ସମ୍ବଲପୁର,୨୬/୦୫: ସମ୍ବଲପୁର ଜିଲ୍ଲା ବାମରା ଖଳାଶୁଣି ବନ୍ୟପ୍ରାଣୀ ଅଭୟାରଣ୍ୟ କିସିଣ୍ଡା ରେଞ୍ଜ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ହୋଇ ଚିକିଶ୍ଚିତ ହେଉଥିବା ଏକ ମାଈ ହାତୀର ମୃତ୍ୟୁ ଘଟିଛି । ରବିବାର ଅପରାହ୍ନ ୨ ଟା ୧୦ ମିନିଟ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ମାଈ ହାତୀର ମୃତ୍ୟୁ ଘଟି ଥିଲା । ପ୍ରାପ୍ତ ଖବର ଅନୁସାରେ ଖଳାଶୁଣି ବନ୍ୟପ୍ରାଣୀ ଅଭୟାରଣ୍ୟ ସଂରକ୍ଷିତ ଜଙ୍ଗଲର କମ୍ପାଟମେଣ୍ଟ ନମ୍ବର ୧୨ ରେ ବୟସାଧିକ କାରଣରୁ ଏକ ମାଈ ହାତୀ ବୁଲା ବୁଲି କରି ପାରୁ ନ ଥିବାରୁ ଗତ ମାର୍ଚ୍ଚ ମାସ ଠାରୁ କିସିଣ୍ଡା ରେଞ୍ଜ ପକ୍ଷରୁ ଉକ୍ତ ହାତୀର ଗତିବିଧି ଉପରେ ନଜର ରଖାଯାଇଥିଲା । ତେବେ ୨୪ ଦିନ ଉକ୍ତ ମାଈ ହାତୀ ଟି ଚଲାବୁଲା କରୁଥିବା ବେଳେ ହଠାତ ତଳେ ଭୂଇଁରେ ପଡି ଯାଇଥିବା ବେଳେ ଆଉ ଉଠି ପାରି ନ ଥିଲା । ଖବର ପାଇବା ପରେ ସଙ୍ଗେ ସଙ୍ଗେ ନାକଟିଦେଉଳ ପ୍ରାଣୀ ଧନ ଚିକିତ୍ସକ ଏବଂ ଟିମ ଦ୍ୱାରା ଅସୁସ୍ଥ ମାଈ ହାତୀର ଚିକିତ୍ସା କରାଯାଇଥିଲେ ମଧ୍ୟ ରବିବାର ଦିନ ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଖବର ପାଇ ସୋମବାର ସକାଳୁ ବାମରା ଡ଼ିଏଫଓ ସମୀର କୁମାର ସାହୁ, ସହକାରୀ ବନ ସଂରକ୍ଷକ ଆଲୋକ କୁମାର ଷଡ଼ଙ୍ଗୀ ଏବଂ କିସିଣ୍ଡା ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ତଦନ୍ତ କରିଥିଲେ । ଏହାପରେ ନାକଟିଦେଉଳ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ଅଙ୍କିତ କୁମାର ସାହୁ, ରେଢ଼ାଖୋଲ ବି ଭି ଓ ଡା. ଶୁଭ ପ୍ରକାଶ ସୋରେନ ଏବଂ ଜମନକିରା ବ୍ଲକ ଭୋଜପୁର ର ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ଭୁବନେଶ୍ୱର ସାହୁ ପ୍ରମୁଖ ଏକ ତିନି ଜଣିଆ ଟିମ ବାମରା ବନ୍ୟପ୍ରାଣୀ ଅଭୟାରଣ୍ୟ ଅଧିକାରୀଙ୍କ ଉପସ୍ଥିତିରେ ମୃତ ହାତୀର ବ୍ୟବଚ୍ଛେଦ କରିବା ପରେ ଜେସିବି ମେସିନ ରେ ଗାତ ଖୋଳି ମୃତ ମାଈ ହାତୀକୁ ସେଠାରେ ପୋତି ଦିଆଯାଇଥିଲା । ତେବେ ପ୍ରାୟ ୭୦ ବର୍ଷର ଏହି ମାଈ ହାତୀ ର ବୟସାଧିକ କାରଣରୁ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ଖଳାଶୁଣି ଅଭୟାରଣ୍ୟ କିସିଣ୍ଡା ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁ କହିଛନ୍ତି ।