***କ୍ଷମତା ଓ କ୍ଷମତାର ଅପବ୍ୟବହାର ***

କ୍ଷମତା ଯାହା ପାଖରେ ଅଛି ସମସ୍ତେ ତାଙ୍କୁ ଖାତିରି କରନ୍ତି। ମୁଣ୍ଡିଆ ମାରନ୍ତି। ସେ ଯାହା କହିଲେ ‘ହଁ’ ମାରନ୍ତି। ଗାଳି କଲେ ବି ମୁଣ୍ଡ ପାତି ସହ୍ୟ କରନ୍ତି। କ୍ଷମତା ବିଭିନ୍ନ ପ୍ରକାର ହୋଇପାରେ। ରାଜନୈତିକ କ୍ଷମତା, ଅମଲା ତାନ୍ତ୍ରିକ କ୍ଷମତା, ଆଇନ୍ ଗତ କ୍ଷମତା, ଆର୍ଥିକ କ୍ଷମତା। ଶେଷରେ ବାହୁ ବଳ ବି
ଏକ କ୍ଷମତା ବୋଲି ବିବେଚନା କରାଯାଏ।
ସବୁ ଠାରୁ ବଡ କ୍ଷମତା ହେଲା ଆଇନ୍ ଗତ କ୍ଷମତା। ଏଥିରେ
ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପୋଲିସ ହାତରେ ଅଖଣ୍ଡ
କ୍ଷମତା ଥିବାରୁ ସମସ୍ତେ ପୋଲିସଙ୍କୁ ଦେଖିଲେ ଭୟ କରନ୍ତି। ପୋଲିସ ଯଦି ସାମାନ୍ୟ ଅଭିଯୋଗ ମିଳେ ସେ ତିଳକୁ ତାଳ କରିବାରେ ଧୂରନ୍ଧର। ହାତରେ ଗୁଡାଏ ଦଫା ଲଗାଇ ଜେଲ
ହାଜତକୁ ପଠାଇ ଦେଇ ପାରେ । ଆସାମୀ ପରେ ନିର୍ଦ୍ଦୋଷରେ
ଖଲାସ ହୋଇ ପାରେ। ପ୍ରଥମେ ପୋଲିସ ସାମାନ୍ଯ ଅଭିଯୋଗ ରେ ଭିତର କରିପାରେ। ବେଳେ ବେଳେ ପୋଲିସ ଆସାମୀମାନଙ୍କୁ ଥାର୍ଡ ଡିଗ୍ରୀ ଟର୍ଚର କରି ଜୀବନରୁ ମାରିଦେବା ର ଅନେକ ନଜିର ଅଛି। ଏସବୁ କ୍ଷମତାର ଅପବ୍ୟବହାର।ଗୁଣ୍ଡା ବଦମାସଙ୍କୁ ପ୍ରକୃତି ପୋଲିସ ସାବାଡ କଲେ, ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ। ନତୁବା ସମାଜରେ ଅସାଜିକ କାର୍ଯ୍ୟ ବୃଦ୍ଧି ପାଇବ। ବେଳେ ବେଳେ ନିରିହ ଲୋକମାନେ ପୋଲିସ ଆକ୍ରୋଶର ଶିକାର ହୋଇ ପଡ଼ନ୍ତି। ଫଳରେ ପୋଲିସ ଉପରେ ଆସ୍ଥା ଓ ବିଶ୍ୱାସ ଉଠି ଯାଏ। ପୋଲିସ ବେଳେ ବେଳେ ରାଜନୈତିକ ଚାପ ଏବଂ ଅର୍ଥ ଲାଳସା ର ବଶବର୍ତ୍ତୀ ହୋଇ ନିର୍ଦ୍ଧୋଷୀ ଉପରେ ଦାଉ ସାଧେ। ସାଧାରଣ ଲୋକଙ୍କୁ ନ୍ୟାୟ ମିଳେ ନାହିଁ। କ୍ଷମତାଶାଳୀ ଲୋକଙ୍କ ବିରୁଦ୍ଧରେ ଥାନରେ ଏତଲା ହୋଇ ନଥାଏ। ଫଳରେ ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜିଥାଏ । ଏଣୁ ପୋଲିସର ପ୍ରକୃତ ଦାୟିତ୍ଵ ନିର୍ବାହ କରି ପାରେ ନାହିଁ। ଏବଂ ପୋଲିସ ବିରୁଦ୍ଧରେ ମଧ୍ୟ ଆନ୍ଦୋଳନ ଓ ଜନ ଆକ୍ରୋଶ ମୁଣ୍ଡ ଟେକି ଥାଏ।
ଭଦ୍ର ଓ ସରଳ ଲୋକମାନେ ପୋଲିସ ଆଉ କୋର୍ଟ ଚକ୍କରରେ ନପଡିବାକୁ ଶ୍ରେୟସ୍କର ମନେ କରନ୍ତି।
ଯେତେ ଅନ୍ୟାୟ ଅନୀତି ହେଲେ ଲୋକମାନେ ହାଇ କୋର୍ଟ ଆଉ ସୁପ୍ରିମ କୋର୍ଟକୁ ଯାଆନ୍ତି। କୋର୍ଟର ସର୍ବୋଚ୍ଚ କ୍ଷମତା ରହିଛି। ନ୍ୟାୟିକ ବ୍ୟବସ୍ଥା ନଥିଲେ ସମାଜରେ ଅରାଜକତା
ଚାଲନ୍ତା। ନ୍ଯାୟାଳୟଗୁଡକରେ ଯେ ପ୍ରକୃତ ନ୍ୟାୟ ମିଳୁଛି, ତାହା ନୁହେଁ। ଆଇନ୍ କୁ ବ୍ୟବସାୟ କରାଯାଏ। ଯେଉଁଠି ଆଇନ ଏକ ବ୍ୟବସାୟିକ ବ୍ୟବସ୍ଥା ଦେଇ ଗତି କରୁଛି, ଗରିବ
ଲୋକଟି ଯେ ଉଚିତ ନ୍ୟାୟ ପାଇବ, ଏହା ର ଯଥାର୍ଥତା କିଛି ନାହିଁ।
ଦେଶର ଶାସନ ଚଳାଇବା ଲାଗି ଗଣତାନ୍ତ୍ରିକ ପଦ୍ଧତି ରେ ନିର୍ବାଚନ ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ଓ ରାଜ୍ଯରେ ମୁଖ୍ୟମନ୍ତ୍ରୀ ଶାସନର ମୁଖ୍ୟ ଅଟନ୍ତି। ତାଙ୍କ ଅଧୀନରେ ମନ୍ତ୍ରୀ ଏବଂ ମନ୍ତ୍ରୀ ଅଧୀନରେ ସଚିବ ରହିଛନ୍ତି। ସଚିବଙ୍କ ଅଧିନରେ
ଗୋଟିଏ ଗୋଟିଏ ବିଭାଗ ରହିଛି। ସବୁ ବିଭାଗର ମୁଖ୍ୟ ଅଟନ୍ତି
ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସମସ୍ତ କାର୍ଯ୍ୟ ଉତ୍ତର ଦାୟୀ।
ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ପାଳ ମୁଖ୍ୟ ପ୍ରଶାସକ ଅଧିକାରୀ ଭାବେ ଜିଲ୍ଲା ସମ୍ଭାଳନ୍ତି। ଜିଲ୍ଲାର ସମସ୍ତ ଦାୟିତ୍ବ ସାମଗ୍ରୀ ଭାବେ ନ୍ଯସ୍ତ । ଜିଲ୍ଲାରେ ଜିଲ୍ଲା ପାଳଙ୍କ କ୍ଷମତା ସର୍ବାଧିକ। ତାଙ୍କ ଉପରେ ରାଜସ୍ବ କମିଶନର। ଜିଲ୍ଲା
ରେ ବିଭିନ୍ନ ବିଭାଗର ପ୍ରତ୍ୟେକ ଜିଲ୍ଲା ଅଧିକାରୀ ଅଛନ୍ତି। ସେପରି ନିର୍ମାଣ ବିଭିନ୍ନର ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ
କାର୍ଯ୍ୟ କରୁଛନ୍ତି। ତହସିଲରେ ତହସିଲଦାର, ବ୍ଳକରେ ଗୋଷ୍ଠୀ
