ବେଲଗୁଣ୍ଠା,୦୭/୦୩(ପିପିଟି): ପୌର ନିର୍ବାଚନ ପାଇଁ ବିଭିନ୍ନ ସହରରେ ରାଜନୀତି ଉଷ୍ଣତା ବାତାବରଣରେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି ।ଏହି ଅବସରରେ ବେଲଗୁଣ୍ଠା ଏନ୍ଏସିରେ ବିଜୁ ଜନତା ଦଳ ତରଫରୁ ଆଜି ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସମେତ ୧୩ଟି ୱାର୍ଡର ସମସ୍ତ କାଉନସିଲର ପ୍ରାର୍ଥୀମାନେ ଏନ୍ଏସିରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସବୁଠାରୁ ଉଲ୍ଲେଖନୀୟ କଥା ହେଲା ବିଜେପି ଲୋକପ୍ରିୟ ତୁଙ୍ଗ ଯୁବନେତା ତଥା ପୁର୍ବତନ କାଉନସିଲର ଚିନଂ ଲିଙ୍ଗରାଜ ପାତ୍ର ଓ ଚିନଂ ଯତିନ ପାତ୍ର ନିଜର ଶହ ଶହ ସମର୍ଥକଙ୍କ ସହିତ ଆସି ଆନୁଷ୍ଠାନିକ ଭାବେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ବେଲଗୁଣ୍ଠା ବିଜେଡି ସଭାପତି ରବିନ୍ଦ୍ରନାଥ ମହାପାତ୍ରଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଚିନଂ ଲିଙ୍ଗରାଜ ପାତ୍ରଙ୍କ ସମେତ ବିଜେପି ନେତା ଖଦାଳ ପୋଲେଇ, ଯୁବ ନେତା ଭି.ସନ୍ତୋଷ କୁମାର ପାତ୍ର ମଧ୍ୟ ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି । ଆଜି ସୋରଡ଼ା ବିଧାୟକ ଶ୍ରୀ ସ୍ୱାଇଁ ଓ ସଭାପତି ଶ୍ରୀ ମହାପାତ୍ରଙ୍କ ନେତୃତ୍ବରେ ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀ ମାନେ ବେଲଗୁଣ୍ଠା ବଡ଼ଦାଣ୍ଡ ନୃସିଂହ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବେଲଗୁଣ୍ଠା ସହର ପରିକ୍ରମାକରି ବେଲଗୁଣ୍ଠା ଏନ୍ଏସି କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀ ଧରଣୀଧର ବେହେରାଙ୍କ ନିକଟରେ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ଅଧ୍ୟକ୍ଷ ପଦ ପାଇଁ ଫିରୋଜ ସେଠୀ, କାଉନସିଲର ପ୍ରାର୍ଥୀ ଭାବେ ୧ ନମ୍ବର ୱାର୍ଡରୁ ଏମ୍.ଭାସ୍କର ପାତ୍ର,୨ ନମ୍ବର ରୁ ଲୋକପ୍ରିୟ ଯୁବ ନେତା ଦିବ୍ୟ ରଞ୍ଜନ ଦାସ,୩ ନମ୍ବର ୱାର୍ଡରୁ ଲିଜା ବେହେରା,୪ ନମ୍ବର ୱାର୍ଡରୁ ପ୍ରିୟମ୍ବଦା ସାମଲ,୫ ନମ୍ବର ୱାର୍ଡରୁ କାହ୍ନୁଚରଣ ସାହୁ,୬ ନମ୍ବର ୱାର୍ଡରୁ ପ୍ରଦୀପ ସେଠୀ,୭ନମ୍ବର ୱାର୍ଡରୁ ଲିଙ୍ଗରାଜ ପାତ୍ରଙ୍କ ପତ୍ନୀ ଚିନଂ.ବବିତା କୁମାରୀ ପାତ୍ର,୮ ନମ୍ବର ୱାର୍ଡରୁ ପ୍ରଗତି ପାତ୍ର,୯ ନମ୍ବର ୱାର୍ଡରୁ ଦିଲ୍ଲୀପ ଆଚାରୀ, ୧୦ ନମ୍ବର ୱାର୍ଡରୁ କେ.ସୁଜ୍ୟୋତି ସୁବୁଦ୍ଧି,୧୧ ନମ୍ବର ୱାର୍ଡରୁ ସଙ୍ଗୀତା ପାତ୍ର,୧୨ ନମ୍ବର ୱାର୍ଡରୁ ବିଶ୍ୱନାଥ ଦଳେଇ ଓ ୧୩ ନମ୍ବର ୱାର୍ଡରୁ ପ୍ରତିମା କୁମାରୀ ସ୍ୱାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଆଜି ନାମାଙ୍କନ ପତ୍ରର ଶେଷ ଦିନରେ ବିଜେପି ଜଣେ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସମେତ କେବଳ ଦୁଇଟି ୱାର୍ଡରେ କାଉନସିଲର ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସହିତ ତିନୋଟି ୱାର୍ଡ ରେ ପ୍ରାର୍ଥୀ ଦେଇଥିବା ସୁଚନା ମିଳିଛି । ଖବର ଅନୁସାରେ, ଭାରତୀୟ ଜନତା ପାର୍ଟି ତରଫରୁ କାଉନସିଲର ପ୍ରାର୍ଥୀ ଭାବେ ୯ ନମ୍ବର ୱାର୍ଡରୁ ପି.ପ୍ରମୋଦ କୁମାର ଆଚାରୀ,୧୨ ନମ୍ବର ୱାର୍ଡରୁ ଜିତେନ୍ଦ୍ର ବରାଡ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେପିର ଯୁବ ନେତା ତଥା ସଂଗଠକ ମହେନ୍ଦ୍ର କୁମାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଂଗ୍ରେସ ତରଫରୁ ପୁର୍ବରୁ ୫ ନମ୍ବର ୱାର୍ଡରୁ ବସନ୍ତ କୁମାର ପଟ୍ଟନାୟକ, ୭ ନମ୍ବର ୱାର୍ଡରୁ ପୁଷ୍ପାଞ୍ଜଳୀ ଦାଶ କାଉନସିଲର ଭାବେ ପ୍ରାର୍ଥୀ ଭାବେ ନାମାଙ୍କନ କରିଥିବା ବେଳେ ଆଜି ୯ ନମ୍ବର ୱାର୍ଡରୁ ଅଶ୍ୱିନୀ କୁମାର ଦାଶ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ମନୋଜ ବେହେରା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହିପରି ସ୍ୱାଧୀନ କାଉନସିଲର ପ୍ରାର୍ଥୀ ଭାବେ ୧୦ ନମ୍ବର ୱାର୍ଡରୁ ସରଜୁ ସାହୁ,୧୩ ନମ୍ବର ୱାର୍ଡରୁ ପ୍ରେମଲତା ଡାକୁଆ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି ।ପ୍ରକାଶ ଥାଉ କି,ଗତ ପୌର ନିର୍ବାଚନରେ ବିଜେଡି ବିରୁଦ୍ଧରେ ନିର୍ବାଚନ ଲଢି ଚିନମ୍ ଲିଙ୍ଗରାଜ ପାତ୍ର ଓ ତାଙ୍କ ସମର୍ଥମାନେ ଦୃଢ଼ ପ୍ରତିଯୋଗିତା କରି ୧୩ଟି ୱାର୍ଡରୁ ୬ ଟି ରେ ବିଜୟଲାଭ କରିଥିଲେ । କିନ୍ତୁ ଏ ଥର ପଟ ଓଲଟି ଯାଇ ବେଲଗୁଣ୍ଠା ବିଜେଡିର ମଙ୍ଗ ଧରିଥିବା ବିଜେଡି ସଭାପତି ଶ୍ରୀ ମହାପାତ୍ରଙ୍କ ତୀକ୍ଷ୍ଣ ଗୋଟି ଚାଳନାରେ ବେଲଗୁଣ୍ଠା ବିଜେଡି ଏହି ନିର୍ବାଚନରେ ବିରୋଧୀ ଶୁନ୍ୟ ହୋଇ ଏକ ପ୍ରକାର କ୍ଳିନ୍ ସୁଇପ୍ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )