ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ ।

ବ୍ରହ୍ମପୁର,୧୨/୦୨(ପିପିଟି):ଭାରତର ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ମଧ୍ୟରୁ ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବ ଅନ୍ୟତମ। ଏହା ଏକ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କାର୍ଯ୍ୟକ୍ରମ। ଏଥିରେ ଦେଶର ପ୍ରତିଭାଦୀପ୍ତ ଉଦୀୟମାନ ଶିଳ୍ପୀମାନେ ସୁଯୋଗ ପାଇଥାନ୍ତି। ସମ୍ପ୍ରତି ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରର ଗୋବିନ୍ଦ ବିହାର ଷଷ୍ଠ ସରଣୀ ବାସିନ୍ଦା ପ୍ରଫୁଲ୍ଲ ସୁବୁଦ୍ଧି ଏବଂ ସୁନନ୍ଦା ଦେବୀଙ୍କ ପୁତ୍ରୀ ସୌମ୍ୟା ପ୍ରିୟଦର୍ଶିନୀ ଚଳିତ ଫେବୃଆରୀ ୨୪ ତାରିଖରେ ଖଜୁରାହୋ ମନ୍ଦିରର ଅଲୌକିକ – ଭବ୍ୟ ମନଲୋଭା ପରିବେଶରେ ନିଜ କଳା ସାଧନାର ଅପୂର୍ବ ପ୍ରତିଭା ପ୍ରଦର୍ଶନ ନିମନ୍ତେ ମନୋନୀତ ହୋଇଛନ୍ତି। ତାଙ୍କର ଏହି ପ୍ରଦର୍ଶନ କେବଳ ଗଞ୍ଜାମ ଜିଲ୍ଲା ନୁହଁ ସମଗ୍ର ଦକ୍ଷିଣ ଓଡିଶା ପାଇଁ ଗର୍ବ ଓ ଗୌରବପ୍ରଦ ହେବ।

ସୌମ୍ୟା ପ୍ରିୟଦର୍ଶିନୀ ସ୍ଥାନୀୟ ଉତ୍କଳିକା ନୃତ୍ୟାନୁଷ୍ଠାନର ଛାତ୍ରୀ। ଗୁରୁ ଶେଖର ସୁମନ ମାଝିଙ୍କ ତତ୍ୱାବଧାନରେ ଓଡିଶୀ ନୃତ୍ୟ ପ୍ରଶିକ୍ଷଣ ନେଉଛନ୍ତି। ସେ ନିଜର ନିଷ୍ଠାପର ସାଧନା ଓ ପ୍ରତିଭା ଘେନି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଓଡିଶୀ ନୃତ୍ୟ ନିମନ୍ତେ କନିଷ୍ଠ ବିଭାଗରେ ଜାତୀୟ ବୃତ୍ତି ପାଇବା ଗୌରବ ଅର୍ଜନ କରିପାରିଛନ୍ତି। ଖଜୁରାହୋ ମଞ୍ଚରେ ସେ ଗୁରୁ ଡଃ. ଦେବପ୍ରସାଦ ଦାସଙ୍କ ଶୈଳୀରେ ଲୟନୈପୂଣ୍ୟ ଶକ୍ତିଶାଳୀ ଭାଵ ଭାଙ୍ଗିମା ସହ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିବେ।

ଖଜୁରାହୋ ବାଲ୍ ନୃତ୍ୟ ଉତ୍ସବ – ୨୦୨୬ରେ ସୌମ୍ୟା ପ୍ରିୟଦର୍ଶିନୀଙ୍କ ଏହି ପ୍ରଦର୍ଶନ ତାଙ୍କ ବ୍ୟକ୍ତିଗତ ସଫଳତାର ପରିଚାୟକ ହେଲେହେଁ କେବଳ ବ୍ରହ୍ମପୁର କାହିଁକି ସମଗ୍ର ଗଞ୍ଜାମ ଜିଲ୍ଲା, ସର୍ବୋପରି ଦକ୍ଷିଣ ଓଡିଶା ପାଇଁ ଗର୍ବ ଓ ଗୌରବର ପ୍ରତୀକ, ଯାହା ନୃତ୍ୟ ଜଗତର ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟକ ହେବ।

Comments (0)
Add Comment