ଭୁବନେଶ୍ୱର,୧୩/୦୮(ପିପିଟି ):କଂଗ୍ରେସ ଭବନଠାରେ ରାଜ୍ୟ ସ୍ବାର୍ଥ ପରିପନ୍ଥୀ ଖଣିଜ ଦ୍ରବ୍ଯ ସଂପର୍କୀୟ ଏକ ବିଧେୟକକୁ ନେଇ ଓପିସିସି ଗଣମାଧ୍ୟମ ବିଭାଗ ତରଫରୁ ଏକ ସାମ୍ବାଦିକ ସମ୍ମିଳନ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ଡ.ପଞ୍ଚାନନ କାନୁନଗୋ ଏବଂ ଗଣମାଧ୍ୟମ ବିଭାଗ ଅଧ୍ଯକ୍ଷ ଅରବିନ୍ଦ ଦାସ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ପ୍ରାରମ୍ଭରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଦାସ କହିଥିଲେ ଯେ, ଗତ ୧୨ ଅଗଷ୍ଟ ୨୦୨୬ ଖଣି ଓ ଖଣିଜଜାତ ପଦାର୍ଥ ବିକାଶ ସଂଶୋଧନ ବିଲ ଲୋକସଭାରେ ଗୃହିତ ହୋଇଛି।
ଯାହା ରାଜ୍ଯବାସୀଙ୍କ ସ୍ବାର୍ଥର ପରିପନ୍ଥୀ। ଓଡିଶା ସମେତ ଝାରଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଭଳି ଖଣି ବହୁଳ ରାଜ୍ଯ ଗୁରୁତର ଭାବେ ପ୍ରଭାବିତ ହେବେ। ଏହି ବିଲ ରାଜ୍ଯର ଆର୍ଥିକ ସ୍ୱାୟତ୍ତତା ନଷ୍ଟ କରିଦେଇଛି । ଓଡିଶା ଭଳି ଗରିବ ରାଜ୍ୟ ବାର୍ଷିକ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷତି ସହିବ। ରାଜ୍ଯକୁ ୧.୫ ଲକ୍ଷ କୋଟିରୁ ୨ଲକ୍ଷ କୋଟି ଟଙ୍କା ମିଳିବାର ଥିଲା ଓ ଯାହା ରାଯ୍ୟ ୧୨ ଗୋଟି କିସ୍ତିରେ ଆଦାୟ କରି ପାରିଥାନ୍ତା ଏହି ନୂଆ ବିଲ ଯୋଗୁଁ ସେସ ବା ଶୁକ୍ଲ ରାଜ୍ଯ ଲଗାଇ ପାରିବ ନାହିଁ। ଏଥିରୁ ଯେଉଁ ରାଜସ୍ବ ମିଳୁଥିଲା ତାହା କେନ୍ଦ୍ର ନିଜ ହାତକୁ ନେଇଗଲା । ତେଣୁ ଏଥିରେ ବଡ ଦୁର୍ନିତିର ଆଶଙ୍କା କେନ୍ଦ୍ରୀଭୂତ ହେଉଅଛି। ଏହି ବିଲ ସାମ୍ବିଧାନିକ ପ୍ରଣାଳୀ ଓ ସଂଘୀୟ ବ୍ୟବସ୍ଥାପ୍ରତି କୁଠାରଘାତ। ଅପ୍ରତ୍ଯାସିତ ଭାବେ ଶାସନକୁ ଆସିଥିବା ସରକାର ମୁଖ୍ଯମନ୍ତ୍ରୀ ଚୟନ ପାଇଁ ଅନେକ ସମୟ ନେଲା, ବର୍ତମାନ ଖଣି ପରେ ଖଣି କମ୍ପାନୀଗୁଡିକୁ ଲିଜ ଦେବାରୁ ମୁଖ୍ଯମନ୍ତ୍ରୀ ଚୟନ କଥା ଜଣାପଡୁଛି। ଏହି ରାଯ୍ୟ ସ୍ବାର୍ଥ ପରିପନ୍ଥୀ ବିଲକୁ ରାଜ୍ଯରୁ ନିର୍ବାଚିତ ୨୦ ଜଣ ସାଂସଦ କେମିତି ସମର୍ଥନ କଲେ ? ଏହା ଖୋଲାଖୋଲି ରାଯ୍ୟ ସ୍ୱାଭିମାନ ଓ ଅସ୍ମିତା ଉପରେ କୁଠାରଘାତ ବୋଲି ଶ୍ରୀ ଦାସ କହିଛନ୍ତି।
ପୂ୍ର୍ବତନ ମନ୍ତ୍ରୀ ଶ୍ରୀ କାନୁନଗୋ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ପୂର୍ବରୁ ସଂଘୀୟ ବ୍ୟବସ୍ଥା ଅନୁଯାୟୀ ସବୁ ଚାଲିଥିଲା। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟିକସ ଆଦାୟ ତାଲିକା ତିଆରି ହୋଇଥିଲା କିନ୍ତୁ ଏ ସବୁ ଭାଙ୍ଗିକି ସମସ୍ତ ଟିକସ କେନ୍ଦ୍ର ମୁହାଁ ହେଇଛି। ଓଡିଶାର ମୁଖ୍ଯ ରାଜସ୍ବ ଖଣିଜ ସମ୍ପଦରୁ ମିଳିଥାଏ ଓ ତାହା ରାଜ୍ଯର ବିକାଶ କାର୍ଯ୍ୟରେ ଲାଗିଥାଏ। ଏହି ନୂତନ ବିଲ ଅନୁସାରେ ଖଣିଜ ସମ୍ପଦ ଉପରେ ରାଜ୍ଯ ଆଉ ଟିକସ ବସାଇ ପାରିବ ନାହିଁ ୨୦୦୫ ରେ ସମ୍ବିଧାନ ଧାରା ଅନୁଯାୟୀ ଉଚ୍ଚତମ ନ୍ଯାୟାଳରର ୯ ଜଣିଆ ବେଞ୍ଚ ଟିକସ ବସାଇବା ପାଇଁ ରାଜ୍ୟକୁ କ୍ଷମତା ପ୍ରଦାନ କରିଥିଲେ। ତାସହ ୧୨ ଟି କିସ୍ତିରେ ବକେୟା ଟିକସ ଆଦାୟ କରି ପାରିବେ ବୋଲି ରାୟ ଦେଇଥିଲେ।
ତେବେ କାହା ସ୍ବାର୍ଥରେ ଏହି ମୁଖ୍ଯମନ୍ତ୍ରୀ ଅଛନ୍ତି ଜଣାପଡୁନାହିଁ।
ଆଦିବାସୀ, କେନ୍ଦୁଝର ନା ରାଜ୍ଯବାସୀ କାହା ସ୍ବାର୍ଥରେ ମଧ୍ୟ କାମ କଲାପରି ଜଣା ପଡୁନାହାନ୍ତି। ଝାଡ଼ଖଣ୍ଡ ରାଜ୍ୟ ଅନୁସାରେ ଯଦି ଆମେ ନିୟମ ପ୍ରଣୟନ କରି ଟିକସ ନେଇଥାନ୍ତୁ ତେବେ ବାର୍ଷିକ ୧୫-୧୭ ହଜାର କୋଟି ଆଦାୟ କରିଥାନ୍ତୁ। ବର୍ତ୍ତମାନ ପର୍ଯ୍ୟନ୍ତ ୧.୫ ଲକ୍ଷ କୋଟି ଟଙ୍କା ହରେଇ ସାରିଛୁ। ଆମ ପ୍ରକୃତିକ ସମ୍ପତ୍ତିକୁ ଟେକିଦେଇ ଭାରତ ସରକାରଙ୍କ ଠାରେ ବନ୍ଧାପଡିଲୁ। କୁହାଯାଉଛି ଆମେ ଗରିବ ରାଜ୍ୟ ହାତ ପତାଉଛୁ ଅଥଚ ଆମ ରାଜ୍ୟର ସମ୍ପତ୍ତିକୁ ଆମେ ଟେକି ଦେଉଛୁ ଓ କେନ୍ଦ୍ର ସରକାର ଦୁଇ ତିନୋଟି କମ୍ପାନୀ ବେଦାନ୍ତ, ଆଦାନୀ, ଓ ଅମ୍ବାନୀ ହାତରେ ସବୁ ଟେକି ଦେଉଛି। କେନ୍ଦ୍ର କମ୍ପାନୀ ମାନଙ୍କ ନିକଟରୁ ବିଭିନ୍ନ ଉପାୟରେ ଅର୍ଥ ଲାଭ ପାଇଁ ନିଜକୁ ବନ୍ଧା ପକାଇଛନ୍ତି। ଦିଲ୍ଲୀର ମୋଦୀ ଶାହା କମ୍ପାନୀ ଦଳୀୟ ଚାନ୍ଦା ପାଇଁ ଏମାନଙ୍କୁ ସବୁ ସମର୍ପି ଦେଇଛନ୍ତି। କୋଇଲା ରପ୍ତାନୀ ରାଜ୍ଯ ରାଜସ୍ବ ଆଦାୟର ଏକ ବଡ ସ୍ରୋତ l ପ୍ରତି ୩ ବର୍ଷରେ କୋଇଲା ରପ୍ତାନୀ ରିଭିଜନ ହେବାକଥା କିନ୍ତୁ ସରକାର ନକରିବାରୁ ଲକ୍ଷାଧିକ କୋଟି ଟଙ୍କା ରାଜ୍ୟ ହରେଇଲା ବୋଲି ଶ୍ରୀ କାନୁନଗୋ କହିଛନ୍ତି ।