ଭଞ୍ଜନଗର, ୨୨/୦୩(ପିପିଟି):ଭଞ୍ଜନଗର ବ୍ଲକ ଡ଼ିହ ପଢାଳ ପଞ୍ଚାୟତ ତୁଳସୀ ପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସାହିତ୍ୟିକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିଲେ। ଏଥିସହ ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର ମଧୁସୂଦନ ମହାପାତ୍ର ମୁଖ୍ୟବକ୍ତା ଭାବେ ଏବଂ ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଭାରତ ସେନାବାହିନୀରେ ଅଫିସର ଭାଵେ କାର୍ଯ୍ୟରତ ଭେରେଡା ଗ୍ରାମ ନିବାସୀ ପ୍ରବୀଣ କୁମାର ବିଶ୍ବାଳ, ଶିବରାମ ପାଢ଼ୀ,ସି.ଆର୍.ସି.ସି ଅନୁପମା ସାହୁ, ଅଶ୍ଵିନୀ କୁମାର ମଲ୍ଲିକ ଯୋଗ ଦେଇଥିଲେ।ଛାତ୍ରଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ ଗଠନ ସକାଶେ କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ଏବଂ ଗୁରୁଜନଙ୍କ ପରାମର୍ଶ ନିହାତି ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ। କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ତେଜସ୍ମିତା ଶତପଥୀ। ବିଭିନ୍ନ ପ୍ରତିଯୋଗିତାରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା।ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)