କୋଦଳା,୨୫/୦୭(ପିପିଟି); ଶନିବାର ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି ।କର୍ତ୍ତବ୍ଯରତ ଜଣେ ପୋଲିସ ଏଏସ୍ଆଇଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳ ନିସ୍ତବ୍ଧ ହୋଇଯାଇଛି ।କୋଦଳା ମେଡିକାଲ ପରିସରରେ ଜିଲ୍ଲା ପ୍ରଶାସନ ତଥା ବ୍ଲକ ଓ ଏନ୍ଏସି ପ୍ରଶାସନ ଦିନ ତମାମ ସେମାନଙ୍କ କାର୍ଯ୍ୟରେ ଲାଗିପଡିଥିଲେ । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ମୃତ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶୋକ ପାଳନ କରିବା ପରେ ଶବସତ୍କାର ନିମନ୍ତେ ବ୍ରହ୍ମପୁର ପଠାଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ପୋଲିସ ବିଭାଗର ଏଏସ୍ଆଇ ରବୀନ୍ଦ୍ର ନାଥ ବେହେରା କୋଦଳା ପୋଲିସ ଥାନାରେ ଦୀର୍ଘଦିନ ହେବ କାର୍ଯ୍ୟକରିବା ପରେ ଗତବର୍ଷ ଭଞ୍ଜନଗର କୋର୍ଟ ଏଏସଆଇ ଭାବେ ବଦଳି ହୋଇଯାଇଥିଲେ । କିନ୍ତୁ ପୂର୍ବପରି ବେଗୁନିଆପଡା ରେ ପରିବାର ସହିତ ରହୁଥିଲେ । ପୁତ୍ର ମନୋଜ ବେହେରାଙ୍କ କହିବା ପ୍ରକାରେ ବାପା ୧୦ ଦିନ ପୂର୍ବେ ଗ୍ରାମକୁ ଆସିଥିଲେ ଏବଂ ଜ୍ଵର ହେବାକଥା କହିଥିଲେ । ଔଷଧ ଖାଇ ସୁସ୍ଥ ହେବାପରେ ପୂଣି କାର୍ଯ୍ୟରେ ଯୋଗ ଦେଇଥିଲେ । ତିନିଦିନ ତଳେ ବାପାଙ୍କ ସ୍ବାସ୍ଥ୍ୟ ଖରାପ ଥିବା କଥା ଜଣାଇଥିଲେ ଏବଂ ଶୁକ୍ରବାର ନିଜ ବାଇକ ଯୋଗେ ଗ୍ରାମକୁ ଫେରୁଥିବା ସମୟ ରେ ପୋଲସରା ନିକଟର ରେ ଅସୁସ୍ଥତା ଅନୁଭବ କରିବାରୁ ଜଣେ ସମ୍ପର୍କୀୟଙ୍କ ସହାୟତାରେ ଘରେ ପହଞ୍ଚି ଥିଲେ । ଜ୍ଵର ହେବାରୁ ଡାକ୍ତରଙ୍କୁ ପଚାରି ପାରାସିଟାମଲ ଖାଇ ସୁସ୍ଥ ଅନୁଭବ କରିଥିଲେ କିନ୍ତୁ ରାତିରେ ପୂଣି ଜ୍ଵର ହୋଇ ତଟି କାଟୁଚି କହି ଗୁରୁତର ଭାବେ ଅସୁସ୍ଥ ହୋଇଥିଲେ । ସଙ୍ଗେ ସଙ୍ଗେ ମାଁ ପୁଅ କୋଭିଡ ଆମ୍ବୁଲାନ୍ସ ଡାକି କୋଦଳା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ କୋଦଳା ପୋଲିସ ରାତିସାରା ଜଗିରହିଥିଲେ । ସକାଳୁ ସକାଳୁ ବ୍ଲକ ଓ ଏନ୍ଏସି ପ୍ରଶାସନର ଅଧିକାରୀ ତହସିଲଦାର ପ୍ରଭାତ କୁମାର ପରିଡା , ଥାନା ଅଧିକାରୀ ଦେବାଶିଷ ମହାନ୍ତି ,ମେଡିକାଲ ଇନଚାର୍ଜ ସୁଜିତ କୁମାର ବେହେରା , ବିଡିଓ ବେଦବର ପ୍ରଧାନ , ଏନ୍ଏସି ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାରମୁଦୁଲି , ପୁରୁଷୋତ୍ତମପୁର ଏସଡିପିଓ ସିମା ସ୍ବାଇଁ ପ୍ରମୁଖ ଉପସ୍ଥିତରେ ମୃତକଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା ।ଡକ୍ଟର ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ ରିପୋର୍ଟ ବାହାରିଥିବା କହିବା ପରେ ପ୍ରଶାସନର ତତ୍ପରତା ପ୍ରକାଶ ପାଇଥିଲା । କରୋନା ରୋଗୀ ଜାଣିବା ପରେ କେହି ସମ୍ପର୍କୀୟ ସହଯୋଗ କରିବାକୁ ଅକ୍ଷମତା ପ୍ରକାଶ କରିଥିଲେ । ସ୍ତ୍ରୀ ଓ ପୁଅ ନୀରବଦ୍ରଷ୍ଟା ସାଜି କେବଳ କାନ୍ଦିବାରେ ବ୍ୟସ୍ତ ଥିଲେ । ଏକମାତ୍ର ପୁତ୍ର ବାପାଙ୍କ ମୃତ ଶରୀର କାନ୍ଧେଇବା ସମ୍ଭବ ପର ହୋଇ ନ ଥିଲା । ପୁଅ , ଦୁଇ ଗୃହରକ୍ଷୀଙ୍କ ପକ୍ଷରେ ଓଜନଦାର ମୃତ ଶରୀର ଟେକି ବକ୍ସ ମଧ୍ୟରେ ରଖିବା ସମ୍ଭବପର ହୋଇନଥିଲା ।ଏହି ସମୟରେ ଦୁଇସାମ୍ବାଦିକ ସହାୟତାର ହାତ ବଢାଇଥିଲେ । ସେମାନେ ପିପିଇ କିଟ ପିନ୍ଧି ସେମାନଙ୍କୁ ସହଯୋଗ କରି ମୃତ ଶରୀରକୁ ଏକ କାଠ ବକ୍ସ ମଧ୍ୟରେ ରଖି ବରଫ ଦ୍ଵାରା ସ୍ଵତନ୍ତ୍ର ଭାବେ ପେକ କରିଥିଲେ । ପରେ ପରେ ଗଞ୍ଜାମ ଏସପି ବ୍ରୀଜେଶ କୁମାର ରାୟ ଓ ଆଡିସନାଲ ଏସପି ଠାକୁର ପ୍ରସାଦ ପାତ୍ର ପହଞ୍ଚିଥିଲେ । ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ମୃତ ଶରୀର ଉପରେ ଧଳାକପଡା ଘୋଡ଼ାଇ ପୁଷ୍ପଗୁଛ ଦେଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶୋକବ୍ୟକ୍ତ କରିବା ସହିତ ନିରବ ପ୍ରାର୍ଥନା କରିଥିଲେ ।ପୁତ୍ର ଏବଂ ସ୍ତ୍ରୀଙ୍କୁ ଆଶ୍ବାସନା ଦେବା ସହିତ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ଏସପି ପ୍ରତିଶୃତି ଦେଇଥିଲେ । ଏକ ସ୍ଵତନ୍ତ୍ର ଗାଡି ସାହାଯ୍ୟରେ ଓ ସ୍ତ୍ରୀ ପୁତ୍ରଙ୍କୁ ଅନ୍ୟ ଏକ ଗାଡି ସାହାଯ୍ୟରେ ଅନ୍ତେଷ୍ଟି ପାଇଁ ବ୍ରହ୍ମପୁର ପଠାଇଥିବା ଜଣାପଡିଛି ।