ବେଗୁନିଆପଡା,୨୭/୦୨(ପିପିଟି):ଗଞ୍ଜାମ ଜିଲ୍ଲାର କୋଦଳା ତହସିଲ ସର୍ବ ପୁରାତନ ତହସିଲ । ୧୦୦ ବର୍ଷ ତଳର ଏହି ପୁରୁଣା ତହସିଲକୁ ରାଜସ୍ବ ଉପଖଣ୍ଡର ମାନ୍ଯତା ଦାବି କରୁଛନ୍ତି ଅଞ୍ଚଳବାସୀ। ଏହାକୁ ନେଇ ଗଠିତ ହୋଇଛି କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ। ମଞ୍ଚ ପକ୍ଷରୁ ଏନେଇ ତହସିଲର ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆଜି ଏନେଇ ଏକ ସ୍ମାରକ ପତ୍ର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। କୋଦଳା ସ୍ଥିତ ବାବା ଦଣ୍ଡିଶ୍ଵର ମନ୍ଦିର ପୀଠରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି କୋଦଳା ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ପରେ ଏକ ସ୍ମାରକ ପତ୍ର କୋଦଳା ତହସିଲଦାର ସଶ୍ମିତା ଶତପଥୀଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ସମେତ ଭାରତର ପ୍ରଧାନମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ,ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ରାଜ୍ୟ ମୁଖ୍ଯ ଶାସନ ସଚିବ,ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାର କୋଦଳା ତହସିଲ ସର୍ବ ପୁରାତନ ତହସିଲ। ଇତିହାସ କୁହେ ବ୍ରିଟିଶ ଶାସନ ସମୟରେ ଏହା ଏକ ଉପଖଣ୍ଡ ଭାବେ ପରିଚିତ ଥିଲା। ବହୁ ପୁରାତନ ତହସିଲ କୋଦଳା ଏବେ ଲାଞ୍ଛିତ ଓ ଅବହେଳିତ ହୋଇ ରହି ଯାଇଛି। ଏଣୁ କୋଦଳାକୁ ଏବେ ଉପଖଣ୍ଡ ତଥା ସବ୍ ଡିଭିଜନ ମାନ୍ଯତା ଦାବି କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଦଳମତ ନିର୍ବିଶେଷରେ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଗଠିତ ହୋଇଥିବା କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ପକ୍ଷରୁ ଦାବି କରାଯାଉଛି। କୋଦଳାକୁ ସବ୍ ଡିଭିଜନ ମାନ୍ଯତା ପ୍ରଦାନ କରାଯିବା ପର୍ଯ୍ୟନ୍ତ ଏହି ଅଭିଯାନ ମଞ୍ଚ ପକ୍ଷରୁ ଜାରି ରହିବ ବୋଲି ସୂଚନା ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ଆବାହକ ତଥା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର, କୋଦଳା ବରିଷ୍ଠ ନାଗରିକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ଦୋରା, ପୂର୍ବତନ କାଉନସିଲର ସନ୍ତୋଷ ନାୟକ, ଏନ୍ଏସି ଉପାଧ୍ୟକ୍ଷ ରଞ୍ଜିତା ସେଠୀ,ଶ୍ରୀ ଗଣେଷ ଯୁବକ ସଂଘ ସଭାପତି ସନ୍ତୋଷ କୁମାର ପ୍ରଧାନ,ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବଡୁ,ସୁଶାନ୍ତ କୁମାର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପଲେଇ, ଯୁବନେତା ପ୍ରମୋଦ କୁମାର ପଣ୍ଡା, ଚନ୍ଦନ ସ୍ୱାଇଁ,କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ,ସମିତି ସଭ୍ୟା ନୟନୀ ଗୌଡ଼,ଆସିକା ସମବାୟ ନିର୍ଦ୍ଦେଶକ ହୃଷିକେଶ ମେହେଣା, ଆଇନଜୀବୀ ମୀରାବାଈ ଦେଓ, ଶିକ୍ଷ୍ୟାବିତ ଉପମନ୍ୟୁ ଶତପଥୀ, ପୂର୍ବତନ ବଣିକ ସଂଘ ସଭାପତି ଅଭୟ ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ମହିଳା ଓ ପୁରୁଷ ଅଞ୍ଚଳବାସି ଉପସ୍ଥିତ ଥିଲେ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)