିକ ଅର୍ଥ ଲାଭବାନ ହୋଇପାରିବେ ବୋଲି ଆଲୋଚନା କରିଥିଲେ । ଏଥିନେଇ ମହାରାଷ୍ଟ୍ରରୁ ଆସିଥିବା ପ୍ରଶିକ୍ଷକ ଦ୍ଵାରା ଦୁଇ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମା ବେହେରାପାତ୍ର ଉତ୍ପାଦକ ଗ୍ରୁପ ଓ ମାଁ ସମଲେଶ୍ବରୀ ଉତ୍ପାଦକ ଗ୍ରୁପ ସଦସ୍ୟଙ୍କୁ ୧୦ ଦିନ ଧରି ତାଲିମ ଦିଆଯିବ ବୋଲି ଜଣାପଡିଛି ‌। ଏହାପରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପୋଡାମାରୀ ଓ ଡେଙ୍ଗାଓସ୍ତା ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମେଡିକାଲ ଚତୁଃପାର୍ଶ୍ଵ ଓ ରୋଗୀ ସେବା କକ୍ଷ ପରିଦର୍ଶନ କରିଥିଲେ । ତେବେ ପୋଡାମାରୀ ସ୍ବାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥାକୁ ନେଇ ବିରକ୍ତି ପ୍ରକାଶ କରିଥିବା ବେଳେ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ନେଇ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଉରା ପଞ୍ଚାୟତର ରଘୁନାଥ ସାଗର କେନ୍ଦ୍ର ପରିଦର୍ଶନ କରି ଚଳିତ ଧାନ ବୁଣା ସମୟରେ ବର୍ଷା ଅଭାବ କାରଣରୁ ଜମି ଫାଟି ମରୁଡି ସ୍ଥିତି ସୃଷ୍ଟି ହୋଇଥାଏ । ଯାହାଫଳରେ ଏହାର ସମସ୍ୟା ସମାଧାନ କରାଯାଇ ଯେପରି ଚାଷ ଜମିରେ ଜଳସେଚନ କରାଯାଇପାରିବ ଏବଂ ଗ୍ରାମାଞ୍ଚଳ ପର୍ଯ୍ୟଟନ ବିକାଶ ନିମନ୍ତେ ଆଲୋଚନା କରିଥିଲେ । ଏହି ସମୟରେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅର୍ଚ୍ଚନା କହଁର , ସରପଞ୍ଚ ପ୍ରତିନିଧି ମଙ୍ଗଳା ଗମାଙ୍ଗ , ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପୃଷ୍ଟି , କନିଷ୍ଠ ଯନ୍ତ୍ରୀ ମନୋଜ ବେହେରା ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment