ମାଲକାନଗିରି,୧୯/୧୨(ପିପିଟି): ଗତ ୧୬ ତାରିଖ ରାତି ୧୧ଟା ୩୦ମିନିଟରେ ଅର୍ଗସ ଟିଭି ସାମ୍ବାଦିକ ଏବଂ ତାଙ୍କ ଚ୍ଯାନେଲର କ୍ଯାମେରା ମ୍ଯାନ କୋରୁକୋଣ୍ଡା ସ୍ବାସ୍ଥ୍ଯ କେନ୍ଦ୍ରରେ ପଶି ରୋଗୀମାନଙ୍କ ଆପତ୍ତି ଅଭିଯୋଗ ସଂପର୍କରେ ସିଧାଶଳଖ ଲାଇଭ ଟେଲିକାଷ୍ଟ କରିଥିଲେ । ଏମାନଙ୍କ ସହିତ ଅନ୍ଯ ଅନ୍ଯ ୩ ଜଣ ସାମ୍ବାଦିକ. ମଧ୍ଯ ଖବର ପ୍ରଶାରଣ କରିବାକୁ ଯାଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଡାକ୍ତରମାନେ ଗତ ୧୭ ତାରିଖ ଦିନ ମାଲକାନଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କିରିଥିଲେ । ଫଳରେ ପୋଲିସ ସେମାନଙ୍କୁ ରାତି ଅଧିଆ ଉଠାଇ ନେଇ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟକୁ ଚାଲାଣ କରିଥିଲା । ସେମାନେ ହେଲେ ଅର୍ଗସ ଚାନେଲର ଜିଲ୍ଲା ସାମ୍ବାଦିକ ବିକ୍ରମ କେଶରୀ ସ୍ବାଇଁ,କ୍ଯାମେରା ମ୍ଯାନ ରାହୁଳ କୁମାର ଗୋଲରୀ,ସକାଳ ଖବର କାଗଜର କୋରୁକୋଣ୍ଡା ବ୍ଲକ ପ୍ରତିନିଧି ପ୍ରଦୀପ କୁମାର ମହାରଣା,ଧରିତ୍ରୀ ଖବର କାଗଜର କୋରୁକେଣ୍ଡା ବ୍ଲକ ପ୍ରତିନିଧି ଅଭିନାଶ ବେହେରା,ଜି କଳିଙ୍କର ଜିଲ୍ଲା ପ୍ରତିନିଧି ଚନ୍ଦ୍ରକାନ୍ତ ପଣ୍ଡା । ଏହି ୫ ଜଣଙ୍କ ନାମରେ ମାଲକାନଗିରି ଥାନା କେଶ ନଂ:୫୯୬/୨୦୨୧ ୟୁ/ଏସ:୪୪୭,୩୪୧,୨୯୪,୧୮୬,୩୫୩,୩୩୨,୩୮୪,୫୦୦,୩୨୩,୫୦୬,୩୪ଦଫାରେ ମାମଲା ରୁଜୁ କରାଯାଇଛି । ତେବେ ସାମ୍ବାଦିକମାନେ କୋରୁକୋଣ୍ଡା ଡାକ୍ତରଙ୍କ ବିରୁଦ୍ଧରେ ପାଲଟା ଏତଲା ମାଲକାନଗିରି ଆଦର୍ଶ ଥାନାରେ ପ୍ରଦାନ କରିଥିଲେ ମଧ୍ଯ ବର୍ତ୍ତମାନ ସୁଦ୍ଧା ମାମଲା ରୁଜୁ ହୋଇ ନାହିଁ । ଲୋକମାନଙ୍କ ସମସ୍ଯାକୁ ଲୋକ ଲୋଚନକୁ ଆଣିବା କର୍ତ୍ତବ୍ଯ ରତ ସାମ୍ବାଦିକଙ୍କ ମୁଖ୍ଯ କର୍ମ ହୋଇଥିବା ବେଳେ ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବା ଏବଂ ବିଭିନ୍ନ ଦଫାରେ କେଶ ରୁଜୁ କରି ଜେଲକୁ ପଠାଇବା ଅଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରିବା ଅନୁଚିତ ବୋଲି ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଆଜି ମାଲକାନଗିରି ସାମ୍ବାଦିକମାନେ ଏକତ୍ରିତ ହୋଇ କୋରୁକୋଣ୍ଡା ସ୍ବାସ୍ଥ୍ଯ କେନ୍ଦ୍ରର ୩ ଜଣ ଡାକ୍ତରଙ୍କ ନାମରେ ଥାନାରେ ଏତଲା ଦିଆ ଯାଇଥିଲେ ମଧ୍ଯ ସେମାନଙ୍କ ନାମରେ ପୋଲିସ ମାମଲା ରୁଜୁ କରିନଥିବାରୁ ମାଲକାନଗିରି ଆଦର୍ଶ ଥାନା ସମ୍ମୁଖରେ ସମସ୍ତ ଗଣ ମାଧ୍ଯମର ପ୍ରତିନିଧିମାନେ ଧାରଣା ବସିଛନ୍ତି । ଯେତେ ଦିନ ପର୍ଯ୍ଯନ୍ତ ପୋଲିସ ଡାକ୍ତରଙ୍କ ବିରୁଦ୍ଧରେ ମାମଲା ରୁଜୁ ନକରିଛି, ସେତେଦିନ ପର୍ଯ୍ଯନ୍ତ ସମସ୍ତ ସାମ୍ବାଦିକ ଗଣଧାରଣାରେ ବସିବେ ବୋଲି କୁହାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)