ଉନ୍ନୟନ ଅଧିକାରୀ। ତେବେ ଯେଉଁମାନେ ଅଧିକାରୀ ରହିଥିଲେ, ସେମାନଙ୍କ ପାଖରେ କିଛି କିଛି କ୍ଷମତା ରହିଲା।
ତଳସ୍ତରର କର୍ମଚାରୀମାନଙ୍କୁ ଭୟ ପ୍ରଦର୍ଶନ କରେଇବା। ନିଳମ୍ବିତ କରେଇବା, ବେଆଇନ କାର୍ଯ୍ୟ କରେଇବା, ଲାଞ୍ଚ ନେବା, ମିଥ୍ୟା ବିଲ୍,ଭାଉଚର କରେଇବା ଅଧିକ କ୍ଷମତାର ଅପବ୍ୟବହାର ରହିଛି।
ସେହିପରି ଜିଲ୍ଲାରେ ଜିଲ୍ଲାପାଳମାନଙ୍କର ଅଖଣ୍ଡ କ୍ଷମତା ଥିବାରୁ
ସେ ତାଙ୍କ ତଳିଆ ଅଧିକାରୀ, ଯନ୍ତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଳମ୍ବନ, ଦରମା ବନ୍ଦ, କାରଣ ଦର୍ଶାଅ ନୋଟିସ
କରି ପାରନ୍ତି। ଇଣ୍ଟେନ୍ସନାଲ ହାରସମେଣ୍ଟ କରିବା ପାଇଁ ବହୁ
ଷଡ଼ଯନ୍ତ୍ର ମଧ୍ୟ ରଚନା କରି ପାରନ୍ତି। ଅନେକ କ୍ଷେତ୍ରରେ ଜିଲ୍ଲାପାଳମାନେ କ୍ଷମତା ଅପବ୍ୟବହାର କରି ତଳିଆ ଅଧିକାରୀ ଓ ଯନ୍ତ୍ରୀଙ୍କ ଠାରୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ
କୋଟି କୋଟି ଅର୍ଥ ଆତ୍ମସାତ କରିଥାନ୍ତି। ସେହିପରି ଯେଉଁ ବିଭାଗରେ ମନ୍ତ୍ରୀମାନେ ରହିଲେ, ସେମାନେ ମଧ୍ୟ ଉନ୍ନୟନ ପାଇଁ ଅଟକଳ କରାଯାଇଥିବା ଅର୍ଥ କୁ ନିଜ ପକେଟକୁ ଆସିବା ପାଇଁ ଗଳାବାଟ ରଖିଥାନ୍ତି। ଏଣୁ ଥରେ ନେତା ହେଲେ ଘରେ
ଅଜସ୍ର ସମ୍ପତ୍ତିର ମାଲିକ ହୋଇଥାନ୍ତି। ଦେଶ ସେବା ନାଁରେ ଯାଇଥିବା ସାଂସଦ ଓ ବିଧାୟକମାନେ ଦେଶ ଓ ରାଜ୍ୟର ସିଂହ ଭାଗ ଅର୍ଥକୁ ବାଟମାରଣା କରନ୍ତି। ଏବଂ ସମସ୍ତ ବିଳାସ ବ୍ୟସନରେ ମଜ୍ଜି ରହନ୍ତି। ଏହି ନେତାମାନେ କ୍ଷମତା ଅପବ୍ୟବହାର କରି ବହୁ ଅପରାଧରେ ଜଡିତ ରହନ୍ତି। ଏମାନଙ୍କୁ ସ୍ଥାନୀୟ ପୋଲିସ ମଧ୍ୟ ସହାୟତା କରିଥାଏ। ଯେଉଁ ଦଳର ଶାସନ ଚାଲିଥାଏ, ପୋଲିସ ସେହି ନେତାଙ୍କ ହାତ ବାରିସ ହୋଇ କାର୍ଯ୍ୟ କରିଥାଏ। ଏଣୁ ପୋଲିସମାନେ ଚାପ ଗ୍ରସ୍ତ ହୋଇ କାର୍ଯ୍ୟ କରିବା ଫଳରେ, ନେତାଙ୍କ ଅଧୀନରେ ଥିବା ଗୁଣ୍ଡା ଶ୍ରେଣୀର ଅପରାଧୀମାନେ ନିର୍ଭୟରେ ଅପରାଧ କରିବା
କୁ ପ୍ରୋତ୍ସାହନ ପାଇଥାନ୍ତି। ଏଣୁ ବାହୁ ବଳ ମଧ୍ୟ ଏକ ପ୍ରକାର କ୍ଷମତା ଅପବ୍ୟବହାର। ଅନ୍ୟ ପକ୍ଷରେ ଯେଉଁମାନେ ପୁଞ୍ଜିପତି ବହୁ ନେତା ମନ୍ତ୍ରୀ, ସରକାରୀ ଅଧିକାରୀ ମାନଙ୍କୁ ଅର୍ଥ ବଳରେ
ଅସାଧୁ କାର୍ଯ୍ୟ ହାତେଇଛନ୍ତି। ଶିଳ୍ପ ନାଁ ରେ ଜଙ୍ଗଲ ଜମି ହାତେଇବା। ନିରିହ ଆଦିବାସୀଙ୍କୁ ବାସଚ୍ୟୁତ କରିବା। ଆନ୍ଦୋଳନକୁ ଦମନ ପାଇଁ ଗୁଳିକାଣ୍ଡ ଘଟାଇବା ବହୁ ନଜିର
ରହିଛି। ତେଣୁ ପୁଞ୍ଜିପତିମାନେ କ୍ଷମତା ଅପବ୍ୟବହାର କରି
ଏ ସବୁ ଅମାନବୀୟ କାର୍ଯ୍ୟ କରିଥାନ୍ତି। ଜଳ, ଜମି, ଜଙ୍ଗଲ ପାଇଁ ପଢୁଥିବା ଆଦିବାସୀମାନେ ଯବାନଙ୍କ ଗୁଳିରେ ଟଳି ପଡ଼ନ୍ତି। ବେଳେ ବେଳେ ମାଓବାଦୀର ମୋହର ଲଗାଇ ଶହ ଶହ ସଂଖ୍ୟାରେ ହତ୍ୟା କରାଯାଏ। ଏଣୁ କ୍ଷମତା ଅପବ୍ୟବହାର
ଯେପରି ରାଜତନ୍ତ୍ରରେ ଥିଲା। ଦେଶକୁ ପରାଧିନ କରି ଯେଉଁ ବିଦେଶୀ ମାନେ ଶାସନ କରୁଥିଲେ, ସବୁଠି ବର୍ବରତା ଚିହ୍ନ, ଆଜି ବି ଇତିହାସ ପୃଷ୍ଠାରେ କଳଙ୍କିତ। ଆଜିର ଗଣତନ୍ତ୍ର ଶାସନ
ଯଦିଓ ଏକ ଭିନ୍ନ ଢାଞ୍ଚାରେ ଗଢା ତଥାପି ଆମେ ଜନତାଙ୍କୁ କେବେ ମଧ୍ୟ ସୁଶାସନ ଦେଇ ପାରିନେ। ଆମ ନେତାମାନେ ନିର୍ବାଚନ ରେ ଭୋଟରଙ୍କ ଗୋଡ ଧରନ୍ତି ଆଉ ଶାସନ ଗାଦିରେ ବସିଲେ ତଣ୍ଟି ଚିପନ୍ତି। ସେହିପରି ଆମ ଅମଲାତନ୍ତ୍ର ଠିକ ବ୍ରିଟିଶ ଢାଞ୍ଚାରେ ଚାଲିଛି। ପ୍ରୀୟା ପ୍ରୀତି ତୋଷଣ। ଜନତାଙ୍କୁ ଶୋଷଣ। ଜନତାଙ୍କ ଟାକ୍ସିରେ ଦରମା ପାଇ ପରିବାର ପୋଷୁଥିଲେ ମଧ୍ୟ
ସେହି ଜନତାଙ୍କ ପ୍ରତି ତୁଚ୍ଛ ଓ ଘୃଣିତ ମନଭାବ ଇଂରେଜ ଶାସନ ଠାରୁ କିଛି ନ୍ୟୁନ ନୁହେଁ।
ଏଣୁ ଆମ ମଧ୍ୟ ରେ ସଂସ୍କାର ନାହିଁ। ମେଞ୍ଚା ମେଞ୍ଚା କୁସଂସ୍କାର ଭରି ରହିଛି ମନ ଓ ବିବେକରେଷ। ନାଁ କୁ ମାତ୍ର ଗଣତନ୍ତ୍ର ଓ ସମ୍ବିଧାନର ଦ୍ୱାହି ଦେଇ ଆମ କ୍ଷମତାକୁ ଭାଙ୍ଗି ମକଚି ଅପବ୍ୟବହାରେ ସଭିଏଁ ବ୍ରତୀ।

(କେଶବ ଚନ୍ଦ୍ର ନାୟକ,ଏମ୍.ଏ .ସମାଜ ବିଜ୍ଞାନ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment