କ୍ଷତିପୂରଣ ପାଇଁ ଜମିମାଲିକ ଉପକୃତ; ଭାଗଚାଷୀ ହତାଶ ।

ଭଞ୍ଜନଗର,୧୫/୧୧(ପିପିଟି): ଗତ ତିନିଦିନ ଧରି ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ଫସଲ ଓ ପନିପରିବା ନଷ୍ଟ ହୋଇଛି।ବହୁ ଜମିରେ ପାଣି ଭିତରେ ଧାନଗଛ ଶୋଇ ରହି ରହିଥିବା ବେଳେ ପନିପରିବା ଗଛ ଗୁଡିକ ମଧ୍ୟ ପାଣିରେ ବୁଡି ରହିଛି। ଯାହାକୁ ନେଇ ଚାଷୀ ବର୍ଷକର ଆଦାୟ ଖାଦ୍ୟଶସ୍ୟକୁ ହରାଇ କ୍ଷତିପୂରଣ ପାଇଁ ପ୍ରଶାସନକୁ ଅବଗତ କରିଥିଲା।ଏହାକୁ ଗୁରୁତ୍ବର ସହ ବିଚାର କରି ପ୍ରଶାସନ ନିର୍ଦ୍ଦେଶ କ୍ରମେ ସୋମବାର ଉଦ୍ୟାନ ବିଭଗ, କୃଷି ବିଭାଗ, ରାଜସ୍ୱ ଓ ବୀମା ସଂସ୍ଥାର କର୍ମଚାରୀମାନେ ଭଞ୍ଜନଗର ବ୍ଲକର ଭିଭିନ୍ନ ଗ୍ରାମକୁ ଯାଇ କ୍ଷତିଗ୍ରସ୍ତ ଜମିବାଡ଼ି ବୁଲି ଦେଖିବା ସହ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ସମ୍ପର୍କରେ ଆକଳନ କରିଥିଲେ।ସେଥିମଧ୍ୟରେ ବିଭାଗୀୟ ଅଧିକାରୀ ମାନେ ସାନ କୋଦଣ୍ଡା ପଞ୍ଚାୟତର ଯୋଗୀମାରୀ, ବାହାଡ଼ା ପଦର, ମହାଗୁଡା ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ହେଲେ ଜମି ମାଲିକ କ୍ଷତିପୂରଣ ପାଇ ଉପକୃତ ହେଉଥିବା ବେଳେ ବହୁ ଭାଗଚାଷୀ ଏଥିରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ବର୍ଷସାରା ପରିଶ୍ରମ ବୃଥା ଯାଉଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି। ତେଣୁ ଏଦିଗରେ କିଛି ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଲୁ ଗୌଡ଼, ପଞ୍ଚୁ ପ୍ରଧାନ,ଦିବାକର ପ୍ରଧାନ, ସୂର୍ଯ୍ୟନାରାୟଣ ପ୍ରଧାନ, ଦିବାକର ବିଷୋୟୀ,ପୁନିଆ ପ୍ରଧାନଙ୍କ ସମେତ ବହୁ ଭାଗଚାଷୀ ପ୍ରଶାସନକୁ ଜଣାଇଛନ୍ତି।ସୋମବାର ସନ୍ଧ୍ୟାରେ ପୁଣିଥରେ ପ୍ରବଳ ବର୍ଷା ଯୋଗୁଁ ଚାଷୀଙ୍କର ଚିନ୍ତା ବଢିଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment