କୋଦଳା,୧୭/୦୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ପିଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପି ଏମ ଶ୍ରୀ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ମାଝୀଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଜାତୀୟ ଶିକ୍ଷା ନୀତିର ମୁଖ୍ୟ ଉଦ୍ଦେଶ୍ୟ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ବିକାଶ ସହ ବିଦ୍ୟାର୍ଥୀଙ୍କର ସର୍ବାଙ୍ଗୀନ ବିକାଶ ବୋଲି କହିଛନ୍ତି। ସେହିପରି କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଦ୍ଯାଳୟର ଭିତିଭୂମିର ସୁଦୃଢ କରିବା ପାଇଁ ଡବଲ ଇଞ୍ଜିନ ସରକାରର ପଦକ୍ଷେପକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ଯାନ୍ଯ ଅତିଥି ମାନଙ୍କ ମଧ୍ୟରେ ଏନଏସି ଉପାଧ୍ୟକ୍ଷା ରଞ୍ଜିତା ସେଠୀ, ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ,ଲଷ୍ମୀ ନାରାୟଣ ଡିଗ୍ରୀ କଲେଜର ଅବସରପ୍ରାପ୍ତ ଅଧ୍ଯକ୍ଷ ଡ଼ଃ ପଦ୍ମ ଚରଣ ପାଢୀ,ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କେ ଚନ୍ଦ୍ରାବତୀ ପାତ୍ର କ୍ଲଷ୍ଟର ସାଧନ ସଂଯୋଜକ ବିଷ୍ନୁ ପ୍ରସାଦ ସିଂ, ପରିଚାଳନା କମିଟି ସଭାପତି ଦେବେନ୍ଦ୍ର କୁମାର ପାଣ୍ଡି, ପରିଚାଳନା କମିଟିର ସଦସ୍ୟ /ସଦସ୍ୟା,ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ବିଦ୍ଯାଳୟର ଶ୍ରେଣୀ ଗୃହ ଖେଳ ପଡିଆ ସମେତ ବିଭିନ୍ନ ସମାସ୍ଯାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ଉପାଧ୍ୟକ୍ଷା ରଞ୍ଜିତା ସେଠୀ। ସେହିପରି ଆଗାମୀ ଦିନରେ ଖେଳ ପଡିଆ ଓ ଶ୍ରେଣୀ ଗୃହ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ଶ୍ରୀ ନାୟକ। ଛାତ୍ରଛାତ୍ରୀ ମାନେ ଆତ୍ମ ନିର୍ଭର କିପରି ହେବେ,ଚାକିରି ପଛରେ ନ ଗୋଡାଇ ବିଭିନ୍ନ କ୍ଷେତ୍ରରେ କିପରି ନିଜକୁ ସ୍ବାବଲମ୍ବୀ କରିବେ ସେ ନେଇ ପରାମର୍ଶ ଦେଇଥିଲେ ବିଧାୟକ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)