ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଦ୍ୱାରା ଛତ୍ରପୁର ମହୋତ୍ସବ ଉଦଘାଟିତ ।

ଛତ୍ରପୁର,୦୧/୦୬(ପିପିଟି): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଉଠୁଛି ପଡୁଛି ଛତ୍ରପୁର ସହର । ଜନ ଗହଳି ସାଙ୍ଗକୁ ଆଲୋକ ତୋରଣରେ ସୁସଜ୍ଜିତ ସହର କୁ ଅଧିକ ଆକର୍ଷଣୀୟ କରିଛି । ଏହି ଅବସରରେ ଛତ୍ରପୁରର କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ତତ୍ୱବଧାନରେ ଆୟୋଜିତ ଛତ୍ରପୁର ମହୋତ୍ସବକୁ ଓଡିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ବିଭିନ୍ନ ବିଭାଗ ସମନ୍ଵୟରେ ଆୟୋଜିତ ପଲ୍ଲିଶ୍ରୀ ମେଳା, ଜିଲ୍ଲା ସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା, ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା, ଖାଦ୍ୟ ମେଳା ଓ ସୁଭଦ୍ରା ଶକ୍ତି ମେଳାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ଜେନା ଉଦଘାଟନ କରିଥିଲେ । ସେ ବିଭିନ୍ନ ଷ୍ଟଲ ଗୁଡିକ ବୁଲି ଦେଖିବା ସହିତ ଉତ୍ପାଦକ ଓ ବିକ୍ରୀକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ବିବିତା ପାତ୍ର,ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ,ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର ଜେନା ଆଜିର କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇଥିଲେ ।

ଛତ୍ରପୁର ମହୋତ୍ସବର ଭବ୍ୟ ଓ ଦିବ୍ୟ ଆୟୋଜନ ତାସହିତ ମେ ୪ ତାରିଖ ଠାରୁ ଏ ମାଟିର ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଧୂମଧାମରେ ଚାଲି ଆସିଛି ଏହାକୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ଆଜିଠୁ ପଲ୍ଲିଶ୍ରୀ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ, କୃଷି ଯନ୍ତ୍ରପାତି,ଖାଦ୍ୟ ଓ ସୁଭଦ୍ରା ଶକ୍ତି ମେଳା । ତାସହିତ ଆକର୍ଷଣୀୟ ସାମାଜିକ ଓ ସାଂସ୍କୃତିକ ଆୟୋଜନ ହେଉଛି । ମାଛ ଚାଷ ଠାରୁ ଆରମ୍ଭକରି ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ଉତ୍ପାଦ ମୋତେ ଅଭିଭୂତ କରିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଗଞ୍ଜାମ ଜିଲ୍ଲାର ପାରମ୍ପରିକ ନୃତ୍ୟ ଓଡିଶୀ,ପାଇକ ଆଖଡ଼ା ଭଳି ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ଓଡ଼ିଶାର ସୁନାମଧନ୍ୟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଓ ଅନୁରାଗ ଦାଶଙ୍କ ଗୀତର ଯାଦୁରେ ଦର୍ଶକ ମାନେ ବେଶ ବିଭୋର ହୋଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଦର୍ଶକ ମାନେ ବେଶ ମନଭରି ଉପଭୋଗ କରିଥିଲେ । ଏହି ଅବସର ରେ ଛତ୍ରପୁର ର ଦୁଇଜଣ ଯୁବ ପ୍ରତିଭା ଅନ୍ତର୍ଜାତିକ ପାରା ଖେଳାଳି ଭି. ରମେଶ ରାଓ ଓ ଜାତୀୟ ସ୍ତରରେ ବଡ଼ି ବିଲଡିଂ କରି ସୁନାମ ଅର୍ଜନ କରିଥିବା ପୋଲିସ କର୍ମଚାରୀ ବଲାଲ ଖାନଙ୍କୁ ସମ୍ମାନିତ କରାଯାଇଥିଲା ।

ତିନି ତାରିଖରେ ଗଞ୍ଜାମ ଜିଲ୍ଲାକୁ ଦେଶର ଶ୍ରେଷ୍ଠ ଦ୍ଵିତୀୟ ଜିଲ୍ଲାଭାବେ ଜାତୀୟ ପୁରସ୍କାର ମିଳିବ । ଛତ୍ରପୁର ବ୍ଲକର ପୋଟଲାମପୁର ପଞ୍ଚାୟତକୁ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଏବଂ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତକୁ ଶ୍ରେଷ୍ଠ ସାମାଜିକ ନ୍ୟାୟଓ ସାମାଜିକ ସୁରକ୍ଷିତ ପଞ୍ଚାୟତ ଭବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଜ଼ିଲ୍ଲାପାଳ ସୂଚନା ଦେଇଥିଲେ l

ପଲ୍ଲୀଶ୍ରୀ ମେଳାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହସ୍ତତନ୍ତ, ହସ୍ତଶିଳ୍ପ କାରିଗରମାନେ ନିଜ ନିଜର ଉତ୍ପାଦିତ ଗ୍ରାମୀଣ ଉତ୍ପାଦଗୁଡ଼ିକ ବିକ୍ରି କରିବାର ସୁଯୋଗ ପାଇଛନ୍ତି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ଷ୍ଟଲରେ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ତଥା ଗୋଷ୍ଠୀମାନଙ୍କ ପାଇଁ ଜୀବିକା ବୃଦ୍ଧିର ବିଭିନ୍ନ ଦିଗଗୁଡ଼ିକ ପ୍ରଦର୍ଶନ କରାଯାଇଛି । କୃଷି ଯନ୍ତ୍ରପାତି ମେଳାରେ ଅତ୍ୟାଧୁନିକ କୃଷି ଉପକରଣ ପ୍ରଦର୍ଶନପୂର୍ବକ ଗଞ୍ଜାମ ଜିଲ୍ଲାର ଚାଷୀମାନଙ୍କ ପାଇଁ ଲାଭଦାୟକ ଚାଷ ଉପରେ ଷ୍ଟଲରେ ଯୋଜନାଗୁଡ଼ିକ ପ୍ରଦର୍ଶିତ କରାଯାଇଛି । ଏତଦ୍‌ବ୍ୟତୀତ ଖାଦ୍ୟ ମେଳାରେ ଓଡ଼ିଶାର ପାରମ୍ପରିକ ଖାଦ୍ୟପେୟ ଯଥା ପିଠା,ପଣା,ମିଷ୍ଟାନ୍ନ ଇତ୍ୟାଦି ସହିତ ବାଲେଶ୍ୱରର ପତ୍ରପୋଡ଼ା ମାଂସ,ବାରିପଦାର ମୁଢ଼ିମାଂସ ଇତ୍ୟାଦି ମିଳୁଛି । ତତ୍‌ ସହିତ ପ୍ରତିଦିନ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଓ ଦେବଦତ୍ତ ପଣ୍ଡା,ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନ ସହଯୋଗ କରିଥିଲେ । ଏହି ମହୋତ୍ସବ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

Comments (0)
Add Comment