କ୍ଯାଡର ମାଓବାଦୀ ଗିରଫ ସହ ଦେଶୀ ବନ୍ଧୁକ ଜବତ ।

ମାଲକାନଗିରି,୧୦/୦୭(ପିପିଟି): ମାଓବାଦୀ ଗୋଷ୍ଠୀର ଶିବିର ସମ୍ବନ୍ଧରେ ଏକ ନିର୍ଦ୍ଦିଷ୍ଟ ଗୁପ୍ତଚର ସୂଚନାକୁ ଆଧାର କରି ଏସଓଜି ଏବଂ ଡିଭିଏଫ ୟୁନିଟକୁ ନେଇ ମିଳିତ ସ୍ଵତନ୍ତ୍ର ଆଣ୍ଟି-ନକ୍ସଲ ଅପରେସନ୍ ଆରମ୍ଭ କରାଯାଇଥିଲା ମାଥିଲି ଥାନା ଅନ୍ତର୍ଗତ ଛତିଶଗଡ ରାଜ୍ୟ ସୀମାନ୍ତ ତୁଳସୀ ସଂରକ୍ଷଣ ଜଙ୍ଗଲ ଅଞ୍ଚଳରେ। ଜଙ୍ଗଲ ଅଞ୍ଚଳରେ ଖୋଜାଖୋଜି କରିବା ସମୟରେ ଯବାନ ମାନେ ଜଣେ ସନ୍ଦିଗ୍ଧ ମାଓବାଦୀ କ୍ୟାଡରକୁ ଧରିଥିଲେ ଏବଂ ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିଲେ। ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହା କହିଥିଲେ ।ଆହୁରି ମଧ୍ୟ ସେ କହିଥିଲେ ଯେ, ଯାଞ୍ଚ ପରେ ଏହି ମାଓବାଦୀ କ୍ୟାଡର ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର କାଙ୍ଗେରଗୀ ଏରିଆ କମିଟି ଅଧୀନରେ ମହୁପଦର ଏଲଜିଏସର ଲକ୍ଷ୍ମଣ ପଡିଆମୀ ଓରଫ ଲକ୍ଷ୍ମଣ କୁରାମି ପାର୍ଟି ସଦସ୍ୟ ବୋଲି ଚିହ୍ନଟ କରାଯାଇଥିଲା। ତା’ ଘର ବସ୍ତର ଜିଲ୍ଲା ଦରଭା ଥାନା ଅନ୍ତର୍ଗତ ଚନ୍ଦାମେଟା ଗ୍ରାମରେ। ମାଲକାନଗିରି ଜିଲ୍ଲା (ଓଡିଶା) ତଥା ଛତିଶଗଡର ଅନେକ ମାମଲାରେ ସେ ଜଡିତ ଅଛି। ସେ ୨୦୧୭ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିଲା ଏବଂ ମାଓ ସଙ୍ଗଠନରେ ଯୋଗଦେବା ପୂର୍ବରୁ ସେ ମାଓବାଦୀଙ୍କ ପାଇଁ ମିଲିସିଆ ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲା । ତା ନାମରେ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର ରାଶି ରହିଛି। ତା ନାମରେ ମାଥିଲି ଥାନା ଟେମୁରୁପାଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ବିସ୍ଫୋରଣ ଏବଂ ତା:୧ ୮/୫ /୨୦୧୯ ସରକାରୀ ସମ୍ପତି ଲୁଟ୍ ଓ ତା:୧୭/୧୨/୨୦୨୦ ତାଳପଦର ଗାଁର ସୁକୁମାର ମଣ୍ଡଳ ନାମକ ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା ମାମଲା ରହିଛି। ସେ ଛତିଶଗଡରେ ମଧ୍ୟ ସକ୍ରିୟ ଥିଲା । ଛତିଶଗଡରେ ମାଓବାଦୀ ହିଂସା ମାମଲାରେ ତାର ସମ୍ପୃକ୍ତି ଯାଞ୍ଚ ଚାଲିଛି। ଛତିଶଗଡ ସରକାର ତା ବିରୋଧରେ ନଗଦ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment